ଦ୍ୱିପ୍ରହରରେ ସୁନା ଚେନ ଲୁଟ୍‌

ଡେରାବିଶ:ଡେରାବିଶ ଥାନା ୫(କ) ଜାତୀୟ ରାଜପଥର ଛତା ଛକ ନିକଟ ନିଛାଟିଆ ସ୍ଥାନରୁ ଆଦି ଦିନ ଦ୍ୱିପହରରେ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଜଣେ ଅଧ୍ୟାପିକାଙ୍କ ସୁନା ଚେନ୍‌ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଅଧ୍ୟାପିକା ସୁଶ୍ରୀ ସଙ୍ଗିତା ଜେନା ଆଜି ସକାଳ ୧୦ଟାରେ ଜଣେ ପୁରୁଷ ସହକର୍ମୀଙ୍କ ସାଙ୍ଗରେ ବାଇକ ଯୋଗେ କେନ୍ଦ୍ରାପଡାସ୍ଥିତ ଘରୁ ନିଜ କର୍ମସ୍ଥାନ ଯାଜପୁର ଜିଲ୍ଲା ବାଲିଆ ସାମନ୍ତସିଂହାର କଲେଜକୁ ଯାଉଥିଲେ। ଜାତୀୟ ରାଜପଥର ଛତା ଛକ ନକଟ ନିର୍ଜନ ସ୍ଥାନରେ କଳା ପଲସରରେ କେନ୍ଦ୍ରାପଡା ପଟରୁ ଅଧ୍ୟାପିକାଙ୍କୁ ଅନୁସରଣ କରି ଆସୁଥିବା ତିନି ଜଣ ଦୁର୍ବୁତ୍ତ ହଠାତ ସେମାନଙ୍କ ବାଇକକୁ ଅଟକାଇ ଦେଇଥିଲେ। ପଲସର ପଛରେ ବସିଥିବା ଦୁର୍ବୃତ୍ତ ଜଣକ ପକେଟରୁ ଛୁରି ବାହାର କରି ସେମାନଙ୍କୁ ଡରାଇବା ସହିତ ସହକର୍ମୀଙ୍କୁ ଧକ୍କା ମାରି ରାଜପଥ ତଳକୁ ପକାଇ ଦେଇଥିଲା। ଏହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ଅଧ୍ୟାପିକା ଶ୍ରୀମତି ଜେନାଙ୍କ ସୁନା ଚେନ ଝାମ୍ପି ନେଇଥିଲା। ଏହି ସମୟରେ ସମ୍ମୁଖରେ ଦୁଇଟି ଗାଡି ଆସୁଥିବା ଦେଖି ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଚଣ୍ଡିଖୋଲ ଆଡ଼କୁ ପଳାଇ ଯାଇଥିଲେ। ଅଧ୍ୟପିକା ଏ ନେଇ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ସୁଧିର କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର