କନ୍ଧମାଳରେ ‘ଉଡ଼ା ଚଢ଼େଇ’ ବନାମ୍ ‘ଭୂମିପୁତ୍ର’ ଲଢ଼େଇ? କାହା ପଲ୍ଲା ଭାରୀ

ଭୁବନେଶ୍ୱର (ସୁବ୍ରତ ଦାସ) : କନ୍ଧମାଳ ଲୋକସଭା ଆସନ ଆଉ ଦିନକ ପରେ ନିର୍ବାଚନକୁ ଯିବ। ସେଥିପାଇଁ ଏହି ଅଞ୍ଚଳରେ ରାଜନୈତିକ ବାତାବରଣ ଖୁବ୍‌ ଉଷ୍ଣ ହୋଇପଡିଛି।

ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ବିଶିଷ୍ଟ ସମାଜସେବୀ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ। ତାଙ୍କ ବିପକ୍ଷରେ ଲଢୁଛନ୍ତି ଚାରି ଚାରିଥର ସାଂସଦ ହୋଇଥିବା ଐର ଖାରବେଳ ସ୍ୱାଇଁ। ଏକ ଜଣାଶୁଣା ମୁହଁ ଶ୍ରୀ ସ୍ୱାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଲଢୁଛନ୍ତି। ଅନ୍ୟପକ୍ଷରେ ବାଲିଗୁଡ଼ା ଏନ୍‌ଏସିର କାଉନସିଲର୍‌ ମନୋଜ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି। ‘‘ମୁଁ କନ୍ଧମାଳ ମାଟିର ପୁଅ ହୋଇଥିବା ବେଳେ ଅନ୍ୟ ଦୁଇଜଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବାହାରର ଲୋକ। ତେଣୁ ଲୋକ ମୋତେ ଭୋଟ ଦେଇ ବିଜୟୀ କରାଇବେ’’ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି।

 

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ତିନୋଟି ଜିଲ୍ଲା(କନ୍ଧମାଳ,ଗଂଜାମ ଓ ନୟାଗଡ଼)କୁ ନେଇ ଗଠିତ। ତେଣୁ ଏହି ତିନୋଟି ଜିଲ୍ଲାରେ ଏକ ଜଣାଶୁଣା ନାଁ ଆବଶ୍ୟକ ବୋଲି ବିଜୁ ଜନତା ଦଳର ସମର୍ଥକମାନେ କୁହନ୍ତି। ଏହ କାରଣରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପ୍ରଚାର ଓ ଜନସଂପର୍କ ଯାତ୍ରାରେ ଡ.ସାମନ୍ତ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆଗୁଆ ବୋଲି ସୂଚନା ମିଳିଛି।

‘‘ନବୀନ ସରକାରର ଲୋକକଲ୍ୟାଣମୂଳକ କାର୍ଯ୍ୟ,ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଡକ୍ଟର ସାମନ୍ତଙ୍କ ଆଦିବାସୀ କଲ୍ୟାଣମୂଳକ କାର୍ଯ୍ୟ ପାଇଁ କନ୍ଧମାଳ ଳୋକସଭା ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବେ’’ ବୋଲି ବିଜେଡି ସମର୍ଥକ ପ୍ରକାଶ କରିଛନ୍ତି। ଡକ୍ଟର ସାମନ୍ତ ତାଙ୍କର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇସେନ୍ସ(କିସ୍‌)ରେ ୨୫ ହଜାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ରଖି ପାଠ ପଢାଉଛନ୍ତି ବୋଲି ସେମାନେ କୁହନ୍ତି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁ ଆଶାବାଦୀ ଯେ ସେ ଏଥର କନ୍ଧମାଳରୁ ବିଜୟୀ ହେବେ। ‘‘ମୁଁ ପ୍ରଥମେ ଚାହୁଁଥିଲି ବାଲେଶ୍ୱରରୁ ଲଢିବି। ପ୍ରଥମେ ଭାବୁଥିଲି ମୁଁ ବାହାରର ଲୋକ,ତେଣୁ ଏଠାକାର ଲୋକଙ୍କର ସମର୍ଥନ ପାଇବି କି ନାହିଁ? କିନ୍ତୁ ଏବେ ଦେଖୁଛି ଲୋକେ ମଧ୍ୟ ବେଶ୍‌ ସମର୍ଥନ ଦେଉଛନ୍ତି ଏବଂ ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି।’’ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସଂଘ ପରିବାରର ବିଭିନ୍ନ ଅନୁଷ୍ଠାନ ଏଠାରେ ଆଦିବାସୀମାନଙ୍କ ବିକାଶ ପାଇଁ ନାନା ଲୋକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା ନିରନ୍ତର କରିଆସୁଛନ୍ତି। ଏଠି ବିଜେପି କହିଲେ ସଂଘ ପରିବାରକୁ ବୁଝାଏ’’ ବୋଲି ସେ କହନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀର୍ ମନୋଜ ଆଚାର୍ଯ୍ୟ ସେ ନିର୍ବାଚନରେ ବିଜୟୀ ହେବେ ବୋଲି ଦାବି କରନ୍ତି । ‘‘ମୁଁ ଏଠାକାର ସ୍ଥାନୀୟ ପ୍ରାର୍ଥୀ। ଅନ୍ୟଦୁଇ ଜଣ ଉଡ଼ା ଚଢେଇ। ନିର୍ବାଚନ ପରେ ସେମାନେ ଏଠାକାର ସମସ୍ୟା ଭୁଲିଯିବେ। କିନ୍ତୁ ମୁଁ ସ୍ଥାନୀୟ ଅଧିବାସୀଙ୍କ ସମସ୍ୟାର ସମାଧାନ ପାଇଁ ସାରା ଜୀବନ ଲାଗି ରହିବି’’ ବୋଲି କହନ୍ତି ଶ୍ରୀ ଆଚାର୍ଯ୍ୟ।

ସମ୍ବନ୍ଧିତ ଖବର