ପାଣିଘେରରେ ଜଗତସିଂହପୁର ସହର

ଜଗତସିଂହପୁର ଟାଉନ୍‌: ଦୁଇଦିନର ଲଗାଣ ବର୍ଷା ସମଗ୍ର ଜଗତସିଂହପୁର ଜିଲ୍ଲାକୁ ଜଳମଗ୍ନ କରିଛି। ଜଗତସିଂହପୁର ସହରରେ ୧୯୫ ମିମି ବର୍ଷା ହୋଇଥିବା ବେଳେ ତଳିଆ ଅଞ୍ଚଳର ପ୍ରାୟ ୮ ଶହ ପରିବାର ଦୁର୍ଦ୍ଦଶା ଭୋଗୁଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ପାଣି ଜମି ରହିଛି। ସହରର ତିନି ମୁଖ୍ୟ ଡ୍ରେନ୍‌ ସଫା ନକରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ପୌରାଞ୍ଚଳ ୨୦ ନମ୍ବର ୱାର୍ଡରେ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଇଣ୍ଡିଆନ୍‌ ବ୍ୟାଙ୍କ ନିକଟ, ଧୋବାସାହି, ସୁବର୍ଣ୍ଣବରାହୀ ମନ୍ଦିର ପରିସର, ଚୌଧୁରୀ କଲୋନି, ମାଦ୍ରାହାଟ, ବାଲିପାଟଣା, ଖୋର୍ଦ୍ଧା ସାହିରେ ପାଣି ଜମିଛି। ସନ୍ଧ୍ୟାରେ ଜେସିବି ଲଗାଇ ଅବରୋଧ ହଟାଯିବା ପରେ ପାଣି କମିଛି। ଅବରୋଧ ଯୋଗୁଁ ଏପରି ଘଟିଛି ବୋଲି ପାରିଷଦ ନରେନ୍ଦ୍ର ପରିଡ଼ା କହିଛନ୍ତି। ସେହିପରିି ୨୧ ନମ୍ବର ଓ୍ଵାଡର ସିପି ଗ୍ରାମ, ସୁବର୍ଣ୍ଣବରାହୀ ମନ୍ଦିର ପାଣିରେ ବୁଡ଼ିଛି। ୧୯ ନମ୍ବରରେ ମକୁନ୍ଦପୁର ଜେନା ସାହି, ମିଶ୍ର ସାହି, ପଣ୍ଡାସାହି ଓ ମଙ୍ଗଳା ମନ୍ଦିରରେ ପାଣି ପଶିଛି। ସୁକାନ୍ତୀ ଲେଙ୍କାଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି।

ହାଟ ବଜାର ବ୍ଲକ୍‌ ଅଫିସ୍‌ ପଛପାଖ ବଙ୍ଗାଳି ସାହି, ବ୍ଲକ୍‌ କଲୋନି ସମେତ ବ୍ଲକ୍‌ ଚେୟାରମ୍ୟାନ୍‌ଙ୍କ ଘରେ ମଧ୍ୟ ପାଣି ପଶିଛି। ୧୭ ନମ୍ବର ୱାର୍ଡର ଦେଉଳୀ ଗ୍ରାମେଶ୍ୱର ମୁସଲମାନ ସାହି ଓ ହରିଜନପଡ଼ାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ୬ ନମ୍ବର ୱାର୍ଡର ମରିଚାପଦା, ହରିଜନ ସାହି, ମୁସଲିମ୍‌ ସାହିରେ ଦିନତମାମ୍‌ ଅଣ୍ଟାଏ ଉଚ୍ଚର ପାଣି ରହିଛି। ସୁଜଙ୍ଗ ମାଧପୁରରୁ ବାହାରିଥିବା ମାଧପୁର ଡ୍ରେନଜ୍‌ କଟ୍‌ ସଫା ହୋଇନଥିବାରୁ ଏହି ଅଞ୍ଚଳ ପାଣି ବୁଡ଼ୁଛି ବୋଲି ପାରିଷଦ ଦୋଳଗୋବିନ୍ଦ ଦାସ କହିଛନ୍ତି। ଗାନ୍ଧୀଛକ ଗହୀରରେ ୭୦ ଏକର ଜମିରେ ଧାନ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ସେହିପରି ୨ ନମ୍ବର ୱାର୍ଡରେ ମଧ୍ୟ ପାଣି ପଶିଛି। ପୌର ପରିଷଦର କର୍ମଚାରୀମାନେ ଦେଉଳି ଗ୍ରାମେଶ୍ୱର, ୨୦ ନମ୍ବର ୱାର୍ଡ ଓ ୬ ନମ୍ବର ୱାର୍ଡରେ ମଟର ଲଗାଇ ଜଳ ନିଷ୍କାସନ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର