କାଳିଆ ଡୋରିରେ ବାନ୍ଧିହୋଇଗଲେ ଆରତୀ, ବଦଳାଇଲେ ଆତ୍ମହତ୍ୟା ନିଷ୍ପତ୍ତି

ଜୟପୁର: ମାସେ ପରେ ଘରକୁ ଫେରିଲା ମା’ । ଆତ୍ମହତ୍ୟା କରିବାକୁ ଘର ଛାଡିଥିଲେ । ହେଲେ ପୁରୀ ଯାଇ କାଳିଆ ଦର୍ଶନ କରିବା ପରେ ବଦଳିଗଲା ଆତ୍ମହତ୍ୟା କରିବାର ନିଷ୍ପତ୍ତି । ମାସେ ପରେ ପରିବାର ସହିତ ବଂଚିବାକୁ ଘରକୁ ଫେରିଆସିଲେ । ଜୟପୁରରୁ ଆସିଥିବା ଆରତୀ ମିଶ୍ରଙ୍କ ଏହି କାହାଣୀ ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ଗତ ୮ ତାରିଖରେ ଦାନ୍ତ ଚିକିତ୍ସା କରିବା ପାଇଁ ଭୁବନେଶ୍ୱର ବାହାରିଥିଲେ ଆରତୀ । ସ୍ୱାମୀ ମନୁ ମିଶ୍ର ଆରତୀଙ୍କୁ ରେଳଷ୍ଟେସନରେ ଛାଡିଗଲେ । ହେଲେ ଆରତି ଭୁବନେଶ୍ୱରରେ ପହଞ୍ଚିନଥିଲେ । ଘର ଲୋକ ଏହା ଜାଣିବା ପରେ ବହୁ ଖୋଜାଖୋଜି କରି ଆରତୀ ନିଖୋଜ ନେଇ ଥାନାରେ ମାମଲା କଲେ । ଏହି ସମୟରେ ଘରୁ ଏକ ଡାଏରୀ ମଧ୍ୟ ମିଳିଲା । ୪ ପୃଷ୍ଠାର ଏହି ସୁଇସାଇଡ ନୋଟରେ ଯାହା ଲେଖିଥିଲେ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଆରତୀ ଲେଖିଥିଲେ ‘ପିଲାଦୁହିଁଙ୍କୁ ତୁମ ଦାୟିତ୍ୱରେ ଛାଡିଲି । ସବୁବେଳେ ତୁମ ସହିତ ଆଗଭଳି ଠିଆ ହୋଇଛି  । ଯେତିକି ଦିନ ସାଥିରେ ରହିଲେ ସୁଖଦୁଃଖରେ କାଟିଲେ । ଏବେ ଆଉ ବଞ୍ଚିବାକୁ ଇଚ୍ଛା ଲାଗୁନାହିଁ । ଘରେ କିଛି ଅଭାବ କରିନଥିଲ । ମାତ୍ର ମୋ ଉପରେ ବୋଧ ହୁଏ ତୁମର ସୌଭାଗ୍ୟ ନାହିଁ । ମୋର ଏହି ଷ୍ଟେପ ଲାଗି ମତେ କ୍ଷମା କରିବ ଏବଂ ପିଲାମାନଙ୍କୁ ମଣିଷ କରିବ’ ।

ଏହା ଜାଣିବା ପରେ ପୁରା ପରିବାରରେ ପଡିଗଲା କାନ୍ଦବୋବାଳି । ଏହି ଖବର ପାଇବା ପରେ ଆରତୀଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଆରତୀଙ୍କର କୌଣସି ପତ୍ତା ମିଳିନଥିଲା । ପରେ ପ୍ରାୟ ଏକ ମାସ ପରେ ହଠାତ୍ ଆରତୀ ଘରକୁ ଫେରିଥିଲେ । ଆରତୀ ଘରକୁ ଫେରିବା ପରେ ପରିବାର ଲୋକେ ବହୁତ ଖୁସି ହୋଇଯାଇଥିଲେ । ମା’କୁ ପାଖରେ ପାଇ ପିଲାମାନେ କୋଳେଇ ପକାଇଲେ । ନିଜ ପିଲାମାନଙ୍କୁ ମଧ୍ୟ କୋଳେଇ ପକାଇଥିଲେ ମା’ ଆରତୀ ।

Holiday Resort Puri

ତେବେ ଆରତୀଙ୍କ କହିବା ମୁତାବକ, ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ତାଙ୍କର ମନ ପରିବର୍ତ୍ତନ ହୋଇଥିଲା । ସେ ଆତ୍ମହତ୍ୟା ନକରି ପ୍ରାୟ ଏକ ମାସ ପୁରୀରେ ରହିଥିଲେ ଏବଂ ଟିକେ ମନ ଶାନ୍ତି ହେବା ପରେ ଘରକୁ ଫେରିଥିଲେ । ଜୀବନରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଆରତୀ ମିଶ୍ର । ଆଉ ଏବେ କାଳିଆର ଆଶୀର୍ବାଦରୁ ମିଳିଥିବା ଜୀବନକୁ ନିଜ ପରିବାର ସହ ଖୁସିରେ ବିତାଇବାକୁ ଚିନ୍ତା କରିଛନ୍ତି ଆରତୀ । ଏବେ କହୁଛନ୍ତି, ସଂସାରର ସମସ୍ତ ଖୁସି ପରିବାର ଭିତରେ ହିଁ ଅଛି ।

ସମ୍ବନ୍ଧିତ ଖବର