ବୁଢ଼ାପାଳ ସରପଞ୍ଚଙ୍କ ମନମାନି ଅଭିଯୋଗ ଅଫିସ୍‌ରେ ତାଲା ଦେଇ ଗାଁକୁ ପଳାଇଲେ

ରିଆମାଳ: ରିଆମାଳ ବ୍ଲକ ବୁଢାପାଳ ପଞ୍ଚାୟତର ସରପଞ୍ଚ ମନମାନି କାରବାର ଚଳାଇଥିବା ନେଇ ଅଭିଯେଗା ଆଣିଛନ୍ତି ଉକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ। କିଛି ଦିନ ତଳେ ଏକ କାମର ବିଲ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। କାମ ନ କରି ଓ ଅଧିକ ବିଲ୍‌ କରି ଚେକ୍‌ରେ ଦସ୍ତଖତ କରିବାକୁ ତାଙ୍କ ଉପରେ ସରପଞ୍ଚ ପଲ୍ଲୀଶ୍ରୀ ବେହେରା ଚାପ ପକାଉଥିବାରୁ ଉକ୍ତ ଝଗଡ଼ା ହୋଇଥିଲା ବୋଲି ପିଇଓ କହିଛନ୍ତି। ବୁଧବାର ମଧ୍ୟ ଉକ୍ତ ଘଟଣାକୁ ନେଇ ପୁଣି ଥରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବା ସହ ସରପଞ୍ଚ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇ ଦେଇ ତାଙ୍କ ବାପ ଘର ଅନୁଗୁଳ ଜିଲ୍ଲା ବ୍ରାହ୍ମଣବିଲକୁ ଚାଲି ଯାଇଥିଲେ।

ଫଳରେ ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସହ ଚାଉଳ ଓ ଗହମ ବିତରଣ ବାଧାପ୍ରାପ୍ତ ହୋଇଥିବା ପିଇଓ ଅଭିଯୋଗରେ କହିଛନ୍ତି। ତେଣେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ସରପଞ୍ଚ କିଛି ଦିନ ହେବ ନିଜ ଘର ଷେଣ୍ଢାରେ ନ ରହି ବାପ ଘର ବ୍ରାହ୍ମଣବିଲରେ ରହି ପଞ୍ଚାୟତ ଅଫିସ୍‌ କାର୍ଯ୍ୟ ପରିଚାଳନା କରୁଛନ୍ତି। ଫଳରେ ପାନୀୟ ଜଳ ଯୋଗାଣ, ଭତ୍ତା, ଗହମ ଓ ଚାଉଳ ବଣ୍ଟନ ତଥା ଅନ୍ୟ ଉନ୍ନୟନମୂଳକ କାମ ସବୁ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏପରିକି ବହୁ ସମୟରେ ତାଙ୍କ ମନୋମୁଖୀ ଯୋଗୁଁ ହଇରାଣ ହେବାକୁ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସେମାନେ ବିଡିଓ ଶିବ ଟପୋଙ୍କୁ ଅବଗତ ଅବଗତ କରିଥିବା କହିଥିଲେ। ଏ ନେଇ ଶ୍ରୀ ଟପୋଙ୍କୁ ପଚାରିବାରେ ଘଟଣା ସଂପର୍କରେ ସେ ଖବର ପାଇଥିବା ବେଳେ ସରପଞ୍ଚ ବହୁ ସମୟରେ ଏଭଳି ମନମାନି କରୁଥିବା ଖବର ପାଇଛନ୍ତି। ଗୁରୁବାର ସରପଞ୍ଚ ଓ ପିଇଓଙ୍କୁ ବ୍ଲକ୍‌ ଅଫିସ୍‌କୁ ଡକାଯାଇଛି। ସେମାନେ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର