ମଦ ପିଆକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଘଟଣା:୫ ଦିନ ପରେ ଅଭିଯୁକ୍ତର ଆତ୍ମସମର୍ପଣ

ଦେବଗଡ: ମଦ ପିଆକୁ କେନ୍ଦ୍ର କରି ଦେବଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡେଇମରା ଗାଁରେ ଘଟିଥିବା ଯୁବକଙ୍କୁ ହତ୍ୟା ଘଟଣାର ୫ ଦିନ ପରେ ରବିବାର ଫେରାର୍‌ ଅଭିଯୁକ୍ତ ଅଜିତ ମୁଣ୍ଡା ତାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଗତ ୩ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା।
ସୂଚନାନୁସାରେ, ଗତ ୩ ତାରିଖ ଦିନ ଗୁଣ୍ଡେଇମରା ଗାଁର କୁମୁଦ ମୁଣ୍ଡାଙ୍କ ପୁଅ ରଞ୍ଜିତ ମୁଣ୍ଡା (୩୫) ସନାତନ ମୁଣ୍ଡା ଓ ଅଜିତ ମୁଣ୍ଡାଙ୍କ ସହ ଗାଁରେ ଥିବା କୁଚିଆ ଭାଟିକୁ ମଦ ପିଇବାକୁ ଯାଇଥିଲେ। ତିନି ଜଣ ଯାକ ନିଶାସକ୍ତ ଅବସ୍ଥାରେ ରଞ୍ଜିତ ଘରେ ପହଞ୍ଚିବା ପରେ ଅଧିକ ମଦ ପିଇବାକୁ ରଞ୍ଜିତ ପତ୍ନୀ ସୁମିତ୍ରାଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସୁମିତ୍ରା ଟଙ୍କା ନ ଥିବା କହିବାରୁ ଉତ୍‌କ୍ଷିପ୍ତ ହୋଇ ରଞ୍ଜିତ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଫଳରେ ସେ ଭୟଭୀତ ହୋଇ ଜୀବନ ବିକଳରେ ତିନି ଝିଅଙ୍କ ସହ ପୁଅ ସୁମନ୍ତକୁ ଧରି ଘରୁ ପଳାଇଥିଲେ। ପ୍ରାୟ ଘଣ୍ଟେ ପରେ ସ୍ୱାମୀଙ୍କ ରାଗ ଶାନ୍ତ ହୋଇଥିବା ଭାବି ଫେରିବାରେ ଘର ପଛ ବାଡ଼ି ପଟେ ଏକ ଗଛ ମୂଳେ ରଞ୍ଜିତଙ୍କ କ୍ଷତାକ୍ତ ଶବ ପନିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀଙ୍କୁ ଜଣାଇବାପରେ ସେମାନେ ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ତେବେ ସନାତନ ଓ ଅଜିତ ମିଶି ତାଙ୍କ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ସୁମିତ୍ରା ଥାନାରେ ଏତଲା ଦେଇଥିଲେ। ଫଳରେ ପୁଲିସ୍‌ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ସନାତନକୁ ଥାନାକୁ ଆଣି ପଚରା ଉଚରା କରିଥିବା ବେଳେ ଅଜିତ ଫେରାର୍‌ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରି ବି ପୁଲିସ୍‌ ତାକୁ ଗିରଫ କରିପାରି ନଥିବା ବେଳେ ୫ ଦିନ ପରେ ରବିବାର ସେ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା। ପୁଲିସ୍‌ ତାକୁ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର