ତୁମୁଡିବନ୍ଧ: କନ୍ଧମାଳ ଜିଲାରୁ କାଳିଆ ଯୋଜନାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଯାଇଥିବା ନିଖୋଜ ଚାଷୀର ମୃତଦେହ ମିଳିଛି। ଚାଷୀ ନିଖୋଜର ୨୦ ଦିନ ପରେ ମୃତଦେହ ଉଦ୍ଧାର ହେବା ପରେ ପ୍ରଶାସନର ଖାମଖିଆଲି ମନଭାବ ପଦାରେ ପଡ଼ିଛି। ଚାଷୀ ନିଖୋଜ ସମ୍ପର୍କିତ ଖବର ପ୍ରଥମେ ‘ସମ୍ବାଦ’ରେ ଗତ ୨୯ରେ ପ୍ରକାଶ ପାଇ ଥିଲା ଏ ନେଇ ସ୍ଥାନୀୟ ବିଡ଼ିଓ ଜୟଦେବ ଦାଶ ଓ କୃଷି ଅଧିକାରୀ ଜ୍ୟୋତି ମିଶ୍ରଙ୍କୁ ଚାଷୀ ନିଖୋଜ ସମ୍ପର୍କରେ ପଚାରିବାରୁ ସତେ ଯେମିତି ତାଙ୍କ କାମ ସରିଯାଇଛି ସେଭଳି ଖାମଖିଆଲି ଉତ୍ତର ଦେଇ ଥିଲେ ଓ ପରିବାରକୁ ମଧ୍ୟ ଆଶ୍ୱାସନା ଦେଇ ନଥିଲେ। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ୩୧ ତାରିଖରେ ବେଲଘର ଥାନାରେ ଏକ ନିଖୋଜ ସଂପର୍କୀତ ଏତଲା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ମିଳିବା ପରେ ପୁଲିସ ଅଧିକାରୀ ଦଶରଥ ହେମ୍ବ୍ରମ ଭଞ୍ଜନଗର ଓ ତାରସିଂ ଥାନା ଅଂଚଳରେ ବୁଲା ବୁଲି କରୁଥିବା ଖବର ପାଇ ସେଠାକୁ ଯାଇ ନିରାଶ ହୋଇ ଫେରିଥିଲେ। ଗତ ଜାନୁଆରୀ ୨୪ରେ ଚାଷୀ ନିଖୋଜ ହେବା ପରେ ସେହି ଦିନ ଠାରୁ ପରିବାରରେ କାନ୍ଦ ବୋବାଳି ଚାଲିବା ସହ ଚୁଲି ଜଳୁ ନଥିଲା। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ତାରସିଂ ଥାନା ବ୍ରାହ୍ମଣପଦର ପଞ୍ଚାୟତ ଅନ୍ତର୍ଗତ ସୋଲବଡ଼ିଆ ଜଙ୍ଗଲ ରାସ୍ତାରେ ଥିବା ପରିତ୍ୟକ୍ତ ପୋଖରୀରୁ ଶୁକ୍ରବାର ଏକ ମୃତଦେହ ଠାବ ହୋଇଥିଲା। ସେହି ମୃତଦେହ ଆଜି ଲିଙ୍ଗରାଜର ବୋଲି ଜଣା ପଡିଛି। ପରିବାର ଲୋକ ଭଞ୍ଜନଗର ଯାଇ ମୃତଦେହକୁ ଦେଖିବା ପରେ ବହୁ ବିଳମ୍ବରେ ଚିହ୍ନି ପାରିଥିଲେ।
ବିଡ଼ିଓ ଓ କୃଷି ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଉ: ନେତ୍ର ମାନସେଠ
ନିଖୋଜ ଚାଷୀ ମୃତ୍ୟୁ ପାଇଁ ସ୍ଥାନୀୟ ବିଡ଼ିଓ ଓ ସହ କୃଷି ଅଧିକାରୀ ଦାୟୀ। ଏଣୁ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯିବା ସହ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ। ସେ କହିଛନ୍ତି, ଚାଷୀଙ୍କୁ ଘରୁ ଡାକି ନେଲେ, ନିଖୋଜ ପରେ ମଧ୍ୟ ପ୍ରଶାସନ ତତ୍ପର ହୋଇ ନଥିଲା। ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ବିଜେପି ଚାଷୀଙ୍କ ପରିବାରର ନ୍ୟାୟ ପାଇଁ ଲଢେଇ ଜାରି ରଖିବ ଓ ରାଜରାସ୍ତାକୁ ଓଲାଇବ।