କଥା କଟାକଟିକୁ ନେଇ ଘର ଜାଳିଦେଲା ଯୁବକ

କଲ୍ୟାଣସି˚ହପୁର: ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ଥାନା ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତର ବରିଭଟ୍ଟା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ପାଟିତୁଣ୍ଡକୁ କେନ୍ଦ୍ର କରି ସ୍ଥାନୀୟ ଗୋବିନ୍ଦ କରସିକାଙ୍କ ଘରେ ଭୀମ କରସିକା ନାମକ ଜଣେ ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦିଆଯିବାରୁ ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଭୀମ କରସିକା କପା ଆଣିବା ପାଇଁ ଗୋବିନ୍ଦକୁ ଡାକିଥିଲା। ତେବେ ସେ ଧାନ ଅମଳ କାମରେ ବ୍ୟସ୍ତ ରହିଥିବାରୁ ଯାଇପାରିବ ନାହିଁ ବୋଲି କହିଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ସାମାନ୍ୟ କଥାକଟି ହୋଇଥିଲା। ଗ୍ରାମବାସୀ ପହଞ୍ଚି ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ଭୀମର କ୍ରୋଧ ଶାନ୍ତ ପଡ଼ିନଥିଲା। ପ୍ରତିଶୋଧ ନେବାକୁ ସେ ସୁଯୋଗକୁ ଅପେକ୍ଷା କରିଥିଲା। ସଂଧ୍ୟାରେ କାମ ସାରି ଫେରୁଥିବା ଗୋବିନ୍ଦ କରସିକାଙ୍କ ପତ୍ନୀ ପାର୍ବତୀ ଏବଂ ଗାଁର ଅନ୍ୟ ଜଣେ ମହିଳାଙ୍କୁ ଭୀମ ଦୁର୍ବ୍ୟବହାର କରିଥିଲା।

ଦୁଇ ମହିଳା ଦୌଡି ଆସି ଗାଁରେ ସବୁ କଥା କହିଥିଲେ। ଗ୍ରାମବାସୀ ପୁଣି କଥାବାର୍ତା କରି ସମାଧାନ କରିଥିଲେ। କିନ୍ତୁ ଏଥିରେ ଭୀମର କାଣ୍ଡ ଶେଷ ହୋଇ ନଥିଲା। ରାତି ପ୍ରାୟ ୮ଟାରେ ସେ ଗୋବିନ୍ଦଙ୍କ ଘରେ ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲା। ଗ୍ରାମବାସୀ ନିଅାଁକୁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ଗୋବିନ୍ଦଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି। ଆଜି ସକାଳୁ ଖବର ପାଇ ସରପଞ୍ଚ କୁନାକା ଗୋବିନ୍ଦ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିବାପରେ ଗୋବିନ୍ଦଙ୍କ ପରିବାରକୁ ପାଞ୍ଚ ଶହ ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ସେହିପରି ସଂଧ୍ୟାରେ ଗୋବିନ୍ଦ ପତ୍ନୀଙ୍କ ସହ ଥାନାକୁ ଆସି ଲିଖିତ ଅଭିଯୋଗ ଦେଇଛନ୍ତି। ଘଟଣାର ତଦନ୍ତ କରି ଥାନା ଅଧିକାରୀ କପିଳେଶ୍ବର ବେହାର ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି। ଆଇନ ଅନୁଯାୟୀ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର