ବିବାଦରେ ଅଟକିଛି ରେଳ ଓଭରବ୍ରିଜ କାମ ପ୍ରସ୍ତାବିତ ୮ ବ୍ରିଜରୁ ଶେଷ ହୋଇଛି ମାତ୍ର ୨ଟି

ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ହାୱଡା- ବମ୍ବେ ରେଳ ଲାଇନରେ ରାଉରକେଲା ସହର ଓ ପାଶ୍ବବର୍ତ୍ତୀ ଇଲାକାରେ ନିର୍ମାଣ ହେବାକୁଥିବା ପ୍ରସ୍ତାବିତ ୮ ରେଳ ଓଭର ବ୍ରିଜ (ଆର୍‌ଓବି) ମଧ୍ୟରୁ ଅଦ୍ୟାବଧି ମାତ୍ର ୨ଟିର କାମ ଶେଷ ହୋଇଛି। ଗୋଟିଏ ହେଉଛି ବାସନ୍ତି କଲୋନି ଓ ଅନ୍ୟଟି ଏସ୍‌ଟିଆଇ ଆର୍‌ଓବି। ବହୁ ଦାବି ପରେ ୨୦୦୮ରେ ବାସନ୍ତୀ ଆର୍‌ଓବି ନିର୍ମାଣ କାମ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଶେଷ ନହୋଇ ୫ ବର୍ଷ ପରେ ଅର୍ଥାତ୍‌ ୨୦୧୩ରେ ଶେଷ ହୋଇଥିଲା। ଏସ୍‌ଟିଆଇ ଆର୍‌ଓବି ଗତ ୨୦୧୭ ନଭେମ୍ବର ସୁଦ୍ଧା ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ୧୬ ମାସ ପରେ ଅର୍ଥାତ୍‌ ୨୦୧୯ ମାର୍ଚ୍ଚ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଲୋକାର୍ପିତ ଦୁଇଟି ଆର୍‌ଓବିର ପ୍ଲାନିଂ ଓ ନିର୍ମାଣ କାର୍ଯ୍ୟ ବି ଠିକ୍‌ ନାହିଁ। ଏଥିପାଇଁ ଯାତାୟତରେ ଯେତିକି ସୁବିଧା ହେବା କଥା, ତା’ଠାରୁ ଢ଼େର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସହରବାସୀ। ନିର୍ମାଣଧୀନ ଆଇଟିଆଇ ଆର୍‌ଓବି ଗତ ୨୦୧୭ ମେ’ ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ଜମି ବିବାଦରେ ଅଟକିଛି। ବନ୍ଧମୁଣ୍ଡା କୁକୁଡା ଗେଟ୍‌, ମାଲଗୋଦାମ ଆର୍‌ଓବି ୨୦୧୮ ଡିସେମ୍ବରରୁ ନିର୍ମାଣ କାମ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ଦୁଇଟି ଆର୍‌ଓବି ନିର୍ମାଣ କାମ ପାଇଁ ରାଉରକେଲାର ଦୁଇଟି, କଟକର ଗୋଟିଏ ଏମିତି ମୋଟ୍‌ ତିନିଟି ଠିକା ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ। ପିଡବ୍ଲ୍ୟୁଡି ରାଉରକେଲାର ଏକ ଠିକା ସଂସ୍ଥାକୁ ଦୁଇଟି ଆର୍‌ଓବିର କାମ ମିଳିଥିଲା, ଯାହାକୁ ଅନ୍ୟ ରାଉରକେଲାର ଅନ୍ୟ ଏକ ଠିକା ସଂସ୍ଥା ବିରୋଧ କରିଥିଲା। କେଉଁ ଆଧାରରେ ସେହି ସଂସ୍ଥାକୁ ଏକକାଳୀନ ଦୁଇଟି ଆର୍‌ଓବି ନିର୍ମାଣ କାମ ଦିଆଗଲା ବୋଲି ପିଡବ୍ଲ୍ୟୁଡି କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ଚାହିଁଥିଲା। ସମସ୍ତ ସର୍ତ୍ତ ପୂରଣ କରିଥିବାରୁ ସମ୍ପୃକ୍ତ ଠିକା ସଂସ୍ଥାକୁ ଦୁଇଟି ଆର୍‌ଓବିର ନିର୍ମାଣ କାର୍ଯ୍ୟ ଦିଆଯାଇଛି ବୋଲି ପିଡବ୍ଲ୍ୟୁଡିର ବିଭାଗୀୟ ଅଧିକାରୀ ଉତ୍ତର ରଖିଥିଲେ। ହେଲେ ଉତ୍ତର ସନ୍ତୋଷଜନକ ନ ଥିବା ଦର୍ଶାଇ ଠିକା ସଂସ୍ଥାର ମାଲିକ ଟେଣ୍ଡର ପ୍ରକ୍ରିୟାକୁ ଚାଲେଞ୍ଜ କରି କୋର୍ଟରେ ଆଶ୍ରୟ ନେଇଛି, ଯାହା ବର୍ତ୍ତମାନ ବିଚରାଧୀନ ରହିଛି। ଆସନ୍ତା ଜୁଲାଇ ୨୫ରେ ହେବାକୁ ଥିବା ଶୁଣାଣିରେ ଠିକା ସଂସ୍ଥା ଆର୍‌ଓବି ନିର୍ମାଣ କରିବ କି ନାହିଁ ସ୍ପଷ୍ଟ ହେବ। ଅନୁରୂପ ଭାବେ ଆଇଡିସି କଲୁଙ୍ଗା ସ୍କୁଲ ନିକଟ ଆର୍‌ଓବି ନିର୍ମାଣ ପାଇଁ ଟେଣ୍ଡର ଶେଷ ହୋଇଛି। କଟକର ଏକ ଠିକା ସଂସ୍ଥାକୁ ନିର୍ମାଣ କାମ ହସ୍ତାନ୍ତର କରାଯାଇଛି। ଏହାକୁ କଡା ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ବିଜେପି ନେତା। ସ୍କୁଲ ନିକଟ ପରିବର୍ତ୍ତେ କଲୁଙ୍ଗା ମୁଖ୍ୟ ମାର୍କେଟ ଆର୍‌ଓବି ନିର୍ମାଣ କାମ କରିବାକୁ ସେମାନେ ଅଡି ବସିଛନ୍ତି। ଆଇଟିଆଇ ଆର୍‌ଓବିର ନିର୍ମାଣ କାମ ୭୫% ଶେଷ ହୋଇଛି। ମାତ୍ର ୬ ଡେସିମିଲ୍‌ ଜମି ପାଇଁ ଅବଶିଷ୍ଟ ୨୫% କାମ ବାକି ରହିଛି। ସମ୍ପୃକ୍ତ ଜମି ସେମାନଙ୍କର ବୋଲି ଦାବି କରିଛନ୍ତି ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା ଓ ଅନ୍ୟ ଜଣେ ବ୍ୟକ୍ତି। ଜିଲ୍ଲା ପ୍ରଶାସନ ବିବାଦର ସମାଧାନ କରି ପୂର୍ବଦାବିଦାର ସେହି ବ୍ୟକ୍ତିଙ୍କୁ ଆଗାମୀ ୨୫ରେ ଦାବି ମୁତାବତ ଟଙ୍କା ଦେବାକୁ ରାଜି ହୋଇଥିଲା। ଏହାକୁ କଡା ବିରୋଧ କରିଛି କ୍ଷେତ୍ରୀୟ ମହାସଭା। ଅତିରିକ୍ତ ଜିଲ୍ଲାପାଳ ଓ ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖି ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ନ ଦେବାକୁ ମହାସଭା ଦାବି କରିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେଉଛି ତାହା ସ୍ପଷ୍ଟ ହୋଇନାହିଁ। ଏସବୁ ବିବାଦ ଭିତରେ ନିର୍ମାଣଧୀନ ଆଇଟିଆଇ ସହ ବନ୍ଧମୁଣ୍ଡା କୁକୁଡା ଗେଟ୍‌, ମାଲଗୋଦାମ, କଲୁଙ୍ଗା ଆର୍‌ଓବିର ଭାଗ୍ୟ କ’ଣ ହେଉଛି, ତାହା ଭବିଷ୍ୟତ ହିଁ କହିବ। ସେପେଟେ ସ୍ମାର୍ଟ ସିଟି ରାଉରକେଲା ଦେଇ ହାୱଡା -ବମ୍ବେ ଲାଇନରେ ଦୈନିକ ପ୍ରାୟ ୧୪୦ରୁ ଅଧିକ ଏକ୍ସପ୍ରେସ୍‌, ପାସେଞ୍ଜର, ମାଲଗାଡି ଯାତାୟତ କରିଥାଏ। ଆରଓବି ନିର୍ମାଣ ହେଉଥିବାରୁ ଦୈନିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଲେକାମାନେ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜରୁରୀ କାମରେ ଯାଉଥିବା ଲୋକମାନଙ୍କୁ ଅଧିକ ଦହଗଞ୍ଜର ହେବାକୁ ପଡୁଛି। ସ୍ଥାନୀୟ ଜନ ପ୍ରତିନିଧି ଓ ରାଜନୈତିକ ଦଳର ନେତାଙ୍କ ଇଚ୍ଛାଶକ୍ତି ଅଭାବରୁ ଦୈନନ୍ଦିନ ସହରବାସୀଙ୍କୁ ଏମିତି ସମସ୍ୟା ଭୋଗିବାକୁ ପଡୁଛି। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୬ ବର୍ଷ ତଳେ ବନ୍ଧମୁଣ୍ଡା -କଲୁଙ୍ଗା ମଧ୍ୟରେ ୮ଟି ଆର୍‌ଓବି ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଉଭୟ ରେଳବାଇ ଓ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିଲେ। ଏଲ୍‌ଏସି ନଂ ୨୧୦ ବାସନ୍ତି କଲୋନି, ଏଲ୍‌ଏସି ନଂ ୨୧୧ ଏସ୍‌ଟିଆଇ ପାଇଁ ୪୦.୫୬ କୋଟି, ଏଲ୍‌ଏସି ନଂ ୨୧୨ ଆଇଟିଆଇ ପାଇଁ ୪୩.୪୨ କୋଟି, ଏଲ୍‌ଏସି ନଂ ୯ ମାଲଗୋଦାମ ପାଇଁ ୪୬.୯୫ କୋଟି, ଏଲ୍‌ଏସି ନଂ ୨୦୭ ବନ୍ଧମୁଣ୍ଡା କୁକୁଡା ଗେଟ୍‌ ପାଇଁ ୪୪.୫୬ କୋଟି, ଏଲ୍‌ଏସି ନଂ ୨୧୩ ଆଇଡି କଲୁଙ୍ଗା ପାଇଁ ୧୪.୯୫ କୋଟି, ଏଲ୍‌ସି ନଂ ୨୧୪ ଆଇଡି କଲୁଙ୍ଗା (୨) ପାଇଁ ୫୨.୫୩ କୋଟି, ଏଲ୍‌ସି ନଂ ୨୧୫ କଲୁଙ୍ଗା (୩) ପାଇଁ ୨୫.୩୩ କୋଟି ମଞ୍ଜୁରି ହୋଇଥିଲା।

ସମ୍ବନ୍ଧିତ ଖବର