ବାପର ପାପ ବିରୋଧରେ ଗଲା ଝିଅ ! ବାପା ଦ୍ୱାରା ଦୁଷ୍କର୍ମର ଶିକାର ବାନ୍ଧବୀକୁ ନେଇ ପୁଲିସ ପାଖକୁ ଗଲା

ନୂଆଦିଲ୍ଲୀ: ଗୁରୁଗ୍ରାମ୍‌ର ଏକ ଆଭିଜାତ୍ୟସଂପନ୍ନ ଆପାର୍ଟମେଣ୍ଟରେ ରହୁଥିବା ଜନୈକ ୪୫ ବର୍ଷୀୟ ବ୍ୟବସାୟୀ ନିଜ ଝିଅର ବାନ୍ଧବୀକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ବୟସ ୧୮ ବର୍ଷ ହୋଇଥିବାବେଳେ ସେ ଦୁଷ୍କର୍ମକାରୀଙ୍କ ଝିଅର ପିଲାଦିନର ସାଙ୍ଗ ବୋଲି ଜଣାପଡ଼ିଛି। ପିଲାଦିନୁ ‘ଅଙ୍କଲ୍‌’ ବୋଲି ଡ଼ାକି ଆସୁଥିବା ପିଲାଟି ଦୁଷ୍କର୍ମର ଶିକାର ହେବା ପରେ  ଘରେ ଜଣାଇଥିଲା। ଏହାପରେ ନିଜ ମା’ ଓ ବାନ୍ଧବୀ ସହ ଯାଇ ଥାନାରେ ମାମଲା ଦାୟର କରିଥିଲା। ପୀଡ଼ିତାଙ୍କ ସାଥ୍‌ ଦେଇଥିଲେ ତାଙ୍କ ବାନ୍ଧବୀ ତଥା ଦୁଷ୍କର୍ମକାରୀଙ୍କ ଝିଅ।

ସୂଚନା ମୁତାବକ , ଶୁକ୍ରବାର ଦିନ ଦୁଷ୍କର୍ମକାରୀଙ୍କ ବିଦେଶ ପଢ଼ୁଆ ଝିଅ ତା’ର ବାନ୍ଧବୀକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲା। ଦୁହେଁ ଏକାଠି ମଜା ମସ୍ତି କରିବା ସହ ରାତିରେ ଏକ ରେସ୍ତୋରାଁକୁ ଯାଇ ରାତ୍ରିଭୋଜନ କରିବା ସହ ପାନୀୟ ନେଇଥିଲେ। ଏହାପରେ ଦୁଇ ବାନ୍ଧବୀ ଘରକୁ ଆସିଥିଲେ। ପତ୍ନୀ ଘରେ ନ ଥିବାର ସୁଯୋଗ ନେଇ ଦୁଷ୍କର୍ମକାରୀ ଝିଅର ବାନ୍ଧବୀକୁ ଭୋର ୪ଟା ସମୟରେ କଥା ହେବା ବାହାନାରେ ନିଜ କୋଠରୀକୁ ଡାକି ନେଇ ଦୁଷ୍କର୍ମ କରିଥିଲେ।

ଏହି ଅଘଟଣ ପରେ ପୀଡ଼ିତା ତାଙ୍କ ବାନ୍ଧବୀଙ୍କୁ ଉଠାଇଥିଲେ। ସେତେବେଳକୁ ବାନ୍ଧବୀଙ୍କ ବାପା ଘରୁ ପଳାଇ ଯାଇଥିଲେ। ବାପାଙ୍କ କୁକର୍ମକୁ ଚପାଇ ଦେବାର ଉଦ୍ୟମ ନ କରି ପୀଡ଼ିତାଙ୍କୁ ସାଙ୍ଗରେ ଧରି ତାଙ୍କ ଘରକୁ ଯାଇଥିଲେ। ଝିଅ ଠାରୁ ଘଟଣା ଶୁଣିବା ପରେ ପୀଡ଼ିତାଙ୍କ ମା’ ଝିଅକୁ ଧରି ଥାନାକୁ ଯାଇଥିଲେ। ସେଠାରେ ମାମଲା ଦାୟର କରିଥିଲେ। ଏହାପରେ ପୁଲିସ ଦୁଷ୍କର୍ମକାରୀ ଅଙ୍କଲ୍‌କୁ ପୁଲିସ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର