୬ବର୍ଷ ହେଲା ସଂପୂର୍ଣ୍ଣ ହୋଇପାରୁନି ବିଦ୍ୟାଳୟ କୋଠା

ଚନ୍ଦ୍ରପୁର: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡିବାଲି ପଞ୍ଚାୟତ ଅନ୍ତର୍ଗତ ଗେଡାପଦର ନୂତନ ପ୍ରାଥମିକ ବିଦ୍ୟାଳୟର ନୂତନ କୋଠା ଦୀର୍ଘ ୬ବର୍ଷ ହେଲା ସଂପୂର୍ଣ୍ଣ ହୋଇପାରୁନି। ଫଳରେ ଛାତ୍ରଛାତ୍ରୀ ଓଟିଏଲପି କେନ୍ଦ୍ରରେ ପାଠ ପଢୁଛନ୍ତି। ତେବେ ଏହି କେନ୍ଦ୍ରକୁ ଶୀଘ୍ର ଖାଲି କରିବାକୁ ଓଟିଏଲପି ପକ୍ଷରୁ କୁହାଯାଉଥିବାରୁ ବର୍ତମାନ ଛାତ୍ରଛାତ୍ରୀ କେଉଁଠି ପାଠ ପଢିବେ ତାହା ଚିନ୍ତାର କାରଣ ପାଲଟିଛି। ସ୍କୁଲ କୋଠା ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଗେଡାପଦର ଗାଁରେ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଛି। ତେବେ ଦୀର୍ଘ ୬ବର୍ଷ ହେଲା ଏହି ସ୍କୁଲର ନୂତନ କୋଠା ସଂପୂର୍ଣ୍ଣ ହୋଇପାରୁନି। କବାଟ, ଝରକା ସହ ଚଟାଣ କାମ ଅସଂପୂର୍ଣ୍ଣ ରହିଛି। ଏପରିକି ରୋଷେଇ ଗୃହ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି। ଏଥିଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଓଟିଏଲପି କେନ୍ଦ୍ରରେ ପାଠ ପଢାଯାଉଛି। ସ୍କୁଲ କୋଠା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଓଟିଏଲପି କେନ୍ଦ୍ରକୁ ଶୀଘ୍ର ଖାଲି କରିବାକୁ ବିଭାଗୀୟ କର୍ତୃପକ୍ଷ କହିବା ପରେ ଛାତ୍ରଛାତ୍ରୀ ମାନେ କେଉଁଠି ପାଠ ପଢିବେ ତାହା ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ପାଇଁ ଚିନ୍ତାର କାରଣ ପାଲଟିଛି। ଶୀଘ୍ର ଶିକ୍ଷା ବିଭାଗ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କୋଠା କାମ ସଂପୂର୍ଣ୍ଣ କରାଇବାକୁ ସ୍କୁଲ ପରିଚାଳନା କମିଟି ସଭାପତି ରେଙ୍ଗାନା ପିଡିକାକା, ସଭ୍ୟ ସତ୍ୟ କ୍ରିଟାଙ୍ଗା, ମୁଦୁରା ପିଡିକାକା, ପରୀକ୍ଷିତ ପିଡିକାକା ପ୍ରମୁଖଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର