ଦ୍ୱିତୀୟ ଜୀବନ ପାଇଲା ରାଧା, ୭ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର 

ବୋରେଓ୍ଵଲରେ ଶିଶୁ ପଡ଼ିବା ଘଟଣା

ଅନୁଗୁଳ: ବୋରୱେଲ ଭିତରେ ପଡ଼ିଯାଇଥିବା ୪ ବର୍ଷର ଶିଶୁ ରାଧାକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଦୀର୍ଘ ୭ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଶିଶୁଟିକୁ ଜୀବନ୍ତ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ପରେ ରାଧାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟପଟରେ ରାଧାକୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ତାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲଗାଇଥିଲେ। ଅନେକ ଦେଖଣାହାରି କହୁଥିଲେ, ବାଃ ବାଃରେ ରାଧା। ଆଉ କେହି କେହି କହୁଥିଲେ ରାଧା ଦ୍ୱିତୀୟ ଜୀବନ ପାଇଛି। ଏଇ ଭବିଷ୍ୟତରେ ବଡ଼ ନାଁ କରିବ।

ସୂଚନାଯୋଗ୍ୟ, କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଗୋଳାସର ଗ୍ରାମର  ସନ୍ତୋଷ ସାହୁଙ୍କ ଝିଅ ରାଧା ଘର ନିକଟରେ ଥିବା ସମୟରେ ଏକ ମୁହଁ ଖୋଲା ଥିବା ବୋରୱେଲ ମଧ୍ୟରେ ଖସି ପଡ଼ିଥିଲା। ଏଣେ ପରିବାର ଲୋକେ ବହୁ ସମୟ ଧରି ଗାଁ ସାରା ଖୋଜା ଖୋଜି କରି ବିଫଳ ହେବା ପରେ ଗାଁର କେହି ଜଣେ ବୋରୱେଲ ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲା। ପରିବାର ଲୋକ ବୋରେଓ୍ଵଲ ଭିତରକୁ ରାଧା ଖସିପଡ଼ିଥିବା ଜାଣିବା ପରେ ଦମକଳ ବାହିନୀଙ୍କୁ ସୂଚନା ଦେଇଥିଲେ।

ବହୁ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥବା ବୋରୱେଲରେ ନଳକୂପ ଖଞ୍ଜା ଯାଇ ନଥିଲେ ମଧ୍ୟ ଏ ବାବଦରେ ପ୍ରଶାସନ ଦୃଷ୍ଟି ଦେଇ ନଥିଲା। ବୋରୱେଲ ଖୋଳାଯିବା ପରେ ଯଦି ଏହାରି ଉପରେ ନଳକୂପ ଖଞ୍ଜା ଯିବା ପାଇଁ ଜିନିଷ ନଥିଲା, ତେବେ ଅନ୍ୟ କୌଣସି ପ୍ରକାରରେ ବନ୍ଦ କରାଯାଇ ପାରିଥାନ୍ତା। ସତେ ଅବା ବୋରୱେଲ ଏକ ବଡ଼ ଦୂର୍ଘଟଣାକୁ ଆମନ୍ତ୍ରଣ କରୁଥିଲା, ଯାହାକି ସୋମବାର ଏହା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର