ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧.୨୫ କୋଟି ଟଙ୍କା ମୂଲ୍ୟର ୪.୫ କିଲୋ ଚୋରା ସୁନା ଜବତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର କଷ୍ଟମ ଅଧିକାରୀମାନେ ବୁଧବାର ଅପରାହ୍ନରେ ଦୁଇଟି ପୃଥକ ପୃଥକ ଘଟଣାରେ ପ୍ରାୟ ୧.୨୫ କୋଟି ଟଙ୍କା ମୂଲ୍ୟର ୪.୫ କିଲୋ ଓଜନର ଚୋରା ସୁନା ଜବତ କରିଛନ୍ତି। ଏହି ଘଟଣାରେ ୨ ଜଣ ଚୋରା ସୁନା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛନ୍ତି କଷ୍ଟମ ଅଧିକାରୀ।


ଦାମନରୁ ଏକ ବିମାନରେ ଆସିଥିବା ଜନୈକ ବ୍ୟକ୍ତି ସାଙ୍ଗରେ ୨ କିଲୋ ୫୦୦ ଗ୍ରାମ ଓଜନର ଚୋରା ସୁନାକୁ ୧୦ଟି ଏର୍ମଜେନ୍ସୀ ଲାଇଟ ବ୍ୟାଟେରି ମଧ୍ୟରେ ୪୦ଟି ସୁନା ଚଦର ଆକାରରେ ପୂରାଇ ଚାଲାଣ କରୁଥିବା ବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର କଷ୍ଟମ ଅଧିକାରୀମାନଙ୍କ ହାତରେ ଧରା ପଡ଼ିଥିଲେ। କଷ୍ଟମ ଅଧିକାରୀମାନେ ଚୋରା ସୁନାକୁ ଜବତ କରିବା ସହ ସଂପୃକ୍ତ ଚୋରା ଚାଲାଣକାରୀକୁ ଗିରଫ କରିଛନ୍ତି। ଜବତ ହୋଇଥିବା ଏହି ସୁନାର ମୂଲ୍ୟ ପ୍ରାୟ ୭୫.୬୫ ଲକ୍ଷ ଟଙ୍କା ହେବ।


ସେହିପରି ଅନ୍ୟ ଏକ ଘଟଣାରେ ଦୁବାଇରୁ ଜଣେ ଚୋରା ସୁନା ଚାଲାଣକାରୀ ସାଙ୍ଗରେ ୧ କିଲୋ ୯୨୦ ଗ୍ରାମ ଓଜନର ଚୋରା ସୁନାକୁ ଧରି ଆସୁଥିବା ବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର କଷ୍ଟମ ଅଧିକାରୀମାନଙ୍କ ହାତରେ ଧରା ପଡ଼ିଛନ୍ତି। ସଂପୃକ୍ତ ଚୋରା ସୁନା ଚାଲାଣକାରୀ ଜଣକ ଅତ୍ୟନ୍ତ ଚତୁରତାର ସହ ପିଲାଙ୍କ ସ୍କୁଲ ବ୍ୟାଗ ଓ କାର୍ଡବୋର୍ଡ ବାକ୍ସ ମଧ୍ୟରେ ପୂରାଇ ଚାଲାଣ କରୁଥିବା ବେଳେ କଷ୍ଟମ ଅଧିକାରୀମାନେ ତାଙ୍କ ନିକଟରୁ ଏହି ଚୋରା ସୁନାକୁ ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଜବତ ହୋଇଥିବା ଏହି ଚୋରା ସୁନାର ମୂଲ୍ୟ ପ୍ରାୟ ୫୮.୦୯ ଲକ୍ଷ ଟଙ୍କା ହେବ।

ସମ୍ବନ୍ଧିତ ଖବର