ପ୍ରଧାନମନ୍ତ୍ରୀ ମୋଦି ନିବାସ ଘେରିଲେ ଆପ୍‌ କର୍ମକର୍ତ୍ତା, ମଣ୍ଡି ହାଉସ୍‌ରେ ସମର୍ଥକ ଏକାଠି ହେବା ପରେ ୫ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବାସକୁ ଘେରିଛନ୍ତି। ଦିଲ୍ଲୀରେ ଗତ ୭ ଦିନ ହେବ କେଜ୍ରିଓ୍ଵାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ଆପ୍‌ର ନେତାମାନେ ପ୍ରଧାନମନ୍ତ୍ରୀ ନିବାସ ୭ ଲୋକ କଲ୍ୟାଣ ମାର୍ଗକୁ ଘେରିବାକୁ ଏକାଠି ହୋଇଛନ୍ତି। ଆପ୍‌ ନେତାଙ୍କ ମେଳିକୁ ଦେଖି ଦିଲ୍ଲୀର ୫ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି।

ଡିଏମ୍‌ଆରସି ପୂର୍ବରୁ ଲୋକ କଲ୍ୟାଣ ମାର୍ଗ ଷ୍ଟେସନ ଉପରେ ଅପରାହ୍ନ ୧୨ଟାରେ ପ୍ରବେଶ ଓ ପ୍ରସ୍ଥାନକୁ ବନ୍ଦ କରି ଦେଇଛି। ଏହା ପରେ କେନ୍ଦ୍ରୀୟ ସଚିବାଳୟ, ଉଦ୍ଦ୍ୟୋଗ ଭବନ, ପଟେଲ ଛକ ଓ ଜନପଥ ଷ୍ଟେସନ ଅପରାହ୍ନରେ ବନ୍ଦ ହୋଇ ଯାଇଛି। କେନ୍ଦ୍ରୀୟ ସଚିବାଳୟ ଷ୍ଟେସନରେ ଇଣ୍ଟରଚେଞ୍ଜ ବ୍ୟବସ୍ଥା ଉପଲବ୍ଧ ଅଛି।

ସନ୍ଧ୍ୟା ୫ଟାରେ ଆପ୍‌ ନେତାମାନେ ପ୍ରଧାନମନ୍ତ୍ରୀ ନିବାସ ଘେରିବାକୁ ୭ କଲ୍ୟାଣ ମାର୍ଗ ବାହାରିଛନ୍ତି। ଦିଲ୍ଲୀ ଶିକ୍ଷକ ସଂଘ ମଧ୍ୟ ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କରିଛି। ଆପ୍‌ର ପ୍ରଦର୍ଶନ ଯୋଗୁଁ ଯାନବାହାନ ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡ଼ା ହୋଇଛି। ସିପିଆଇ(ଏମ୍‌) ମଧ୍ୟ ଆପ୍‌ର ସମର୍ଥନରେ ବାହାରିଛି। ଆପ୍‌ ନେତା ସଞ୍ଜୟ ସିଂହଙ୍କ ସହିତ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀ ପ୍ରଦର୍ଶନ ସ୍ଥଳରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସାଥୀରେ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଘର ଆଗରେ ଗୋଟିଏ ସପ୍ତାହ ହେବ ଅନଶନରେ ବସିଛନ୍ତି। ଉପରାଜ୍ୟପାଳଙ୍କ କୌଣସି ପ୍ରତିକ୍ରିୟା ମିଳି ନଥିବାରୁ ଆପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବାସ-୭, ଲୋକ କଲ୍ୟାଣ ମାର୍ଗରେ ଶୋଭାଯାତ୍ରା କରିବାକୁ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର