କର୍ଣ୍ଣାଟକ ଭଳି ଆମକୁ ବି ସୁଯୋଗ ମିଳୁ ୪ ରାଜ୍ୟରେ ସରକାର ଗଢିବାକୁ ବିରୋଧୀଙ୍କ ଦାବି
ବିହାର, ଗୋଆ, ମଣିପୁର, ମେଘାଳୟ ରାଜନୀତିରେ ହଟଚମଟ
ନୂଆଦିଲ୍ଲୀ: ‘ଆବଶ୍ୟକ ସଂଖ୍ୟା ନଥାଇ କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ଯେମିତି ସୁଯୋଗ ମିଳିଲା ସେହି ଫର୍ମୁଲାରେ ଆମକୁ ମଧ୍ୟ ସରକାର ଗଠନ ପାଇଁ ସୁଯୋଗ ମିଳୁ।’ ବିଧାନସଭା ନିର୍ବାଚନରେ ଅନ୍ୟ ଦଳ ତୁଳନାରେ ଅଧିକ ଆସନ ହାସଲ ସତ୍ତ୍ୱେ ସରକାର ଗଠନରୁ ବଞ୍ଚିତ ୪ଟି ରାଜ୍ୟର ବିରୋଧୀ ଦଳ ଆଜି ଏଭଳି ଦାବି କରିଛନ୍ତି। ଏହି ୪ଟି ରାଜ୍ୟ ହେଲେ ଗୋଆ,ମଣିପୁର, ମେଘାଳୟ ଓ ବିହାର। ଏହି ଦଳଗୁଡ଼ିକ ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ ସେମାନେ ରାଜ୍ୟପାଳଙ୍କୁ ସାକ୍ଷାତ ପାଇଁ ସମୟ ଲୋଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଳେଖଯୋଗ୍ୟ, ଗୋଆ, ମଣିପୁର ଓ ମେଘାଳୟରେ କଂଗ୍ରେସକୁ ସର୍ବାଧିକ ଆସନ ମିଳିଥିବା ବେଳେ ବିହାରରେ ଆରଜେଡିକୁ ସର୍ବାଧିକ ଆସନ ମିଳିଥିଲା। ଗତବର୍ଷ ହୋଇଥିବା ଗୋଆ ନିର୍ବାଚନରେ ୪୦ଟି ଆସନରୁ କଂଗ୍ରେସ ସର୍ବାଧିକ ୧୯ଟି ଆସନ ପାଇଥିବା ସତ୍ତ୍ୱେ ରାଜ୍ୟପାଳ ବିଜେପି ସମର୍ଥିତ ମେଣ୍ଟ ଦଳଙ୍କୁ ସରକାର ଗଢିବା ପାଇଁ ସୁଯୋଗ ଦେଇଥିଲେ। ତେଣୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ମୃଦୁଲା ସିହ୍ନାଙ୍କ ସହ ଆଲୋଚନା କରି କଂଗ୍ରେସ ସରକାର ଗଢିବାକୁ ଦାବି କରିବ ବୋଲି ଗୋଆ କଂଗ୍ରେସ ସଭାପତି ଗିରିଶ ଚୋଡଙ୍କର କହିଛନ୍ତି। ସେହିଭଳି ମଣିପୁରରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରମ ଇବୋବି ସିଂହ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୧୫ରେ ହୋଇଥିବା ବିହାର ନିର୍ବାଚନରେ ମଧ୍ୟ ଲାଲୁଯାଦବଙ୍କ ଆରେଜେଡି ସର୍ବାଧିକ ୮୦ଟି ଆସନ ଦଖଲ କରିଥିଲା। ତେଣୁ ରାଜ୍ୟପାଳଙ୍କ ନିୟମ ରାଜ୍ୟ ଅନୁସାରେ କିଭଳି ଭାବେ ବଦଳିପାରୁଛି ବୋଲି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି। ବିହାରରେ ନିଜ ଦଳୀୟ ବିଧାୟକଙ୍କ ସମର୍ଥନ ସହିତ ପରେଡ ମଧ୍ୟ କରାଇବେ ବୋଲି ତେଜସ୍ୱୀ କହିଛନ୍ତି। ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ମଧ୍ୟ ଅନୁରୂପ ଦାବି କରି ସରକାର ଗଢିବାକୁ ରାଜ୍ୟପାଳଙ୍କଠାରୁ ଅନୁମତି ମାଗିବେ ବୋଲି କହିଛନ୍ତି। କର୍ଣ୍ଣାଟକରେ ରାଜ୍ୟପାଳ ଗଣତନ୍ତ୍ରର ହତ୍ୟା କରିଥିବା ଅଭିଯୋଗ କରି ଶୁକ୍ରବାର ବିହାରରେ ଆର୍ଜେଡି ରାଜ୍ୟବ୍ୟପୀ ଧାରଣା ଦେବ ବୋଲି ଘୋଷଣା କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳ ବଜୁଭାଇ ବାଲା ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ପାଇଁ ୟେଦୁରପ୍ପାଙ୍କୁ ୧୫ ଦିନର ମହଲତ ଦେଇ ବିଧାୟକ କିଣା ବିକାକୁ ପ୍ରୋତ୍ସାହନ ଦେଇଛନ୍ତି। କର୍ଣ୍ଣାଟକ ଫର୍ମୁଲାକୁ ନେଇ ବିରୋଧୀ ଦଳ ଏହାସହିତ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ଗୋଆ,ମଣିପୁରରେ ଶାସନ କ୍ଷମତା ଦଖଲ ପାଇଁ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ଖେଳିଥିବା ବାଜି ଆଜି ତାଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି।
ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ବିଭିନ୍ନ ନେତା ଓ ଦଳର ପ୍ରତିକ୍ରିୟା
ଆରଜେଡି ନେତା ତେଜସ୍ୱୀ ଯାଦବ: କର୍ଣ୍ଣାଟକରେ ଗଣତନ୍ତ୍ରର ହତ୍ୟାପାଇଁ ଆମେ ଆସନ୍ତାକାଲି ଧାରଣା କରିବୁ। ଆମେ ମଧ୍ୟ ବିହାରରେ ରାଜ୍ୟପାଳଙ୍କୁ ସରକାର ଭାଙ୍ଗିବାପାଇଁ ଅନୁରୋଧ କରିବୁ। କର୍ଣ୍ଣାଟକରେ ଯେମିତି ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳକୁ ସରକାର ଗଢ଼ିବାପାଇଁ ଆମନ୍ତ୍ରଣ କରିଛନ୍ତି ବିହାରରେ ମଧ୍ୟ ଆରଜେଡିକୁ ସେହି ସୁଯୋଗ ମିଳୁ ବୋଲି ସେ କହିଛନ୍ତି।
ଶତୃଘ୍ନ ସିହ୍ନା: ଆବଶ୍ୟକୀୟ ବିଧାୟକଙ୍କ ସମର୍ଥନ ନଥାଇ ମଧ୍ୟ ବିଜେପି କର୍ଣ୍ଣାଟକରେ ସରକାର ଗଢିଛି। କିନ୍ତୁ ଜନ ଶକ୍ତି ଉପରେ ଧନ ଶକ୍ତି ଭାରୀ ହେବା ଗ୍ରହଣୀୟ ନୁହେଁ।
ବିଏସପି ସୁପ୍ରିମୋ ମାୟାବତୀ: ବାବା ସାହେବ ଆମ୍ବେଦକରଙ୍କ ସ୍ୱାରା ପ୍ରସ୍ତୁତ ହୋଇଥିବା ସମ୍ବିଧାନକୁ ଧ୍ୱଂସ କରିବାପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ: ଦେଶରେ ସମ୍ବିଧାନ ଉପରେ ଆକ୍ରମଣ ହୋଇଛି। ନ୍ୟାୟ ବ୍ୟବସ୍ଥାର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଇଛି।
ଏମ.କେ.ଷ୍ଟାଲିନ: ତାମିଲନାଡୁରେ ରାଜ୍ୟପାଳଙ୍କ ପଦ ମର୍ଯ୍ୟାଦାର ଅପମାନ କରିଥିବା ମୋଦି ସରକାର କର୍ଣ୍ଣାଟକରେ ମଧ୍ୟ ଅନୁରୂପ ଘଟଣା ଘଟାଇଛନ୍ତି।