ବିଦ୍ୟୁତ ଆଘାତରେ ଯୁବକ ମୃତ:କ୍ଷତିପୂରଣ ଦେବା ପରେ ଶବ ଉଠିଲା

ଥୁଆପାଲି: ଭେଡେନ ବ୍ଲକ ଚିଚିଣ୍ଡା ଓ ମହାକୁରଟିକ୍ରା କ୍ଷେତ ଭିତରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଚିଚିଣ୍ଡା ଗ୍ରାମର ସୁଦାମ ପାଣ୍ଡେ(୩୦)। ଚିଚିଣ୍ଡା ଗ୍ରାମର ନିତ୍ୟା ପାଣ୍ଡେଙ୍କ ଅବିବାହିତ ପୁଅ ସୁଦାମ ସକାଳୁ ଘାସ କାଟିବାକୁ ଯାଇ ଥିଲେ। ଦିନ ୧୨ଟା ରେ ଘରକୁ ଫେରୁଥିବା ବେଳେ ହରିଶ୍ଚନ୍ଦ୍ର ରାଉତିଆଙ୍କ କ୍ଷେତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ତାରଟି ମାଟି ଉପରୁ ମାତ୍ର ୩/୪ ଫୁଟ ଉପରେ ଦୋହଲି ଥିଲା। ସୁଦାମ ମୁଣ୍ଡରେ ଘାସ ବୋହି ଆସୁଥିବାରୁ ତାରକୁ ଦେଖି ପାରିନଥିଲେ। ତାର ତାଙ୍କ ପେଟ ଭିତରକୁ ପସି ଯାଇଥିଲା। ସେ ହିଡ଼ ଉପରେ ପଡ଼ିଥିବା ଦେଖି କିଛିଲୋକ ପୁଲିସକୁ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆଇଆଇସି ହେମନ୍ତ ରାଓ, ଏସ୍ଆଇ ମନୋଜ ପଧାନ, ଡିଏସପି ପ୍ରକାଶ ମୁର୍ମୁ ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳକୁ ପହଂଚିଥିଲେ। ଏହାପରେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ରାତି ୭ଟା ସୁଦ୍ଧା କୌଣସି କର୍ମଚାରୀ ନପହଞ୍ଚି ବାରୁ ଚିଚିଣ୍ଡା ଗ୍ରାମର ଶତାଧିକ ଲୋକ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ବିଦ୍ୟୁତ ବିଭାଗ ଅଧିକାରୀମାନେ କ୍ଷତିପୂରଣ ନଦେବା ଯାଏଁ ଶବ ଉଠାଇ ଦେବୁ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରିଥିଲେ। ରାତି ପାଖାପାଖି ସହାୟତା ରାଶି ଦେବା ପରେ ଶବ ଉଠିଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର