ଦିଲ୍ଲୀରେ ସିଏଏ ନିଆଁ : ୫ ମୃତ, ୫୦ ଆହତ

ଜରୁରୀ ‌ବୈଠକ ଡାକିଲେ ଶାହ : ‘ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ଜାଣିଶୁଣି ହିଂସା‌ ସୃଷ୍ଟି କରାଯାଇଛି’

ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ
ପ୍ରବଳ ଟେକାମାଡ଼, ଗୁଳି ଚାଳନା
ଘର, ଗାଡ଼ି ଜାଳିଦେଲେ; ୧୪୪ ଜାରି

ଲକ୍ଷ୍ନୌ : ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ଆଜି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଏହି କାରଣରୁ ହୋଇଥିବା ଭୟଙ୍କର ସଂଘର୍ଷରେ ୫ ଜଣ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି। ୫୦ ଜଣ ଆହତଙ୍କ ମଧ୍ୟରେ ଜଣେ ଡିସିପି ରୢାଙ୍କ୍‌ର ଅଧିକାରୀ ମଧ୍ୟ ଅଛନ୍ତି। ସମସ୍ତ ଆହତମାନେ ଗୁରୁ ତେଜ ବାହାଦୁର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ଏଭଳି ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏହା ପ୍ରାୟୋଜିତ ହିଂସା ଏବଂ ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରାଯାଇଥିବା ସ୍ବରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳ‌ରେ ଆଜି ସିଏଏ ବିରୋଧୀ ଆନ୍ଦୋଳନକାରୀ ଏବଂ ସିଏଏ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ପଥର ମାଡ଼ କରିଥିଲେ। ତେବେ ଜଫରବାଦ୍‌ ଏବଂ ମୌଜପୁର ନିକଟରେ ସ୍ଥିତି ଅତି ଭୟଙ୍କର ହୋଇଥିଲା। ମୌଜପୁର ଅଞ୍ଚଳରେ ମୁତୟନ ହୋଇଥିବା ମୁଖ୍ୟ କନେଷ୍ଟବଳ ରତନ ଲାଲ୍‌ (୪୨) ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଗୁରୁତର ଆହତ ହୋଇଥିଲେ। ରତନ ଲାଲ୍‌ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ମୁଣ୍ଡରେ ପଥର ମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କର ଶରୀରରେ ଗୁଳି ବାଜିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କୁ ମହମ୍ମଦ ଫରକାନ୍‌ ବୋଲି ଚିହ୍ନଟ କରାଯାଇଛି। ଏହାସହିତ ଆଊଉ ଦୁଇ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି।

ମୌଜପୁରରେ ଆଜି ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ମୁଖ୍ୟ ବଜାରକୁ ପ୍ରବେଶ କରି ଅନେକ ଘର ଏବଂ ଦୋକାନବଜାରରେ ନିଆଁ ଲଗାଇଦେଇଛନ୍ତି। । ଆନ୍ଦୋଳନକାରୀ ପୁଲିସ ଗାଡ଼ି ଏବଂ ଅଗ୍ନି ନିର୍ବାପକ ଗାଡ଼ି ଏବଂ ‌ପେଟ୍ରୋଲ ପମ୍ପ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ୧୦ଟି ସ୍ଥାନରେ ଆଜି ୧୪୪ ଜାରି ହୋଇଛି। ଜଣେ ଆନ୍ଦୋଳନକାରୀ ବନ୍ଧୁକ ଧରି ପୁଲିସ ଆଡକୁ ମାଡି ଆସିଥିବାର ମଧ୍ୟ ଦେଖାଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସିଆରପିଏଫକୁ ମୁତୟନ କରାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ଦେଶ ବି‌ରୋଧୀ ଏବଂ ହିଂସା ସୃଷ୍ଟି କରୁଥିବା ଦୁବୃର୍ତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଆଜି କଡ଼ା ଚେତାବନୀ ଦିଆଯାଇଛି। ‌କଂଗ୍ରେସ ଆଜି ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛି ଯେ, ଦିଲ୍ଲୀରେ ବିଜେପି ନେତାଙ୍କ ଘୃଣା ସୃଷ୍ଟିକାରୀ ବୟାନ ଏବଂ ଦିଲ୍ଲୀ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ କେନ୍ଦ୍ର ଗୃହମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, ସ୍ଥିତ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବହୁସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ବୋଲି ସେ କହିଛନ୍ତି।

ହିଂସା ପରେ ଆଜି ଦିଲ୍ଲୀ ମେଟ୍ରୋ ପକ୍ଷରୁ ୫ଟି ଷ୍ଟେସନ୍‌ ବନ୍ଦ କରି ଦିଆଯାଇଛି। ଜାଫରାବାଦ୍‌, ମୌଜପୁର, ବାବରପୁର, ଗୋକୁଳପୁରୀ, ଜୋହରି ଏନ୍‌କ୍ଲେଭ୍‌ ଏବଂ ଶିବ ବିହାରର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର ବନ୍ଦ ରହିଛି। ତେବେ ଦିଲ୍ଲୀରେ ହିଂସା ପାଇଁ ସିପିଏମ୍‌ ସାଧାରଣ ସଚିବ ସୀତାରାମ ୟେଚୁରୀ କେନ୍ଦ୍ରକୁ ଦାୟୀ କରିଛନ୍ତି ଏବଂ ଶାନ୍ତି ରକ୍ଷା ପାଇଁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ଗତକାଲି ଠାରୁ ଦୁଇ ପକ୍ଷ୍ୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।

ଜରୁରୀ ‌ବୈଠକ ଡାକିଲେ ଶାହ : ‘ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ଜାଣିଶୁଣି ହିଂସା‌ ସୃଷ୍ଟି କରାଯାଇଛି’
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଦିଲ୍ଲୀରେ ବ୍ୟାପକ ହିଂସା ଘଟିଛି। ହିଂସା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଟ୍ରମ୍ପ୍‌ଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଜାଣିଶୁଣି ଏଭଳି ହିଂସା ସୃଷ୍ଟି କରାଯାଇଛି। ପୁଲିସ କଣ୍ଟ୍ରୋଲ ରୁମ୍‌ରେ ଥିବା ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ଅତି ଭଲଭାବେ ସ୍ଥିତି ଯାଞ୍ଚ କରୁଛନ୍ତି ବୋଲି କୁହାଯାଇଛି। ଅନ୍ୟପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହି ହିଂସା ଘଟିବାପରେ ଦିଲ୍ଲୀର ବରି‌ଷ୍ଠ ଅଧିକାରୀମାନଙ୍କର ଏକ ଜରୁରୀ ବୈଠକ ଡାକିଛନ୍ତି।

ସମ୍ବନ୍ଧିତ ଖବର