ହସ୍‌ପିଟାଲରେ ଅଭାବନୀୟ କାଣ୍ଡ: ଆଟେଣ୍ଡାଣ୍ଟ ମାଡ଼ରେ ଚିକିତ୍ସାଧୀନ ରୋଗୀ ଗୁରୁତର, ଅଭିଯୁକ୍ତ ଥାନାରେ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ରବିବାର ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଜଣେ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଜଣେ ରୋଗୀ ଗୁରୁତର ହୋଇଛନ୍ତି। ସୁଚନା ଅନୁସାରେ ଆନନ୍ଦପୁର ମୁଖିସାହିର ଗୌତମ ମୁଖି(୩୦)ଙ୍କୁ ଅସୁସ୍ଥତା ଯୋଗୁ ଶନିବାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଗୌତମ କ୍ରମଶ ସୁସ୍ଥ ହୋଇଥିବା ବେଳେ ଆଜି ଉପରବେଳା ଚଲାବୁଲା କରିଥିଲେ। ଅପରାହ୍ଣ ୪ଟା ବେଳେ ଗୌତମ ଡାକ୍ତରଖାନା ନିକଟରେ ପରିସ୍ରା କରିବାକୁ ଯାଇଥିବାବେଳେ ଆନନ୍ଦପୁର ଥାନା ପଞ୍ଚୁଗୋଛିଆ ଗ୍ରାମର ବଳରାମ ଦଳେଇ ସେଠାରେ ପହଁଞ୍ଚି ଏଠାରେ କାହିଁକି ପରିସ୍ରା କରୁଛ ବୋଲି କହି ହଠାତ୍‌ ଚାପୁଡ଼ା ମାରିଥିଲେ।

ଚାପୁଡ଼ା ମାଡ଼ରେ ଗୌତମ ବେହୋସ୍‌ ହୋଇ ତଳେ ପଡି ଯାଇଥିଲେ। ଚିତ୍କାର ଶୁଣି ସଙ୍ଗେସଙ୍ଗେ ଲୋକମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ମାଡ଼ରେ ପଡି ଯିବାପରେ ଗୌତମଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଡାହାଣ ପାର୍ଶ୍ୱ ପାରାଲିସିସ୍‌ ଆଡକୁ ଆକ୍ରାନ୍ତ କରୁଥିବା ନେଇ ଚିକିତ୍ସା କରୁଥିବା ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି। ମାଡ଼ଖାଇଥିବା ରୋଗୀ ଜଣକ ରିପୋର୍ଟ ଲେଖାଯିବା ବେଳକୁ ଗୁରୁତର ଅଛନ୍ତି। ଘସିପୁରା ପୁଲିସ ସଂପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର