କଟକରେ ଏନ୍‌କାଉଣ୍ଟର୍‌, ଦୁର୍ଦ୍ଦାନ୍ତ ଖୋକନ ଆହତ

ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ଘଟଣା

କଟକ : ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ। ପୁଲିସ ଏନକାଉଣ୍ଟରର ଶିକାର ଅଭିଯୁକ୍ତ ହେଉଛି ଚାଉଳିଆଗଞ୍ଜ ବିଦ୍ୟାଧରପୁରରେ ରହୁଥିବା ଜଗତସିଂହପୁର ଅଞ୍ଚଳର ଖୋକନ ଓରଫ ପିନାକୀ ରଞ୍ଜନ ବାରିକ (୩୪)। ପିନାକୀ ଗତକାଲି ବିଳମ୍ବିତ ରାତିରେ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି। ତା’ ଡାହାଣ ଆଣ୍ଠୁର ଉପରେ ଗୋଟିଏ ଗୁଳି ବାଜିଛି । ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ବୋମା ଫିଙ୍ଗା ଘଟଣାରେ ଖୋକନର ସହଯୋଗୀ କୁହାଯାଉଥିବା ସିଡିଏ ଅଞ୍ଚଳର ଅଟୋ ଡ୍ରାଇଭର କେନ୍ଦ୍ରାପଡ଼ାର ଅଶ୍ୱିନୀ କୁମାର ଜେନା(୩୮)କୁ ପୁଲିସ ଗିରଫ କରିଛି। ବାଦାମବାଡିରେ ସେମାନେ କେଉଁଠି କିଭଳି ବୋମା ମାଡ଼ କରି ଖସି ଯାଉଥିଲେ, ତାହାର ଡେମୋ ଅଶ୍ୱିନୀ ପୁଲିସକୁ ଦେଖାଇଛି। ଭରତିଆ ଟାଓ୍ଵାର୍‌ ଏବଂ ଓଲ୍‌ଡ ଏଲ୍‌ଆଇସି କଲୋନୀ ଗଳିକୁ ଯାଇ ଅଶ୍ୱିନୀ ପୁଲିସକୁ ବୋମା ଫିଙ୍ଗିବାର ଡେମୋ ଦେଖାଇଥିଲା। ପୁଲିସ ଖୋକନ ନିକଟରୁ ଦେଶୀ ବନ୍ଧୁକ, ୭.୬୫ ଏମ୍‌ଏମ୍‌ ୩ ରାଉଣ୍ଡ ଗୁଳି, ଖାଲି କ୍ୟାଟ୍ରିଜ୍‌, ଦୁଇଟି ବୋମା, ବୋମା ମାଡ଼ରେ ଅଶ୍ୱିନୀର ବ୍ୟବହୃତ ଅଟୋ (ଓଡି ୦୫ କେ ୮୩୧୮) ଏବଂ ମୋବାଇଲ୍‌ ଫୋନ୍‌ ପୁଲିସ ଜବତ କରିଛି ।

ଡିିସିପି ଅଖିଳେଶ୍ୱର ସିଂହ ଦେଇଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଲିଙ୍କ ରୋଡ୍‌ ସନ୍ତୋଷ ପେଟ୍ରୋଲ ପମ୍ପ ପଛପଟେ ଥିବା ରେଳ ଧାରଣା ପାର୍ଶ୍ୱରେ ଖୋକନ ଓରଫ ପିନାକୀ ରଞ୍ଜନ ବାରିକ ଏବଂ ଅଶ୍ୱିନୀ କୁମାର ଜେନା ଆଡ୍ଡା ଜମାଇଥିଲେ। ସେମାନେ କାଳୀପୂଜାରେ ବାଦାମବାଡ଼ି ଥାନା ନିକଟରେ ବୋମା ମାଡ଼ କରିବାକୁ ଯୋଜନା କରୁଥିବା ପୁଲିସ ଖବର ପାଇଥିଲା । ରାତି ଅଧରେ ଥାନା ଅଧିକାରୀ ବିରଞ୍ଚି ପତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ରେଳ ଧାରଣା ପାର୍ଶ୍ୱରେ ଚଢ଼ଉ କରିଥିଲା । ଖୋକନ ପୁଲିସକୁ ଦେଖି ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା । ପୁଲିସର ପାଲଟା ଗୁଳି ଖୋକନର ଡାହାଣ ଆଣ୍ଠୁ ଉପରେ ବାଜିଥିଲା। ଏହି ଘଟଣାରେ କନେଷ୍ଟବଳ କିଶୋର ପାଢୀ ଆହତ ହୋଇଛନ୍ତି । ତାଙ୍କ ବାମ ହାତ ପାପୁଲିରେ ଆଘାତ ଲାଗିଛି। ଘଟଣା ସ୍ଥଳରୁ କିନ୍ତୁ ଖୋକନର ସହଯୋଗୀ ଅଶ୍ୱିନୀ ଫେରାର ହୋଇଯାଇଥିଲା। ପୁଲିସ ଆଜି ସକାଳେ ତାକୁ ଗିରଫ କରିବା ପରେ ଅନେକ ଘଟଣା ସାମ୍‌ନାକୁ ଆସିଥିଲା ।

ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ। ପୁଲିସ ଏନକାଉଣ୍ଟରର ଶିକାର ଅଭିଯୁକ୍ତ ହେଉଛି ଜଗତସିଂହପୁର ଅଞ୍ଚଳର ଖୋକନ ଓରଫ ପିନାକୀ ରଞ୍ଜନ ବାରିକ (୩୪)। ବୋମା ଫିଙ୍ଗା ଘଟଣାରେ ଖୋକନର ସହଯୋଗୀ କୁହାଯାଉଥିବା ସିଡିଏ ଅଞ୍ଚଳର ଅଟୋ ଡ୍ରାଇଭର କେନ୍ଦ୍ରାପଡ଼ାର ଅଶ୍ୱିନୀ କୁମାର ଜେନା(୩୮)କୁ ପୁଲିସ ଗିରଫ କରିଛି। ବାଦାମବାଡିରେ ସେମାନେ କେଉଁଠି କିଭଳି ବୋମା ମାଡ଼ କରି ଖସି ଯାଉଥିଲେ, ତାହାର ଡେମୋ ଅଶ୍ୱିନୀ ପୁଲିସକୁ ଦେଖାଇଛି।

ବାଦାମବାଡ଼ିରେ ହକରିଂ ବ୍ୟବସ୍ଥା ଏବଂ ଦାଦା ବଟି କାରବାର ବନ୍ଦ ହୋଇଯିବାରୁ ପୁଲିସକୁ ବଦ୍‌ନାମ କରିବାକୁ ଗଲା ୭୫ ଦିନ ମଧ୍ୟରେ ସାତ ଥର ଦୁଇ ଅଭିଯୁକ୍ତ ବୋମା ମାଡ଼ କରିଥିବା ପୁଲିସକୁ କହିଥିଲେ । ଅଶ୍ୱିନୀ ମୋଟ ୪ଥର ବୋମା ଫିଙ୍ଗିଥିବା ବେଳେ ଖୋକନ ୩ଥର ବୋମା ଫିଙ୍ଗିଥିଲା । ଅଶ୍ୱିନୀ ନିଜ ଅଟୋକୁ ବୋମା ମାଡ଼ ବେଳେ ଦୁଇ ଥର ବ୍ୟବହାର କରିଥିବା ବେଳେ ଅନ୍ୟ ସମୟରେ ଉଭୟ ଚାଲିଚାଲି ବାଦାମବାଡ଼ି ଆସୁଥିଲେ । ଦୁର୍ଗାପୂଜା ମେଲୋଡ଼ିରେ ବାଦାମବାଡ଼ି ଥାନା ନିକଟରେ ହୋଇଥିବା ବୋମା ମାଡ଼ରେ ଅଶ୍ୱିନୀ ସାମିଲ ଥିବା ପୁଲିସକୁ କହିଥିଲା ।

ଅନ୍ୟପଟେ ଅଶ୍ୱିନୀ ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛି । ସେ କହିଛି, ଏଲ୍‌ଆଇସି କଲୋନୀରେ ରହୁଥିବା ସମୟରେ ତା’ର ଖୋକନ ସହିତ ସମ୍ପର୍କ ହୋଇଥିଲା । ଅଶ୍ୱିନୀ ଏବେ ସିଡିଏ ଅଞ୍ଚଳରେ ରହି ଅଟୋ ଚାଳନା କରୁଛି । ଗଲା ଦୁଇ ମାସ ତଳେ ୫ ହଜାର ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଖୋକନକୁ ମାଗିଥିଲା । ଖୋକନ ବାଦାମବାଡ଼ିରେ ବୋମା ମାଡ଼ କଲେ ପ୍ରତିବଦଳରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଟଙ୍କା ଲୋଭରେ ଅଶ୍ୱିନୀ ତା’ ସହିତ ମିିଶି ବୋମା ମାଡ଼ କରିଥିଲା । କିନ୍ତୁ ଏହି ବୋମା ମାଡ଼ ପଛରେ ମାଷ୍ଟରମାଇଣ୍ଡ ଥିଲା କାଳନ୍ଦୀ ଖୁଣ୍ଟିଆ । ଗଲା ସେପ୍ଟେମ୍ବର ୨୫ ତାରିଖରେ ରାଜାବଗିଚା ସାମ୍‌ନା କାଠଯୋଡ଼ି ନଦୀ ପଠାରେ ତାକୁ ଏନ୍‌କାଉଣ୍ଟର କରାଯାଇଥିଲା ।

ବାଦାମବାଡ଼ି ବୋମା ମାଡ଼ ଘଟଣାରେ ପୂର୍ବରୁ କାଳନ୍ଦୀ ସମେତ ଗେଡ଼ୁ ଓରଫ ବିଷ୍ଣୁ ଚରଣ ସ୍ୱାଇଁ, ଅକ୍ଷୟ କୁମାର ରାଉତ ଏବଂ ବାବୁ ଓରଫ ଇଶ୍ୱର ରାଉତକୁ ଗିରଫ କରାଯାଇଛି। ଏମାନଙ୍କ ନାଁ ଆଜି ଉଭୟ ଅଶ୍ୱିନୀ ପୁଲିସକୁ ବୟାନରେ କହଛିି । କିନ୍ତୁ ୭ ଥର ବୋମା ମାଡ଼ରେ ବ୍ୟବହୃତ ବୋମାକୁ ନିର୍ଦ୍ଦିଷ୍ଟ କିଛି ଅପରାଧ ଶ୍ରେଣୀୟ ଲୋକେ ଯୋଗାଉଥିଲେ । ପୁଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ପାଇଥିବା ବେଳେ ଖୁବ ଶୀଘ୍ର ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି । ଅନ୍ୟପଟେ ପୁରା ଘଟଣା ପଛରେ କିଛି ବଡ଼ ମୁଣ୍ଡ ମୁଖ୍ୟ କାର୍ପଟଦାର ସାଜିଥିବା କୁହାଯାଉଛି । ସେମାନେ ଏହି ୬ ଦୁର୍ବୃତ୍ତଙ୍କୁ ଧରି ବୋମା ମାଡ଼ ବାଦାମବାଡ଼ି ଅଞ୍ଚଳରେ ଘଟାଇଥିବା କୁହାଯାଉଛି । ଆତ୍ମସମର୍ପଣ କରିଥିବା ଅକ୍ଷୟକୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି । ସେ ବୋମା ମାଡ଼ର ଭିତିରି କଥା ପୁଲିସକୁ ଯୋଗାଇବାର ସମ୍ଭାବନା ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଖୋକନ ବିରୋଧରେ ପୁରୀଘାଟ ଓ ମାଲ୍‌ଗୋଦାମ ଥାନାରେ ଦୁଇଟି ମାମଲା ଥିବା ବେଳେ ବାଦାମବାଡ଼ି ଥାନାରେ ୮ଟି ମାମଲା ରୁଜୁ ହୋଇଛି । ବୋମା ମାଡ଼ ଏବଂ ବେଆଇନ ବନ୍ଧୁକ କାରବାର ଅଭିଯୋଗ ଖୋକନ ବିରୋଧରେ ରୁୁଜୁ ହୋଇଛି । ସେହିପରି ଅଶ୍ୱିନୀ ବିରୋଧରେ ବାଦାମବାଡ଼ି ଥାନାରେ ୮ଟି ମାମଲା ରୁୁଜୁ ହୋଇଥିବା ବେଳେ କାଳନ୍ଦୀ ଖୁଣ୍ଟିଆ ବିରୋଧରେ ବାଦାମବାଡ଼ି ଥାନାରେ ୧୦ଟି, ବିଷ୍ଣୁ ବିରୋଧରେ ବାଦାମବାଡ଼ି ଥାନାରେ ୬ଟି ଏବଂ ଈଶ୍ୱର ବିରୋଧରେ ମଧୁପାଟଣା ଓ ବାଦାମବାଡ଼ି ଥାନାରେ ୧୦ଟି ବୋମା ମାଡ଼, ବେଆଇନ ବନ୍ଧୁକ କାରବାର ମାମଲା ରୁଜୁ ହୋଇଥିବା ଡିିସିପି କହିଛନ୍ତି ।

ସମ୍ବନ୍ଧିତ ଖବର