ବରୀରେ ବିଜେଡିର ଗୁଣ୍ଡାଗର୍ଦି : ଯୁବକଙ୍କୁ ଖଣ୍ଡାରେ ହାଣିଲେ

ତଳକାଇପଡ଼ାରେ ବୋମା ବର୍ଷା, ୧୧ ବୋମା ଜବତ, ଜଣେ ଗିରଫ

ବରୀ : ବରୀରେ ଶାସକ ବିଜେଡିର ଗୁଣ୍ଡାଗର୍ଦି। ଆଜି ଶାସକ ଦଳର କେତେକ ସମର୍ଥକ ଜଣେ ବିଜେପି ସମର୍ଥିତ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ତଳକାଇପଡ଼ାରେ ଘନ ଘନ ବୋମା ମାଡ଼ କରିଛନ୍ତି। ଯୁବକଙ୍କ ଉଭୟ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପଟେ ରାତିରେ ପୁଲିସ ଚଢ଼ଉ କରି ତଳ କାଇପଡ଼ାର ଆନନ୍ଦ ଓଝାଙ୍କ ଘରୁ ୧୧ଟି ଜୀବନ୍ତ ବୋମା ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରି ଥାନାକୁ ନେଇଛି।

ମିଳିଥିବା ସୂଚନା ଅନୁସାରେ ଚାରିଆଡେ ପୂଜା ମାହୋଲ ଚାଲିଥିବା ବେଳେ ବରୀର ବିଭିନ୍ନ ଗ୍ରାମରେ ମା’ ଜଗଜ୍ଜନନୀ ଦୁର୍ଗାଙ୍କ ପୂଜା ଆରାଧନା ଚାଲିଛି। ମହାଷ୍ଟମୀ ସଂଧ୍ୟାରେ ବିଜେପି ଯୁବନେତା ବିଶ୍ୱରଂଜନ ମଲ୍ଲିକ କେତେକ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ।ା ଏହା ବ୍ୟତୀତ କଳାମାଟିଆର କଂଗ୍ରେସ ନେତା ଗିରୀଶ ରାୟଙ୍କର ପୁଅଙ୍କ ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଈଶ୍ୱର ଦାସଙ୍କ ପୁଅ ଭିକାରୀ ଦାସ(୩୧) ଯୁବ ନେତା ବିଶ୍ୱରଂଜନଙ୍କୁ ଦେଖା କରି ଚାଲି ଚାଲି ଘରକୁ ଫେରୁଥିବା ବେଳେ ସଂଧ୍ୟା ପ୍ରାୟ ୭ଟା ବେଳେ ମହାଦେବ ଛକ ନିକଟରେ କେତେକ ଶାସକ ଦଳର ସମର୍ଥକ ତାଙ୍କୁ ଖଣ୍ଡା ଓ ଫାର୍ସାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଭିକାରୀଙ୍କ ଉଭୟ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବାମ ହାତର କହୁଣୀ ଛିଡ଼ି ଯାଇଥିବା ବେଳେ ଡାହାଣ ହାତର ପାପୁଲିରେ କ୍ଷତ ହୋଇଛି। ପୂର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କ ନେତୃତ୍ଵରେ ଶାସକ ଦଳର କେତେକ ସମର୍ଥକ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଆକ୍ରମଣ ପରେ ଗାଁର ବିଭିନ୍ନ ସ୍ଥାନରେ ୫ରୁ ଅଧିକ ବୋମାମାଡ଼ କରାଯାଇଛି। ବୋମା ମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

ହଣା ଖାଇବା ପରେ ଭିକାରୀ ପ୍ରାଣ ବିକଳରେ ଚିତ୍କାର କରି ଗାଁ ଦାଣ୍ଡରେ ଦୌଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ଲୋକେ ରୁଣ୍ଡ ହୋଇଯିବାରୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି। ଖବର ପାଇ ବରୀ ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଳାଘନା ଚଳାଇଛି। ତେବେ ଖବର ଲୋଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ମାତ୍ର ତଳକାଇପଡ଼ାରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ଡିଏସ୍‌ପି ବିବି ବେହେରା ପହଞ୍ଚିଛନ୍ତି। ବରୀ ଥାନାର ସେକେଣ୍ଡ ଅଫିସର ପବିତ୍ର ମହାରଣା ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର