୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରାଇବା ନିମନ୍ତେ କେନ୍ଦ୍ର ସରକାର କାମ କରୁଛି ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହା ହାସଲ କରିବାକୁ ସରକାର କୃଷି ବଜେଟ୍‌କୁ ଦୁଇଗୁଣ କରି ୨. ୧୨ ଲକ୍ଷ କୋଟି କରାଯାଇଛି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ଚାଷୀଙ୍କୁ ଉଦ୍‌ବୋଧନ ଦେଇ ମୋଦି କହିଲେ: ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟ ଯେମିତି ଦୁଇଗୁଣ ହେବ ସେ କଥା ନିଶ୍ଚିତ କରିବାକୁ ଆମ ସରକାର କାମ କରୁଛି। ସେଥିପାଇଁ ଯେତେବେଳେ ଯାହା ସହଯୋଗ ଆବଶ୍ୟକ ଆମେ ତା’ର ସୁବିଧା କରୁଛୁ। ଭାରତର ଚାଷୀଙ୍କ ଉପରେ ଆମର ବିଶ୍ୱାସ ଅଛି।

ଭାତରର ୬୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାର ଚାଷୀମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଥିଲେ।

ସେ କହିଲେ ଯେ, କୃଷି ଆୟ ବଢ଼ାଇବାକୁ ସରକାରଙ୍କ ନୀତିର ଚାରି ସ୍ତମ୍ଭ ହେଉଛି ବିନିଯୋଗ ଖର୍ଚ୍ଚ କମାଇବା, ଫସଲର ଉପଯୁକ୍ତ ମୂଲ୍ୟ, ଫସଲ ପଚିଶଢ଼ା ହେବାରୁ ରକ୍ଷା କରିବା ଏବଂ ବିକଳ୍ପ ରୋଜଗାର ସୂତ୍ର ସୃଷ୍ଟି କରିବ।

ସେ ପୁଣି କହିଲେ ଯେ ଦେଶ କେବଳ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେବା ଦେଖୁ ନାହିଁ, ଦୁଗ୍ଧ, ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ ସବୁ ସମୟରେ ଅଧିକ ହେଉଛି।

କୃଷିର ସମସ୍ତ ପର୍ଯ୍ୟାୟରେ ଚାଷୀମାନଙ୍କୁ ସହାୟତା ଯୋଗାଇବାକୁ ଆମର ଉଦ୍ୟମ ଚାଲିଛି। ବିହନ ବୁଣିବା ଠାରୁ ଫସଲ ଅମଳ ହେବା ଯାଏ ସହାୟତା ଯୋଗାଇ ଦିଆଯିବ।

ମାଟିର ପୋଷକତତ୍ତ୍ୱ ବୁଝିବା ପାଇଁ ଚାଷୀମାନଙ୍କୁ ସଏଲ୍‌ ହେଲ୍‌ଥ୍‌ କାର୍ଡ ଯୋଗାଇ ଦିଆଯିବା ସହ ସାର ପ୍ରୟୋଗର ମାତ୍ରା ବୁଝାଇ ଦିଆଯିବ।
ଉତ୍ତମ ମାନର ବିହନ କ୍ରୟ କରିବାକୁ ଋଣ ଯୋଗାଇ ଦିଆଯିବ।

ଫସଲ ବିକ୍ରୟ ବେଳେ ମଧ୍ୟସ୍ଥି ହଟାଇବାକୁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଇ-ନାମ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର