ବାରିପଦା : କୋହଳ ଦଫା ଲଗାଇବାକୁ ୫ ହଜାର ଟଙ୍କା ଲାଞ୍ଚ ନେଇ ବାରିପଦା ଟାଉନ୍ ଥାନାର ଏସ୍ଆଇ ସଚ୍ଚିଦାନନ୍ଦ କିଷାନ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଟକ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଜିଲାନ୍ସ ସୂତ୍ର ଅନୁସାରେ ବାଙ୍ଗିରିପୋଷି ଥାନା କଳାବାଡ଼ିଆ ଗ୍ରାମର ବିଶ୍ୱଜିତ ଶିଖର ବାରିପଦା ବଡ଼ବଜାର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ। ସଂପୃକ୍ତ ଯୁବତୀଙ୍କୁ ସେ ଡାକ୍ତରୀ ପଢ଼ାଉଛନ୍ତି। ଶିଖରଙ୍କ ବିରୋଧରେ ଯୁବତୀଙ୍କ ପରିବାର ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୧୧/୧୨.୦୧.୨୦୧୮ ଓ ଆଇପିସି ଧାରା ୩୪୧, ୪୯୮(ଏ), ୩୨୩, ୩୦୭, ୫୦୬ ସହିତ ୪ ଡିପି ଆକ୍ଟରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ ବିଶ୍ୱଜିତ ଶିଖରଙ୍କୁ ଗିରଫ କରି ଶାରିରୀକ ନିର୍ଯାତନା ଦେଇଥିଲା। ଏଥିଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ। ସେ ଜାମିନରେ ଆସିବା ପରେ ପୁଣି ତାଙ୍କୁ ଥାନାକୁ ଡକାଯାଇଥିଲା। ତାଙ୍କ ବାପା-ମା’ଙ୍କୁ ବି ଏହି ମାମଲାରେ ଯୋଡ଼ି କୋର୍ଟଚାଲାଣ କରିବାକୁ ଶ୍ରୀ କିଷାନ ଧମକ ଦେଇଥିଲେ।
ଶେଷରେ ୩୦୭ ଦଫା ଉଠାଇଦେବେ କହି ଏସଆଇ ଶ୍ରୀ କିଷାନ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୫ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ବିଶ୍ୱଜିତ କଟକ ଭିଜିଲାନ୍ସ ସେଲ୍କୁ ଯୋଗାଯୋଗ କରିଥିଲେ। ଯୋଜନାନୁଯାୟୀ ଆଜି ସେ ବାରିପଦା ଟାଉନ ଥାନାରେ ଏସ୍ଆଇ ଶ୍ରୀ କିଷାନଙ୍କୁ ଦୁଇଟି ୨ ହଜାର ଓ ୨ଟି ୫ ଶହ ଟଙ୍କିଆ ନୋଟ୍ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ଶ୍ରୀ କିଷାନଙ୍କୁ କାବୁ କରିନେବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ଅଭିଯୁକ୍ତ ଏସ୍ଆଇଙ୍କୁ ବାରିପଦା ଭିଜିଲାନ୍ସ ୟୁନିଟ୍ କାର୍ଯ୍ୟାଳୟକୁ ନିଆଯାଇ କେସ୍ ନମ୍ବର ୧/୧୮ରେ ମାମଲା ରୁଜୁ କରାଯାଇଛି। ଏହି ଚଢ଼ଉରେ କଟକ ଭିଜିଲାନ୍ସ ସେଲ୍ର ଡିଏସ୍ପି ସରୋଜ କୁମାର ସାମଲ, ଡିଏସପି ଶ୍ରୀକାନ୍ତ ବେହେରା, ଇନ୍ସପେକ୍ଟର ପ୍ରଭାତ ରଞ୍ଜନ ମହାନ୍ତି ସାମିଲ ଥିଲେ।