ଦିଲ୍ଲୀ: ପୁଣି ପୁଲିସ ଜାଲରେ ଦେହ ବ୍ୟବସାୟର କୁଇନ୍‌-ପିନ୍‌ ଗୀତା ଅରୋରା ଓରଫ୍‌ ସୋନୁ ପଞ୍ଜାବନ୍‌

ନୂଆଦିଲ୍ଲୀ: ପୁଣି ଥରେ କୁଖ୍ୟାତ ହାଇ କ୍ଲାସ୍‌ ପିମ୍ପ୍‌ ୩୬ ବର୍ଷୀୟ ଗୀତା ଅରୋରା ଓରଫ୍‌ ସୋନୁ ପଞ୍ଜାବନ୍‌ ପୁଲିସ ଜାଲରେ ପଡ଼ିଛନ୍ତି। ଏଥର ତାଙ୍କୁ ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍‌ସୁଆଲ୍‌ ଅଫେନ୍‌ସେସ୍‌ ଆକ୍ଟ୍‌ରେ ଗିରଫ କରାଯାଇଛି।

ସୋନୁଙ୍କୁ ଗିରଫ କରାଇବାକୁ ସହାୟତା ଦେଇଥିଲେ ଜଣେ କିଶୋରୀ। ଚାଲାଣ ହୋଇ ଆସିଥିବା ସେ କିଶୋରୀ ଦିଆ ଯାଇଥିଲା ନିର୍ଯାତନା, ଖୁଆ ଯାଇଥିଲା ନିଶା ଔଷଧ ଏବଂ ବାଧ୍ୟ କରାଯାଇଥିଲା ଦେହ ବ୍ୟବସାୟରେ ସାମିଲ ହେବା ନିମନ୍ତେ। ୨୦୧୪ରେ ମାନବ ଚାଲାଣକାରୀଙ୍କ ଅକ୍ତିଆରରୁ ଖସି ଆସିଥିଲା ଜଣେ କିଶୋରୀ। କୌଣସିମତେ ସେ ପହଞ୍ଚି ଥିଲା ନଜାଫରଗଞ୍ଜ ଥାନାରେ। ସେଠାରେ ସେ ବଖାଣି ଥିଲା ନିଜର ଦୁର୍ଦ୍ଦଶା।

ଏକ ଲିଖିତ ଅଭିଯୋଗ କରାଯାଇ ତା’ର ବୟାନ ରେକର୍ଡ କରାଯାଇଥିଲା। କିନ୍ତୁ, ଅଦାଲତରେ ପହଞ୍ଚିବା ପୂର୍ବରୁ ପୀଡ଼ିତା ଖସି ପଳାଇ ଯାଇଥିଲା। ତେଣୁ ମାମଲା ସ୍ଥାନାନ୍ତର ହୋଇଥିଲା ଦିଲ୍ଲୀ ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌କୁ।

ତଦନ୍ତରେ ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ଅଧିକାରୀ କହନ୍ତି, ଥରେ ସେ ଝିଅଟିକୁ ପୁଲିସ ଠାବ କରି ଥିଲେ। କିନ୍ତୁ, ସେ ପୁଣି ଖସି ପଳାଇ ଯାଇ ଥିଲା। ତା’ର ଧାରଣା ହୋଇଥିଲା ଯେ ମାମଲା ଦାଏର କରା ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିବ ନାହିଁ ବରଂ ସେ ପିମ୍ପ୍‌ ତାକୁ ମାରି ପକାଇବ।
ତା’ର ଠିକଣା ସନ୍ଧାନ କରିବାକୁ ଗତ ଛଅ ମାସ ହେବ କ୍ରାଇମ୍‌ ବ୍ରାଞ୍ଚ୍‌ ଲାଗିଥିଲା।

ସବ୍‌-ଇନ୍‌ସ୍‌ପେକ୍ଟର୍‌ ପଙ୍କଜ ନେଗି ତାଙ୍କୁ ଦିଲ୍ଲୀରେ ଠାବ କରିବାରେ ସମର୍ଥ ହୋଇଥିଲେ। ତାଙ୍କୁ କାଉନ୍‌ସେଲିଙ୍ଗ୍‌ ଦିଆଯିବା ସହ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ପୁଲିସ ତାଙ୍କୁ ସହାୟତା କରିବ। ଭରସା ପାଇବା ପରେ ସେ ପୁଲିସକୁ କହିଥିଲେ କି, ୨୦୧୩ରେ ତାକୁ ଚାଲାଣ କରାଯାଇଥିଲା।

ପୁଲିସକୁ ସେ ଦେଇ ଥିବା ବୟାନରେ କହିଛି: ତାକୁ ନିର୍ଯାତନା ଦିଆଯିବା ସହ ୧୨ ଜଣ ଲୋକଙ୍କୁ ବିକ୍ରୟ କରାଯାଇଥିଲା। ତାଙ୍କୁ ଲକ୍ଷ୍ନୌ, ରୋହତକ ଏବଂ ଅନ୍ୟାନ୍ୟ ସ୍ଥାନକୁ ନିଆଯାଇଛି। ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯିବା ସହ ଉପବାସରେ ରଖାଯାଇଛି।

ପରେ ତାକୁ ସୋନୁ ପଞ୍ଜାବନ କିଣିଥିଲେ। ସୋନୁ ତାଙ୍କୁ ଭେଟିବା ପରେ ତା’ର ଆଚାର ବ୍ୟବହାର ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ। ଗରାଖମାନଙ୍କୁ ପ୍ରଲୋଭିତ କରିବାକୁ ସେ ତାଙ୍କୁ ମୌଳିକ ଇଂରାଜୀ ଶିଖାଇ ଥିଲେ। ଗରାଖମାନଙ୍କ ପାଖକୁ ପଠାଇବା ପୂର୍ବରୁ ତାଙ୍କୁ ନିଶା ଔଷଧ ଖୁଆ ଯାଉଥିଲା।

ସେ ଗ୍ୟାଙ୍ଗ୍‌ ଝିଅମାନଙ୍କୁ ଗ୍ରାହକମାନଙ୍କ ଘରକୁ ମଧ୍ୟ ପଠାଉ ଥିଲେ। ସେଥିପାଇଁ ସେମାନେ ଝିଅ ସହ ଜଣେ ଡ୍ରାଇଭର୍‌ ଓ ଜଗୁଆଳି ପଠାଉଥିଲେ।

ସୋନୁ ପଞ୍ଜାବନଙ୍କ ଛଡ଼ା ଏହି ର‍୍ୟାକେଟ୍‌ରେ ଅନ୍ୟାନ୍ୟ ବହୁ ଲୋକ ସମ୍ପୃକ୍ତ ଅଛନ୍ତି। ଆମେ ସେମାନଙ୍କ ବାବଦରେ ମୌଳିକ ସୂଚନା ସଂଗ୍ରହ କରିଛୁ। ସମ୍ପୂର୍ଣ୍ଣ ର‍୍ୟାକେଟ୍‌କୁ ଧରିବା ନିମନ୍ତେ ଚଢ଼ାଉ ଜାରି ରହିଥିବା କଥା କହନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ର ଡିସିପି ଭୀଷ୍ମ ସିଂହ।

୨୦୧୪ରେ ଏକ ଦିଲ୍ଲୀ ଅଦାଲତ ସୋନୁଙ୍କୁ ଦୋଷମୁକ୍ତ କରିଥିଲେ। ସେ ସେକ୍ସ୍‍ ର‍୍ୟାକେଟ୍‌ ଚଳାଉଛନ୍ତି ବୋଲି ତାଙ୍କ ନାମରେ ଅଭିଯାଗ ଆସିଥିଲା। ତାଙ୍କ ବିରୋଧରେ ମହାରାଷ୍ଟ୍ର କଣ୍ଟ୍ରୋଲ୍‌ ଅଫ୍‌ ଅର୍ଗାନାଇଜ୍‌ଡ୍‌ କ୍ରାଇମ୍‌ ଆକ୍ଟ୍‌ରେଥିବା କଠୋର ଚାର୍ଜ ଲାଗୁ କରାଯାଇଥିଲା।
ପ୍ରମାଣ ଅଭାବରୁ ଅତିରିକ୍ତ ସେସନ୍‌ ଜଜ୍‌ ଗୁଲ୍‌ସନ୍‌ କୁମାର ସୋନୁଙ୍କୁ ଦୋଷମୁକ୍ତ କରିଥିଲେ।

ପୁଣି ସେ ଦେହ ବ୍ୟବସାୟରେ ମାତିଛନ୍ତି ବୋଲି ସୂଚନା ପାଇବା ପରେ ଏପ୍ରିଲ୍‌ ୨୦୧୧ରେ ଦିଲ୍ଲୀ ପୁଲିସ ତାଙ୍କୁ ଧରିଥିଲା। ଦୁଇ ଜଣ ଅଧିକାରୀଙ୍କୁ ଗ୍ରାହକ ସଜାଇ ପୁଲିସ ଜାଲ ବିଛାଇ ଥିଲା। ଦୁଇ ଜଣ ଝିଅ ପାଇଁ ଦଲାଲ ରାଜୁ ଶର୍ମା ଏବଂ ସୋନୁଙ୍କ ସହ ମୂଲଚାଲ କରିଥିଲେ ସେମାନେ।

ତା’ପରେ ମେହେରାଉଲି ଚଢ଼ାଉ ସମୟରେ ପୁଲିସ ସୋନୁ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କ ସହ ଅନ୍ୟାନ୍ୟ ଲୋକଙ୍କୁ ଗିରଫ କରିଥିଲେ।
୨୦୧୧ରେ ଏମ୍‌ସିଓସିଏ ଆକ୍ଟ୍‌ରେ ପଡ଼ିବା ପୂର୍ବରୁ ପୁଲିସ ପ୍ରୀତ୍‌ ବିହାର ଏବଂ ସାକେତ୍‌ରୁ ସୋନୁଙ୍କୁ ଦୁଇ ଥର ଗିରଫ କରିଥିଲା।

୨୦୦୭ରେ ତାଙ୍କୁ ଉମୋରାଲ୍‌ ଟ୍ରାଫିକ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌ରେ ଗିରଫ କରାଯାଇଥିଲା। ସେଥି ପାଇଁ ୨୦୦୭ରେ ଜାମିନ ପାଇବା ପରେ ସେ ଏକା ଅପରାଧ ପାଇଁ ପୁଣି ୨୦୦୮ରେ ଗିରଫ ହୋଇଥିଲେ।

ହରିୟାନାର ଝାଜହର ଜିଲ୍ଲା ହତ୍ୟାକାଣ୍ଡରେ ମଧ୍ୟ ସୋନୁ ସମ୍ପୃକ୍ତ ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର