ଚିକିତ୍ସା ଅବହେଳାରୁ ଜିଲ୍ଲା ହସ୍ପିଟାଲରେ ଶିଶୁମୃତ୍ୟୁ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଜଣେ ପ୍ରସୂତୀଙ୍କ ଠାରୁ ଏକ ମୃତ ଶିଶୁପୁତ୍ର ଜନ୍ମ ନେଇଛି। ଦାୟିତ୍ୱରେ ଥିବା ଡାକ୍ତରମାନଙ୍କର ଉପଯୁକ୍ତ ଚିକିତ୍ସା ଅଭାବରୁ ଏପରି ଘଟିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲାର ସଦର ଥାନା ପରିଖି ଅନ୍ତର୍ଗତ ଗୋକୁଳପୁର ଗ୍ରାମର ନିତାୟ ଗିରିଙ୍କ ପୁଅ ହରେକୃଷ୍ଣ ତାଙ୍କ ପତ୍ନୀ ସୁମନଙ୍କର ପ୍ରସବଜନିତ ଯନ୍ତ୍ରଣା ଯୋଗୁ ଶନିବାର ସନ୍ଧ୍ୟା ସାଢ଼େ ୭ଟା  ବେଳେ ଜିଲ୍ଲା ମୁଖ୍ୟ ହସ୍ପିଟାଲର ଏମସିଏଚ ବିଭାଗରେ ଭର୍ତ୍ତି କରିଥିଲେ । ସୁମନ ଯନ୍ତ୍ରଣା ଅନୁଭବ କରୁଥିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଯାଇ ଡାକିଥିଲେ। ବାରମ୍ବାର ଡାକିବା ପରେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଡା ସାଗର ମହାପାତ୍ର ଆସି ଚିକିତ୍ସା କରିବା ସହ ନର୍ମାଲ ଡେଲିଭରି ହେବ କିଛି ଚିନ୍ତା କରିବା ଦରକାର ନାହିଁ ବୋଲି କହିଥିଲେ।

ପରେ ରାତି ସାରା ସେ ଛଟପଟ ହୋଇଥିଲେ ହେଲେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଯେତେ ଡାକିଥିଲେ ବି କେହି ଶୁଣି ନଥିଲେ। ତେବେ ଆଜି ସକାଳେ ଡା ସୁଜିତ ବରାଳ ଆସି ସମ୍ପୃକ୍ତ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  କରିବା ପରେ ପେଟରେ ପିଲାଟି ମଳ ଖାଇଦେଇଥିବା କହିଥିଲେ।ପରେ ଘଣ୍ଟାଏ ପରେ ଆସି ପିଲାଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ

ତେଣୁ ଆବଶ୍ୟକ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇ ନଥିବାରୁ ଏପରି ଘଟିଥିବା ପ୍ରସୂତୀଙ୍କ ସ୍ୱାମୀ ହରେକୃଷ୍ଣ ଅଭିଯୋଗ କରିଛନ୍ତି। ଏନେଇ ସେ ହସ୍ପିଟାଲ ଫାଣ୍ଡି ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସିଡିଏମଓ କିମ୍ବା ମେଡିକାଲ କଲେଜ ସୁପରିନଟେଣ୍ଡେଟଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର