ଘରଭଙ୍ଗା ବିପନ୍ନଙ୍କୁ ମିଳୁନି ପଲିଥିନ୍‌

ଗରଦପୁର: ଚଳିତମାସ ପ୍ରଥମାର୍ଦ୍ଧରେ ଲଘୁଚାପ ବର୍ଷାରେ ଗରଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଅଧିକାଂଶ ଲୋକଙ୍କ ମାଟି କାନ୍ଥ ଓ ଚାଳଛପର ଘର ଭାଙ୍ଗି ପଡ଼ିଥିଲା। ଗରଦପୁର ତହସିଲ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ତଦନ୍ତ କରାଯାଇଥିଲା। ମାତ୍ର ଆଜି ସୁଦ୍ଧା ମାଟି ଘର ଭାଙ୍ଗିଥିବା ପରିବାରମାନଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ୍‌ ଯୋଗାଣ କରାଯାଇନାହିଁ। ଏ ନେଇ ବିପନ୍ନଙ୍କ ମଧ୍ୟରେ ନୈରାଶ୍ୟ ଭାବ ପ୍ରକାଶ ପାଇଛି ା ଗରଦପୁର ବ୍ଲକ ଅନ୍ତର୍ଗତ ପାଟକୁରା ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଜେନା ସାହିରେ ଗତ ଲଗାଣ ବର୍ଷାରେ ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହିଥିଲା ା ଫଳରେ ତଳିଆଅଞ୍ଚଳର ଅନେକ ଲୋକମାନଙ୍କ ଘରର କାନ୍ଥଗୁଡିକ ପଡିଯାଇଥିଲା। ଘର ଭଙ୍ଗା ସମ୍ପର୍କରେ ପ୍ରଶାସନ ପକ୍ଷରୁ ଯେଉଁ ତଦନ୍ତ କରାଯାଇଥିଲା, ସେଥିରେ ଯୋଗ୍ୟ ଥିବା ଲୋକମାନଙ୍କ ଘରର କାନ୍ଥ ପଡିଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ପଲିଥିନ୍‌ ଯୋଗାଣ କରାଯାଇ ନ ଥିବା ଅଭିଯୋଗ ହେଉଛି ା ଜଗନ୍ନାଥପୁର ଗ୍ରାମର କେଦାର ଜେନାଙ୍କ ଘରର କାନ୍ଥ ପଡିଯାଇଛି ।ସେହିପରି ଏହି ଗ୍ରାମର କୁଳମଣୀ ଜେନା, ବାବାଜୀ ଚରଣ ଜେନା, ଦୁର୍ଲଭ ଜେନା, ମାନସ ଜେନା, ଅଗଣୀ ମହାନ୍ତି ଓ ବାଦଲ ଜେନାଙ୍କ ଘର କାନ୍ଥ ବର୍ଷା ଯୋଗୁଁ କ୍ଷତି ଘଟିଥିଲା। ସେହି ପରିବାରକୁ ପ୍ରଶାସନଙ୍କ ପକ୍ଷରୁ ପଲିଥିନ୍‌ ଯୋଗାଣ କରାଯାଇନାହିଁ ା ଏହିସବୁ ପରିବାରଗୁଡିକର ରୋଷେଇ ଘର, ଗୁହାଳ ଘର ଓ ରହିବା ଘର ଆଦି ଘରର ମାଟି କାନ୍ଥଗୁଡିକ ପଡିଯାଇଥିବାରୁ ସେମାନେ କାନ୍ଥ ଭାଙ୍ଗିଥିବା ଘରକୁ ବ୍ୟବହାରରେ ଲାଗାଇ ପାରୁନାହାଁନ୍ତି ା ଏ ସମ୍ପର୍କରେ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ବଳ କହିଛନ୍ତି ଯେ, ଘର କାନ୍ଥ ଭଙ୍ଗା ସମ୍ପର୍କରେ ଆକଳନ କରାଯାଇଛି ା ସେହି ସମୟରେ ଯେଉଁ ପଲିଥିନ୍‌ ଥିଲା ତାହା ବଣ୍ଟନ ଶେଷ ହୋଇ ଯାଇଛି। ଏବେ ପଲିଥିନ୍‌ ନାହିଁ, ପଲିଥିନ୍‌ ଆସିବା ପରେ କାନ୍ଥ ଭାଙ୍ଗିଥିବା ସେହି ପରିବାରମାନଙ୍କୁ ଯୋଗାଇ ଦିଆଯିବ ା

ସମ୍ବନ୍ଧିତ ଖବର