ସାଲେପୁର: ଋଣ ବୋଝରେ ଚାଷୀଙ୍କ ଆତ୍ମହତ୍ୟା

ସାଲେପୁର: ଋଣ ବୋଝରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକ୍‌ ଅନ୍ତର୍ଗତ କୋଲଣପୁର ଗ୍ରାମର ସୁମନ୍ତ ମଳିକ ନାମକ ଚାଷୀ ଋଣ ଟଙ୍କା ଶୁଝି ନପାରି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସୁମନ୍ତ ବେକରେ ଫାଶୀ ଲଗାଇ ନିଜ ଜୀବନ ହାରିବା କଥା ଏବେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଛି।

ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଭୋରୁ ସୁମନ୍ତଙ୍କୁ ତାଙ୍କ ଘରେ ବେକରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୁମନ୍ତଙ୍କ ବୟସ ମାତ୍ର ୩୫ ବର୍ଷ। ସେ ଗତ କିଛି ବର୍ଷ ହେବ ବିବାହ କରି ସଂସାର କରିଥିଲେ। ମାତ୍ର ଦୁଃଖର କଥା ହେଉଛି ଅଭାବ ହେତୁ ସୁମନ୍ତ ନିଜ ପତ୍ନୀଙ୍କୁ ବି ଠିକ୍‌ ଭାବେ ପୋଷି ପାରୁନଥିଲେ। ଗତ କିଛି ଦିନ ହେବ ସେ ତାଙ୍କ ପତ୍ନୀଙ୍କୁ ଶଶୁରଘରେ ରହିବା ପାଇଁ ଛାଡ଼ି ଦେଇଥିଲେ।

ସୁମନ୍ତଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ହେତୁ ସେ କେତେକ ସଂସ୍ଥାଠାରୁ ଟଙ୍କା ଋଣ ଆକାରରେ ନେଇ ଚାଷ କରୁଥିଲେ। ମାତ୍ର ଟଙ୍କା ଶୁଝି ନପାରିବାକୁ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ତାଙ୍କୁ ବାରମ୍ବାର ଟଙ୍କା ମାଗି ବ୍ୟସ୍ତ କରି ପକାଉଥିଲେ। କରଜ ଭାର ସହି ନପାରି ସୁମନ୍ତ ଗତ କାଲି ସଂଧ୍ୟାରେ ତାଙ୍କ ଘରେ କେହି ନଥିବା ଅବସ୍ଥାରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର