ଭଙ୍ଗାଗଲା ୨୫ରୁ ଅଧିକ ଦୋକାନ :ବିନା ନୋଟିସରେ ଉଚ୍ଛେଦକୁ ନେଇ ଉତ୍ତେଜନା

ଡେରାବିଶ:  ପ୍ରଶାସନ ପକ୍ଷରୁ ୫(କ) ଜାତୀୟ ରାଜପଥର ଛତା ଓ ଓଲଢି ଛକରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୫ରୁ ଉର୍ଦ୍ଧ୍ୱ ଦୋକାନ ଘର ଉଚ୍ଛେଦ କରାଯାଇଛି। ପୂର୍ବରୁ କେବଳ ୧୦ଜଣ ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦର ନୋଟିସ ଦିଆଯାଇଥିବା ବେଳେ ଛତା ଛକରେ ଥିବା ସମସ୍ତ ଦୋକାନକୁ ଭାଙ୍ଗି ଦିଆଯାଇଥିଲା। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣାରୁ ପ୍ରକାଶ ଯେ, ଡେରାବିଶ ତହସିଲ ପ୍ରଶାନ ପକ୍ଷରୁ ଗତ ମାସ ୨୫ ତାରିଖରୁ ସରକାରୀ ଜାମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଡେରାବିଶ ବ୍ଲକ ଅଧିନ ଜାତୀୟ ରାଜପଥର ଛତା ଛକ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୯ଜଣ ଦୋକାନୀ ଓ ଓଲଢି ଛକର ଜଣେ ଦୋକାନୀଙ୍କୁ ଗତମାସ ୨୩ ତାରିଖରେ ତହସିଲ ପ୍ରଶାସନ ପକ୍ଷରୁ ନୋଟିସ କରାଯାଇଥିଲା।

ଏହି ଆଧାରରେ  ଦିନ ୧୦ଟାରେ ଉପ-ଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ଡେରାବିଶ ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଡି ଶତପଥୀ, ଚାଟରାଚକଡା ରଜସ୍ୱ ସର୍କଲ ଆରଆଇ ମୋନାଲିସା ବେହେରା ଓ ଡେରାବିଶ ଥାନାଧିକାରୀ ସୁଧିର କୁମାର ସାହୁ ଓ ଏଏସଆଇ ଭାଗବତ ମହାଳୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଛତା ଛକରେ ପହଞ୍ଚି ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଦୋକାନଗୁଡିକୁ ଡ୍ରୋଜର ଲଗାଇ ଉଚ୍ଛେଦ କରିଥିଲେ। ତେବେ ନୋଟିସ୍‌ ଦିଆଯାଇ ନ ଥିବା ଦୋକାନ ଉଚ୍ଛେଦ କରାଯିବାରେୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉପଜିଲ୍ଲାପାଳ ଶ୍ରି ମିଶ୍ର ଓ ଅତିରିକ୍ତ ତହସିଲଦାର ଶ୍ରୀମତୀ ଶତପଥୀ ବ୍ୟବସାୟୀଙ୍କୁ ବୁଝାସୁଝା କରିଥିଲେ।

ସେହିପରି ଓଲଢି ଛକରେ ଥିବା ସରକାରୀ ଜାଗାକୁ ଜବରଦଖଲ ଉଚ୍ଛେଦ କରାଯାଇଛି। କୈାଣସି ବିକଳ୍ପ ବ୍ୟବସ୍ଥା ନ କରାଯାଇ ତରବରିଆ ଭାବେ ଉଚ୍ଛେଦ କରାଯିବାକୁ ନେଇ ସେମାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତହସିଲ ପ୍ରଶାସନ ବ୍ୟବସାୟୀଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଥିବା ଛତା ବଜାର କମିଟିର ସଭାପତି ରମେଶ ଚନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ଅତିରିକ୍ତ ତହସିଲଦାର କହିଛନ୍ତି, ଉକ୍ତ ଛକରେ ଥିବା ସମସ୍ତ ଦୋକାନୀମାନଙ୍କୁ ସରକାରୀ ଜାଗାରୁ ଉଠିଯିବା ପାଇଁ ବହୁତ ଥର ନୋଟିସ ଦିଆଯାଇଛି।

ସମ୍ବନ୍ଧିତ ଖବର