ନିର୍ବାଚନରେ ସାମିଲ୍ ହେବେନି ୧୧ ଗାଁ!

ନୂଆଗାଁ: ରାତି ପାହିଲେ ଭୋଟ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦଶପଲ୍ଲାର ୧୨୧ ବିଧାନସଭା ଆସନ ପାଇଁ ସମସ୍ତ କେନ୍ଦ୍ରକୁ ପୋଲିଂ ପାର୍ଟି ପହଞ୍ଚି ସାରିଲେଣି। ଜିଲ୍ଲା ଏବଂ ବ୍ଲକ୍ ପ୍ରଶାସନ ଏଥିପାଇଁ ସତର୍କ ଦୃଷ୍ଟି ରଖିଛି। ଶାନ୍ତି ଶୃଙ୍ଖଳାର ସହିତ କିଭଳି ନିର୍ବାଚନ ଶେଷ ହେବ ସେଥିପାଇଁ ପୋଲିସ ବାହିନୀ ସଜାଗ ରହିଛି। ନୂଆଗାଁ ବ୍ଲକ୍‌ର ୨୨ଗୋଟି ପଞ୍ଚାୟତରୁ ୨ଟି ପଞ୍ଚାୟତର ୧୧ଟି ଗାଁର ୧୫ ଶହ ଭୋଟର୍‌ ଭୋଟ ବର୍ଜନ କରିବେ ବୋଲି ଜଣାପଡ଼ିଛି। ଅଂଚଳର ଦାବି ହାସଲ ନହେବା ଯାଏ ସମସ୍ତ ସରକାରୀ କାମରେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଭୋଟର୍‌ମାନଙ୍କ ଏଭଳି ମନ୍ତବ୍ୟରେ ପ୍ରଶାସନ ହରଡଘଣାରେ ପଡିଛି। କିଛିଦିନ ତଳେ ଭୋଟର୍‌ମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।
ଖବରରୁ ପ୍ରକାଶ, ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତର ଆଦିବାସୀ ଗାଁ ଢିପାମାଳ, ଚକାପଥର, ରାଜନପଲ୍ଲୀ, ଗୋଛାବାରୀ, ନୂଆସାହି, ବେଗୁନିଆସାହି ଏବଂ ଢିପିସାହି ଗ୍ରାମର ଲୋକେ ଭୋଟ୍‌ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସେମାନେ ପ୍ରଶାସନର ଅପାରଗତାକୁ ନିନ୍ଦା କରିବା ସହିତ ସରକାରୀ କାମରେ ସହଯୋଗ ନ କରିବାକୁ କହିଛନ୍ତି। ଗତ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବଳଭଦ୍ରପୁରଠାରୁ ଢିପାମାଳ ପାଇଁ ଅନୁଦାନ ଦିଆଗଲା। ରାସ୍ତା ନିର୍ମାଣ ସମୟରେ ଗୁଡୁପାଙ୍ଗି ଗ୍ରାମବାସୀମାନେ ଏହାର ଘୋର ବିରୋଧ କରିବା ସହିତ ରାସ୍ତା ଉପରେ କଣ୍ଟା ପକାଇଥିଲେ। ଗୁଡୁପାଙ୍ଗି ଗାଁ ଭିତର ଦେଇ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଜିଦ୍‌ ଧରି ବସିଥିଲେ। ଉଭୟ ଗାଁ ମଧ୍ୟରେ ଅଭାବନୀୟ ପରିସ୍ଥିତି ଦେଖା ଦେବା ପରେ କାମ ବନ୍ଦ ରହିଥିଲା। ଦୁଇ ଗାଁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସମାଧାନ ପାଇଁ ଦାବି କରିଥିଲେ। କିନ୍ତୁ ଏହା ମଧ୍ୟରେ ତତ୍କାଳୀନ ଜିଲ୍ଲାପାଳଙ୍କ ଅନ୍ୟତ୍ର ବଦଳି ହେବା ପରେ ଏହାର କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଠିକାଦାର ବଳଭଦ୍ରପୁର ପରିବର୍ତ୍ତେ ଗୁଡୁପାଙ୍ଗି ଗାଁ ଭିତର ଦେଇ ରାସ୍ତା ନିର୍ମାଣ କରିବା ପରେ ଢିପାମାଳ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍‌ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ରାସ୍ତା ନିର୍ମାଣ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ କେନ୍ଦ୍ର କରି ଆଦିବାସୀ ଗାଁର ଲୋକେ ବୈଠକ କରି ଭୋଟ୍‌ ବର୍ଜନ କରିବାକୁ ଚରମବାଣୀ ଶୁଣାଇଛନ୍ତି। ଗାଁରେ ପୋଲିଂ ପାର୍ଟି ପହଞ୍ଚିଥିଲେ ମଧ୍ୟ କାଲି ଭୋଟ୍‌ ବାକ୍ସରେ ଗୋଟିଏ ହେଲେ ଭୋଟ୍‌ ପଡ଼ିବ ନାହିଁ ବୋଲି ଆଦିବାସୀ ସଂଘ ସଭାପତି ବଳରାମ ଯାନୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଗୁମୀ ପଞ୍ଚାୟତରେ ମଧ୍ୟ ଆଶାନୁରୂପ ଭାବେ ସମସ୍ୟା ଦେଖା ଦେଇଛି। ପଞ୍ଚାୟତର ଜାମୁସାହି, କେସଣ୍ତା, ରାଣୀଗୁମା, ମଣିଆକୋଟର ଆଦିବାସୀ ଗାଁ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ବ୍ରିଜ କାର୍ଯ୍ୟ ସଂପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରେ ସହଯୋଗ କରାଯିବ ନାହିଁ ବୋଲି କହିଛନ୍ତି। ତେବେ ମାଳିସାହି ପଞ୍ଚାୟତର ୧୭୫ ନମ୍ବର ବୁଥ୍ ଏବଂ ଗୁମୀ ପଞ୍ଚାୟତର ୨୧୬ ଆଦିବାସୀ ପ୍ରଶାସନକୁ ଜବାବ୍ ମାଗିଛନ୍ତି ଏବଂ ମାଳିସାହି ପଞ୍ଚାୟତର ଆଦିବାସୀ ଇଲାକାର ଲୋକେ ଭୋଟ୍‌ ବର୍ଜନ କରିବେ ବୋଲି ସୂଚନା ଥିବା ଏବଂ ଗୁମୀ ପଞ୍ଚାୟତର ଆଦାବାସୀ ଗାଁ ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ପଞ୍ଚାୟତ ଅଧିକାରୀ କବିତା କୁମାରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର