ନର୍ସ ନୀହାରିକା ହତ୍ୟାକାଣ୍ଡ : ତଣ୍ଟିଚିପି ହତ୍ୟା କରିଥିବା କଥା ପୁଲିସ ନିକଟରେ ସ୍ବୀକାର କଲା ପ୍ରେମିକ ରାଜା

କଟକ :  ବହୁଚର୍ଚ୍ଚିତ ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୁଲିସକୁ ମିଳିଛି ସଫଳତା।  ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନିଜ ପ୍ରେମିକା ନୀହାରିକାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରେମିକ ରାଜା। ନିଜ ସାଙ୍ଗର କଟକସ୍ଥିତ ଭଡ଼ା ଘରେ ସେ ନୀହାରିକାକୁ ହତ୍ୟା କରିଥିବା ସ୍ବୀକାର କରିଛି ।  ପୁଲିସ ନିକଟରେ ଜେରା ବେଳେ ସେ ଏକଥା ସ୍ବୀକାର କରିଛି। ମିଳିଥିବା ସୂଚନା ଅନୁସାରେ, ନୀହାରିକାଙ୍କୁ ନର୍ସିହୋମରୁ ସାଙ୍ଗରେ ଆଣିବା ପରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା, ଯାହା ଫଳରେ ରାଜା ଉତକ୍ଷିପ୍ତ ହୋଇ ନୀହାରିକାଙ୍କ ତଣ୍ଟିଚିପି ଦେଇଥିବା ସ୍ବୀକାର କରିଛି।

ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନର୍ସ ନୀହାରିକାର ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ ହିଁ ହତ୍ୟାକାରୀ । କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଏକ ଭଡ଼ାଘରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।  ହତ୍ୟାପରେ ରାଜା ଏକ ମୋଟର ସାଇକେଲରେ ଅଖାରେ ନୀହାରିକାଙ୍କ ଶବକୁ ପୂରାଇ ନେଇ ଯାଇ ବିଲୁଆଖାଇ  ନଦୀ ପଠାରେ ଫିଙ୍ଗିଥିବା ଜଣାଯାଇଛି। ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ ସିସିଟିଭିରେ ଏହା ରେକର୍ଡ ହୋଇଛି। ଏଥିସହ ପୁଲିସ ଘଟଣାସ୍ଥଳରୁ ଏକ କାନଫୁଲ ଜବତ କରିଛି ଏବଂ ଖଟ ଉପରେ ଘରେ ପଡ଼ିଥିବା ବେଡସିଟ୍ ମଧ୍ୟ ଗାଏବ ରହିଥିବା ଜଣାପଡ଼ିଛି। ପୁଲିସ ସନ୍ଦେହ କରୁଛି କି ନୀହାରିକାଙ୍କ ସହ  ଧସ୍ତାଧସ୍ତି ସମୟରେ ହୁଏତ କାନଫୁଲଟି ପଡ଼ିଯାଇଥାଇ ପାରେ।

ନୀହାରିକାଙ୍କ ମୃତ୍ୟୁପରଠାରୁ ତାଙ୍କ ବୟଫ୍ରେଣ୍ଡ  ରାଜା ଫେରାର ଥିଲା । ଗତକାଲି ସେ ପୁଲିସ ନିକଟରେ  ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ ରାଜାକୁ ପଚରାଉଚରା କରିଥିଲା।  ତିନି ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନୀହାରିକାଙ୍କ ମୃତଦେହ ମିଳିଥିଲା । ନିହାରିକାଙ୍କ ଗାଁ ଭିଙ୍ଗାରପୁରରେ ବୋଲି ଜଣାଯାଇଛି।

ସେ ୮ ତାରିଖରୁ ନିଖୋଜ ହୋଇଥିଲେ ଏବଂ ତାଙ୍କର ମୃତଦେହ  ୧୭ ତାରିଖରେ ମିଳିଥିଲା।  ହାତ ଗୋଡ଼ ବନ୍ଧା ହୋଇ ଏକ ଅଖା ଭିତରୁ ନୀହାରିକାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସଭାବେ କାମ କରୁଥିଲେ ନୀହାରିକା । ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା ।

ସମ୍ବନ୍ଧିତ ଖବର