୭ ମାସ ପରେ ଫେରି ପାଇଲେ ପରିଚୟ:ମା’ଙ୍କୁ ନେଲାନି ଝିଅ

ସମ୍ବଲପୁର: ତିନି ଝିଅ, ଜ୍ୱାଇଁଙ୍କୁ ନେଇ ଉଷା ମୁଣ୍ଡା (୫୦)ଙ୍କ ଥିଲା ସମ୍ପୂର୍ଣ୍ଣ ପରିବାର। ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇ ୭ ମାସ ହେଲା ବୁର୍ଲା ଡାକ୍ତରଖାନାରେ ଅପରିଚିତ ରୋଗୀ ଭାବରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ଯେତେବେଳେ ନିଜ ପରିଚୟ ଫେରି ପାଇଲେ; ଝିଅ, ଜ୍ୱାଇଁ ତାଙ୍କୁ ଗ୍ରହଣ ପାଇଁ ରାଜି ହେଲେ ନାହିଁ। ସମ୍ପର୍କୀୟ ଭଉଣୀହିଁ ଆଶ୍ରା ଦେଇଥିଲେ। ଏଥିରେ ଭରସା ପରିବାରର ନିହାଲ ସିଂ ଏବଂ ସୁନୀଲ ହଂସ ତାଙ୍କୁ ସହଯୋଗ କରିଥିଲେ। ଉଷା କହନ୍ତି, ଅନେକ ବର୍ଷ ହେଲା ସ୍ୱାମୀଙ୍କ ଦେହାନ୍ତ ହୋଇ ସାରିଛି। ଟ୍ରେନରେ ଦାନ୍ତ କାଠି ବିକ୍ରି କରି ଜୀବନ ଅତିବାହିତ କରୁଥିଲେ।

୨୦୧୭ ମସିହା ଡିସେମ୍ବର ୧୯ ତାରିଖରେ ଟ୍ରେନ୍‌ ଲାଇନ୍‌ରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ଦାନ୍ତ କାଠି ବିକ୍ରି କରି ଟ୍ରେନରୁ ଓହ୍ଲାଉଥିବାବେଳେ ସମ୍ଭବତଃ ସେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଏହାପରେ ତାଙ୍କୁ ବୁର୍ଲା ମେଡିକାଲ ଅଣାଯାଇ ଥିଲା। ଏହି ସମୟରେ ମାନସିକ ଭାରସାମ୍ୟ ହରାଇ ନିଜ ପରିଚୟ ହଜାଇ ଦେଇଥିଲେ। ଅନ୍ୟଦିଗରେ ଗୋଡ଼ରେ ମଧ୍ୟ ଗୁରୁତର ଆଘାତ ଲାଗିବାରୁ ଚାଲିବାକୁ ସକ୍ଷମ ହେଉନଥିଲେ। ଡିସେମ୍ବର ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ସେ ଏକୁଟିଆ ବୁର୍ଲା ଡାକ୍ତରଖାନା ଶଯ୍ୟାରେ ଚିକିତ୍ସିତ ହେଉଥିବାବେଳେ ଅସ୍ଥିଶଲ୍ୟ ବିଭାଗ ଡା.ପି.କେ ନେର୍ଲି ତାଙ୍କ ଚିକିତ୍ସା କରୁଥିଲେ। ମାନସିକ ସୁସ୍ଥ ହେବା ପରେ ନିଜ ପରିଚୟ ଏବଂ ପରିବାର ବିଷୟରେ କହିଥିଲେ। ଭରସା ପରିବାର ସହାୟତାରେ ସାକ୍ଷୀପଡ଼ା ସ୍ଥିତ ତାଙ୍କ ଝିଅ ଘରକୁ ଗଲେ। ମାତ୍ର ଝିଅ, ଜ୍ୱାଇଁ ରଖିବାକୁ ମନା କରି ଦେଇଥିଲେ। ଆଉ ଜଣେ ସମ୍ପର୍କୀୟଙ୍କ ତାଙ୍କୁ ରଖିବେ ନାହିଁ ବୋଲି କହିଥିଲେ। ଅଇଁଠାପାଲିରେ ରହୁଥିବା ସମ୍ପର୍କୀୟ ଭଉଣୀ ଗାୟତ୍ରୀ(୫୦) ତାଙ୍କୁ ଆଶ୍ରା ଦେଇଥିଲେ।

ସମ୍ବନ୍ଧିତ ଖବର