ଆଇସିଡିଏସ ସୁପରଭାଇଜରଙ୍କ ଘରୁ ପୁଣି ଚୋରି

ରାୟଗଡ଼ା: ରାୟଗଡ଼ା ସହରରେ ଚୋରି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ମାସ ଧରି ସହରରେ ଦୁବୃର୍ତ୍ତଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ରାସ୍ତାରେ ଯାତାୟତ କରୁଥିବା ମହିଳାଙ୍କ ବେକରୁ ସୁନା ଚେନ ଟାଣିବା, ବ୍ୟାଙ୍କରୁ ଆସୁଥିବା ବ୍ୟବସାୟୀଙ୍କ ଟଙ୍କା ବ୍ୟାଗ ଛଡ଼ାଇବା ନେବା ସହ ଛୋଟବଡ଼ ଚୋରି ବାରମ୍ବାର ହେଉଛି। ଏହାକୁ ବାଦ ଦେଲେ ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ବଟି ଆଦାୟ ଭଳି ଘଟଣା ନିୟମିତ ଘଟୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଚୋରି ଏବଂ ଛିନତାଇ ଭଳି ଅନେକ ଘଟଣା ପୁଲିସ ନିକଟରେ ଅଭିଯୋଗ ହେଉ ନଥିବା ଜଣାପଡିଛି।
ସ୍ଥାନୀୟ ଜିଲ୍ଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଛକ-ୟୁଜିଏମଆଇଟି ରାସ୍ତା ପାର୍ଶ୍ୱରେ ରହୁଥିବା ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ବରଦାକାନ୍ତ ମିଶ୍ର ଏବଂ ଆଇସିଡ଼ିଏସ ସୁପରଭାଇଜର ସୁଜାତା ତ୍ରିପାଠୀଙ୍କ ଘରୁ ଗତ ୧୫ ଦିନ ମଧ୍ୟ ଦୁଇ ଥର ଚୋରି ହୋଇ ସାରିଲାଣି। ଦୁର୍ବୃତ୍ତ କବାଟ ଭାଂଗି ନଗଦ ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ପ୍ରଥମ ଘଟଣାଟି ଅପରାହ୍ନ ୪ଟାରେ ହୋଇଥିବା ବେଳେ ଦ୍ୱିତୀୟ ଘଟଣାଟି ରାତିରେ ହୋଇଛି। ଏଥିନେଇ ସୁପରଭାଇଜର ଥାନାରେ ଅଭିଯୋଗ ବି କରିଛନ୍ତି । ତେବେ ଉଭୟ ଚୋରି ଘଟଣାରେ ପୁଲିସକୁ କୌଣସି ସଫଳତା ମିଳିପାରିନାହିଁ। ପୁଲିସ ଚୋରି ଘଟଣାର ତଦନ୍ତ କରି ଚୋରଙ୍କୁ ଧରପଗଡ଼ କରିବା ପରିବର୍ତ୍ତେ ଅତ୍ୟନ୍ତ ହାଲୁକା ମନୋଭାବ ପ୍ରଦର୍ଶନ କରିବା ସହ ଚୋରି ଅଭିଯୋଗ କରୁଥିବା ଘର ମାଲିକଙ୍କୁ ପରାମର୍ଶ ଦେଇ ହାତବାନ୍ଧି ବସି ରହୁଥିବା ଅଭିଯୋଗ ହେଉଛି। ଥାନା ଅଧିକାରୀ ବି ସହରରେ ସେଭଳି ବଡ଼ ଧରଣର କୌଣସି ଚୋରି ହୋଇନଥିବା କହିବା ସହ କିଛି କିଛି ସ୍ଥାନରେ ଛୋଟ ଧରଣର ଚୋରି ହୋଇଥିବା ପ୍ରକାଶ କରିଛନ୍ତି। ସହରରେ ନିୟମିତ ବ୍ୟବଧାନରେ ଚୋରି ହେଉଥିବା ଯୋଗୁଁ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମନେ କରିବା ସହ ପୁଲିସ ପ୍ରତି ଆସ୍ଥା ହରାଉଛନ୍ତି। ଜିଲ୍ଲା ପୁଲିସ ପ୍ରଶାସନ ତୁରନ୍ତ ଏ ଦିଗରେ କଡ଼ା ଅଭିମୁଖ୍ୟ ଗ୍ରହଣ କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର