ବ୍ରହ୍ମେଶ୍ୱର ପାଟଣା ଘରେ ପଶି ଲୁଟ୍‌: ୩ ଦିନ ପରେ ମଧ୍ୟ ପୁଲିସ ହାତ ଖାଲି

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ୱର ମନ୍ଦିର ନିକରେ ରହୁଥିବା ରବୀନ୍ଦ୍ର ନାରାୟଣ ମହାନ୍ତିଙ୍କ ଘରୁ ଘଟଣା ଇତି ମଧ୍ୟରେ ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କୁ ଗିରଫ କରିପାରିନି। ଅନ୍ୟପକ୍ଷରେ ୬ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିଲେ ମଧ୍ୟ ପୁଲିସ ମାତ୍ର ଲକ୍ଷେ ଟଙ୍କା ଲେଖିଛି ବୋଲି ଅଭିଯୋଗ ହୋଇଛି। ପ୍ରକାଶ ଯେ, ପ୍ଲଟ୍‌ ନଂ୧୧୪/୫ର ତୃତୀୟ ମହଲାରେ ରହୁଥିବା ରବୀନ୍ଦ୍ର ନାରାୟଣ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ଘରେ ପଶି ଲୁଟ୍‌ କରିଥିଲେ। ଦୁର୍ବୃତ୍ତମାନେ ଆଲମାରି ତାଡ଼ି ସୁନା ଚେନ୍‌, ବ୍ରେସ୍‌ଲେଟ୍‌, ୨ଟି ବଡ଼ ହାର, ୨ଟି ମୁଦି, ୩ ହଳ କାନଫୁଲ, ୨ହଳ ସୁନା ଚୁଡ଼ି ଓ ନଗଦ ୧୦ହଜାର ଟଙ୍କା ଲୁଟି ନେଇଥିଲା। ଏ ନେଇ ସେ ବଡ଼ଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ଲୁଟ୍‌ ଗହଣାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହୋଇଥିଲେ ମଧ୍ୟ ପୁଲିସ ଲକ୍ଷେ ଟଙ୍କାର ଗହଣା ଲୁଟ୍‌ ହୋଇଥିବା ଲେଖି ଚୁପ୍‌ ବସିଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏପରିକି ପୁଲିସ ସନ୍ଧାନୀ କୁକୁର କି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି ନଥିବା ସେ କହିଛନ୍ତି। ଏନେଇ ବଡ଼ଗଡ଼ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରିଣ୍ଟିଂରେ ତ୍ରୁଟି ରହିଥିବାରୁ ୬ ଲକ୍ଷ ବଦଳରେ ଲକ୍ଷେ ଟଙ୍କା ଲେଖା ହୋଇଥିବ।

ସମ୍ବନ୍ଧିତ ଖବର