କେନ୍ଦ୍ରାପଡ଼ାରେ ପହଂଚିଲା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପାର୍ଥିବ ଶରୀର

ବିଜେପି ନେତା ବିଜୟ ମହାପାତ୍ର ଦେଲେ ଶ୍ରଦ୍ଧାଂଜଳି

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ପାର୍ଥିବ ଶରୀର ଶନିବାର ରାତି ୧୦ଟାରେ କେନ୍ଦ୍ରାପଡ଼ା ପହଂଚିଛି। ପାର୍ଥିବ ଶରୀର ଏଠାରେ ପହଂଚିବା ପରେ ବିଜେଡିର ବରିଷ୍ଠ ନେତା ଶଶିଭୂଷଣ ବେହେରା, ଧରଣୀଧର ନାୟକ, ଅନୁଭବ ମହାନ୍ତି, ପ୍ରତାପ ଜେନା, ତେଜେଶ୍ୱର ପରିଡ଼ା, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଅତନୁ ସବ୍ୟସାଚୀ ନାୟଙ୍କ ସମେତ ତାଙ୍କର ହଜାର ହଜାର ଅନୁଗାମୀ ଅଶ୍ରୁଳ ଶ୍ରଦ୍ଧାଂଜଳି ଦେଇଛନ୍ତି।

ସ୍ୱର୍ଗତ ଅଗ୍ରଓ୍ଵାଲଙ୍କ ପାର୍ଥିବ ଶରୀର ପୁରୁଣା ବସ୍‌ଷ୍ଟାଣ୍ଡରେ ପହଂଚିବା ପରେ ପାଟକୁରା ଆସନରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଦେଇଛନ୍ତି।

ଚାନ୍ଦୋଳ, ଡେରାବୀଶ, ଛତା, ତିନିମାଣିରେ ପରିକ୍ରମା କରିବା ପରେ ସ୍ୱର୍ଗତ ଅଗ୍ରଓ୍ଵାଲଙ୍କ ପାର୍ଥିବ ଶରୀର ନୟନ ବିହାରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ହଜାର ହଜାର ଲୋକ ଅଗ୍ରଓ୍ଵାଲଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେନ୍ଦ୍ରାପଡ଼ାରେ ମରଶରୀରକୁ ପୁରୁଣା ବସ୍‌ଷ୍ଟାଣ୍ଡ ନିଆଯିବା ପରେ ପାଟକୁରା, ଗରଦପୁର, କରିଲୋପାଟଣା ଦେଇ ପୁରୀ ଅଭିମୁଖେ ବାହାରିବ। ଆଜି ରାତି ସୁଦ୍ଧା ବିଧାୟକ ବେଦ ପ୍ରକାଶଙ୍କ ପାର୍ଥିବ ଶରୀର ସ୍ୱର୍ଗଦ୍ୱାରରେ ପହଂଚିବ ବୋଲି ଅନୁମାନ କରାଯାଉଛି। ସ୍ୱର୍ଗତ ଅଗ୍ରଓ୍ଵାଲଙ୍କ ପୁଅ ସଂଜୟ ଅଗ୍ରଓ୍ଵାଲ ମୁଖାଗ୍ନି ଦେବେ।

ଭୋର ସମୟରେ ଆଜି ପରଲୋକ ଘଟିଥିଲା। ଗତକିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେଯ ତାଙ୍କୁ ୮୨ ବର୍ଷ ହୋଇଥିଲା।

ବେଦ ପ୍ରକାଶ ଅଗ୍ରୱାଲ ମାତ୍ର ୨୦ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ପ୍ରଥମେ କେନ୍ଦ୍ରାପଡ଼ା ପୌର ପରିଷଦର କାଉନସିଲର୍‌ ଭାବେ ନିର୍ବାଚିତ ହୋଇଥିଲେ। ତାପରେ ମାତ୍ର ୩୩ ବର୍ଷ ବୟସରେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ। ବେଦପ୍ରକାଶ ପ୍ରଥମେ ୧୯୭୪ ମସିହାରେ ଉତ୍କଳ କଂଗ୍ରେସ ଟିକେଟ୍ରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ଜନତା ପାର୍ଟି ଟିକେଟେରେ ସେ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ସେ ଜନତା ଦଳରୁ ଏହି ଆସନରେ ବିଜୟୀ ହୋଇଥିଲେ।

ଜନନାୟକ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିବା ବେଦ ପ୍ରକାଶ ଅଗ୍ରୱାଲ ପରେ ବିଜେପିରେ ଯୋଗ ଦେଇଥିଲେ। ବର୍ଷ ୨୦୦୦ ମସିହାରେ ସେ ବିଜେପି ଟିକେଟ୍ରେ କେନ୍ଦ୍ରାପଡ଼ାରୁ ବିଧାନସଭାକୁ ର୍ନିବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ବେଦ ପ୍ରକାଶ ଅଗ୍ରୱାଲ ରାଜ୍ୟ ସରକାରରେ ବିଭିନ୍ନ ସମୟରେ ଅର୍ଥ, ଖାଦ୍ୟ ଯୋଗାଣ ଏବଂ ଖାଉଟି ବ୍ୟାପାର, ବାଣିଜ୍ୟ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ଓ ପରିବହନ ଆଦି ବିଭାଗର ମନ୍ତ୍ରୀ ଥିଲେ।

ସେ କେନ୍ଦ୍ରାପଡ଼ାରୁ ୪ଥର ବିଧାୟକ ବି ହୋଇଥିଲେ। ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ସେ ଚଳିତ ଥର ବି ପାଟକୁରା ବିଧାନସଭାଲାଗି ବିଜେଡି ଟିକେଟରେ ନିର୍ବାଚନ ଲଢୁଥିଲେ। ଏଠାରୁ ବିଜେପିର ପ୍ରାର୍ଥୀଭାବେ ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ଲୁଥିଲେ।

ସମ୍ବନ୍ଧିତ ଖବର