ଆଇପିଏଲ୍‌ ବେଟିଂରେ ସଂପୃକ୍ତିକୁ ସ୍ୱୀକାର କଲେ ଅରବାଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା-ପ୍ରଯୋଜକ ଅରବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଗତକାଲି ହାଜର ହେବା ଲାଗି ସମନ ପାଇବା ପରେ ଶନିବାର ସକାଳେ କଡ଼ା ସୁରକ୍ଷା ଭିତରେ ଅରବାଜ୍‌ ଥାନେ ପୁଲିସର କ୍ରାଇମବ୍ରାଞ୍ଚ ଶାଖାରେ ହାଜର ହୋଇଥିଲେ। ତାଙ୍କୁ ପୁଲିସ ଆଇପିଏଲ୍‌ ବେଟିଂ ମାମଲାରେ ଗିରଫ ହୋଇଥିବା ବୁକି ସୋନୁ ଜଲାନ୍‌ ସହ ସାମ୍ନାସାମ୍ନି ବସାଇ ଜେରା କରିଥିଲା। ଜେରା ସମୟରେ ଅରବାଜ୍‌ ତାଙ୍କର ସଂପୃକ୍ତିକୁ ସ୍ୱୀକାର କରିଥିବା ଜଣାପଡ଼ିଛି।

www.nagpurtoday.in

ଗତ ମେ ୧୫ ତାରିଖରେ ପୁନେ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ଆଇପିଏଲ୍‌ ବେଟିଂ ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା। ସେଥିମଧ୍ୟରେ ଦେଶର ଦୁଇ ଜଣ କୁଖ୍ୟାତ ବୁକି ସୋନୁ ଜଲାନ ଓ ସୋନୁ ମଲାଡ୍‌ ଥିଲେ। ସୋନୁ ଜଲାନ୍‌ର ଡାଏରିରୁ ଅରବାଜଙ୍କ ସଂପୃକ୍ତି ବିଷୟରେ ଜଣାପଡ଼ିଥିଲା। କେବଳ ଆରବାଜ୍‌ ନୁହଁନ୍ତି ଆଉ କିଛି ବଲିଉଡ କଳାକାର ଛଦ୍ମନାମରେ ବେଟିଂରେ ଅର୍ଥ ଲଗାଇଥିବା ସୂଚନା ମିଳିଛି। କୁଖ୍ୟାତ ବୁକି ସୋନୁ ଜଲାନ ସହ ଏକ ଫଟୋରେ ଅରବାଜ୍‌ ବସିଥିବା ଦେଖିବା ପରେ ତାଙ୍କ ସଂପୃକ୍ତି ନେଇ ପୁଲିସର ସନ୍ଦେହ ହୋଇଥିଲା । ଏହାପରେ ଥାନେ ପୁଲିସ୍‌ ଖୋଳତାଡ ଆରମ୍ଭ କରିଥିଲା।

ଜେରା ସମୟରେ ଅରବାଜ୍‌ ସ୍ୱୀକାର କରିଛନ୍ତି କି ସେ ୨୦୧୭ ମସିହାରେ ଆଇପିଏଲ୍‌ ବେଟିଂରେ ଅର୍ଥ ଲଗାଇ ଥିଲେ ଓ ୨.୭ କୋଟି ହରାଇଛନ୍ତି। ତେବେ ୨୦୧୮ ଆଇପିଏଲ୍‌ରେ ସେ ବେଟିଂରେ ଅର୍ଥ ଲଗାଇ ନାହାନ୍ତି ବୋଲି କହିଛନ୍ତି। ମାତ୍ର ଥାନେ ପୁଲିସ ପକ୍ଷରୁ ପ୍ରାଥମିିକ ତଦନ୍ତରୁ ଜଣାପଡ଼ିଛି କି ଗତ ୬ ବର୍ଷ ଧରି ଅରବାଜ୍‌ ବେଟିଂରେ ଅର୍ଥ ଲଗାଇ ଆସୁଛନ୍ତି। ଏହି ବେଟିଂ କାରବାର ସହ ଅଣ୍ଡରଓ୍ଵାର୍ଲଡ଼୍‍ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସଂପୃକ୍ତି ରହିଛି। ବୁକି ସୋନୁ ଜଲାନ୍‌ ସହ ଅରବାଜ୍‌ଙ୍କର ଆର୍ଥିକ କାରବାର ମଧ୍ୟ ପୁଲିସ ଯାଞ୍ଚ କରୁଛି। ଜଲାନ୍‌ ଡ଼ି କମ୍ପାନି ସହ ପ୍ରତ୍ୟକ୍ଷଭାବେ ଜଡ଼ିତ ବୋଲି ପୁଲିସ ପ୍ରମାଣ ପାଇଛି।

ସମ୍ବନ୍ଧିତ ଖବର