ଥମୁନି ବିଜେପି ବିପର୍ଯ୍ୟୟ : ଉପନିର୍ବାଚନରେ ଲାଗିଲା ଝଟ୍‌କା, ୧୪ ମଧ୍ୟରୁ ୧୧ରେ ବିରୋଧୀଙ୍କ ଦବ୍‌ଦବା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଝଟ୍‌କା ଖାଇବାର ମାସେ ଯାଇନି ବିଜେପିକୁ ଆଜି ବଡ଼ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ୧୧ଟି ରାଜ୍ୟରେ ୧୦ଟି ବିଧାନସଭା ଓ ଲୋକସଭାର ୪ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଛି। ୪ଟି ଲୋକସଭା ଆସନ ମଧ୍ୟରୁ ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ଅନ୍ୟ ଗୋଟିଏ ଆସନରେ ଏହାର ସହଯୋଗୀ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତେବେ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ଉତ୍ତର ପ୍ରଦେଶର କୈରାନା ଆସନକୁ ମିଳିତ ବିରୋଧୀ ଦଳ ଛଡ଼ାଇ ନେଇଛନ୍ତି। କେବଳ ସେତିକି ନୁହେଁ, ମହାରାଷ୍ଟ୍ରର ଭନ୍ଦାରା-ଗୋନ୍ଦିଆ ଲୋକସଭା ଆସନରେ ମଧ୍ୟ ଦଳକୁ ସମଦଶା ଭୋଗିବାକୁ ପଡ଼ିଛି। ଏହି ଦୁଇଟି ଆସନ ବିଜେପି ହାତରେ ଥିଲା। ସେହିଭଳି ୧୦ଟି ବିଧାନସଭା ଆସନ ମଧ୍ୟରୁ ଦଳକୁ ଗୋଟିଏ ମାତ୍ର ମିଳିଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଏଭଳି ବିପର୍ଯ୍ୟୟ ଦଳୀୟ ନେତାମାନଙ୍କର ହୋସ୍‌ ଉଡ଼ାଇ ଦେଇଛି।

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ ଉପନିର୍ବାଚନ ବିପର୍ଯ୍ୟୟ ଯୋଗୁଁ ଲୋକସଭାରେ ବିଜେପି ବିପଦ ମୁହଁକୁ ଠେଲି ହୋଇଗଲାଣି। ୨୦୧୪ ଲୋକସଭା ନିର୍ବାଚନରେ ୨୮୨ ଆସନ ହାସଲ କରିଥିବା ବିଜେପିର ସଭ୍ୟସଂଖ୍ୟା ବିଭିନ୍ନ ଉପନିର୍ବାଚନ ପରେ ୨୭୩କୁ ଖସି ଆସିଛି। ସରକାର ଗଠନ ଲାଗି ୨୭୧ ଆସନ ଦରକାର ଥିବା ବେଳେ ଏହା ହାତରେ ମାତ୍ର ଦୁଇଟି ଅଧିକ ଆସନ ରହିଯାଇଛି। ଆଗାମୀ ଉପନିର୍ବାଚନରେ ଏଭଳି ବିପର୍ଯ୍ୟୟ ଜାରି ରହିଲେ ସରକାରରେ ରହିବାକୁ ପାଇଁ ବିଜେପିକୁ ଏହାର ସହଯୋଗୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଏବେ ପାର୍ଟିର ୪୨ ଜଣ ସହଯୋଗୀ ସଭ୍ୟ ଅଛନ୍ତି।

ବିଜେପି ପାଇଁ ସବୁଠାରୁ ବଡ଼ ମୁଣ୍ଡବ୍ୟଥା ହୋଇଛି ବିରୋଧୀ ଦଳଗୁଡ଼ିକର ମିଳିତ ଶକ୍ତି। ଉତ୍ତର ପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ଉପନିର୍ବାଚନରେ ବିଜେପି ବିରୋଧରେ ମଳିତ ପ୍ରାର୍ଥୀ ଦେଇ ବିରୋଧୀ ଯେଉଁ ସଫଳତା ହାସଲ କରିଥିଲେ ତାହାକୁ ସେମାନେ କର୍ଣ୍ଣାଟକ ବିଧାନସଭା ଏବଂ ଉପନିର୍ବାଚନରେ ଦୋହରାଇଛନ୍ତି। ତେବେ ଉତ୍ତର ପ୍ରଦେଶରେ ବିଜେପିକୁ ସବୁଠାରୁ ଲଜ୍ଜାଜନକ ପରାଜୟ ବରଣ କରିବାକୁ ପଡ଼ିଛି। ଏଠାରେ ମୋଦି ଯାଦୁ ଏବଂ ଯୋଗୀ କରିସ୍ମା ସବୁ ଫେଲ ମାରିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପାଇଥିବା ବିଜେପିକୁ ଉପନିର୍ବାଚନରେ କେବଳ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିଛି। ଗୋରଖପୁର ଏବଂ ଫୁଲପୁର ଲୋକସଭା ଆସନ ହରାଇଥିବା ବିଜେପି ଆଜି କୈରାନା ଲୋକସଭା ଆସନରେ ମଧ୍ୟ ପରାସ୍ତ ହୋଇଛି । ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି)ର ତବସୁମ୍‌ ହସନ ବିଜେପିର ମୃଗାଙ୍କା ସିଂହଙ୍କୁ ୫୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି ଆସନରେ ଆରଏଲ୍‌ଡି ପ୍ରାର୍ଥୀଙ୍କୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବିଏସ୍‌ପି ସମର୍ଥନ କରିଥିଲେ। ବିରୋଧୀଙ୍କ ଏହି ଚକ୍ରବ୍ୟୂହକୁ ବିଜେପି ଭେଦ କରିବାରେ ଅକ୍ଷମ ହୋଇଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ବିଜେପି ସାମ୍ନା କରିପାରି ନାହିଁ। ମହାରାଷ୍ଟ୍ରର ଭଣ୍ଡାର ଗୋନ୍ଦିୟା ଲୋକସଭା ଆସନ ବିଜେପି ହାତରୁ ଏନ୍‌ସିପି ଛଡ଼ାଇ ନେଇଛି । ଏହି ଆସନରୁ ପୂର୍ବରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ନାନା ପଟୋଲେ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ଏଠାରେ ଏନ୍‌ସିପି ପ୍ରାର୍ଥୀ ମଧୁକର କୁକଡ଼େଙ୍କୁ କଂଗ୍ରେସ ସମର୍ଥନ କରିବାରୁ ବିଜେପି ହାତରୁ ଆଉ ଏକ ଲୋକସଭା ଆସନ ଖସିଗଲା। ଅନ୍ୟପକ୍ଷରେ ମହାରାଷ୍ଟ୍ରର ପାଲଘର ଲୋକସଭା ଆସନକୁ ବିଜେପି କାଏମ ରଖିବାରେ ସକ୍ଷମ ହୋଇଛି । ଏଠାରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଗାବିତ ୨୯ ହଜାରରୁ ଅଧିକ ଭୋଟ୍‌ରେ ଶିବସେନା ପ୍ରାର୍ଥୀ ଶ୍ରୀନିବାସ ଓ୍ଵାନ୍‌ଗାଙ୍କୁ ପରାସ୍ତ କରିଛନ୍ତି। ନାଗାଲାଣ୍ଡରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନରେ ବିଜେପିର ସହଯୋଗୀ ଏନ୍‌ଡିପିପି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।

ସେହିଭଳି ୧୦ଟି ବିଧାନସଭା ଆସନ ମଧ୍ୟରୁ କେବଳ ଉତ୍ତରାଖଣ୍ଡର ଥରାଲି ଆସନ ବଜାୟ ରଖିବାକୁ ସମର୍ଥ ହୋଇଛି ବିଜେପି। ଅନ୍ୟ ୯ଟି ଆସନରେ ବିଜେପି ଏବଂ ଏହାର ସହଯୋଗୀଙ୍କୁ ପରାସ୍ତ କରିଛନ୍ତିି ବିରୋଧୀ। ମେଘାଳୟ, କର୍ଣ୍ଣାଟକ ଓ ପଞ୍ଜାବରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ଦୁଇଟି ଆସନ ପାଇଛି। ୟୁପିରେ ସମାଜବାଦୀ ପାର୍ଟି, କେରଳରେ ସିପିଏମ୍‌, ବିହାରରେ ଆରଜେଡି ଏବଂ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି।

ଉତ୍ତରପ୍ରଦେଶର ନୁରପୁର ବିଧାନସଭା ଆସନରେ ସମାଜବାଦୀ ପାର୍ଟିର ନଇମୁଲ ହସଲ ବିଜେପି ପ୍ରାର୍ଥୀଙ୍କୁ ୬୨୧୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ଆସନର ବିଜେପି ବିଧାୟକ ଲୋକେନ୍ଦ୍ର ପ୍ରତାପ ସିଂହ ଗତ ଫ୍ରେବୁଆରି ମାସରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଥରାଲି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମୁନ୍ନି ଦେବୀ ଶାହ କଂଗ୍ରେସ ପ୍ରାର୍ଥୀ ଜିତରାମ ଶାହଙ୍କୁ ୧୯୦୦ ଭୋଟ୍‌ରେ ପରାସ୍ତ କରିଛନ୍ତି। ବିହାରର ଜୋକୋହାଟ ବିଧାନସଭା ଆସନରେ ଆରଜେଡିର ଶାହନବାଜ ଆଲମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେଡିୟୁର ମୁର୍ସିଦ ଆଲମଙ୍କୁ ୪୧ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି। ଝାଡ଼ଖଣ୍ଡରେ ୨ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଉଭୟ ଆସନ ଜେଏମ୍‌ଏମ୍‌ ହାତକୁ ଯାଇଛି । ସିଲ୍ଲି ଆସନରେ ଜେଏମ୍‌ଏମ୍‌ ପ୍ରାର୍ଥୀ ସୀମା ମାହାତୋ ବିଜୟ ହାସଲ କରିଥିବା ବେଳେ ଗୋମିୟା ବିଧାନସଭା ଆସନରେ ଜେଏମ୍‌ଏମ୍‌ ପ୍ରାର୍ଥୀ ବବିତା ଦେବୀ ବିଜୟୀ ହୋଇଛନ୍ତି। ମେଘାଳୟର ଅମ୍ପତି ବିଧାନସଭା ଆସନରେ କଂଗ୍ରେସ ୩ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ରାଜ୍ୟରେ ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ସଂଖ୍ୟା ୨୧ରେ ପହଞ୍ଚିଛି ଏବଂ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ।

ପଂଜାବରେ ଶାସକ କଂଗ୍ରେସ ଦଳର ହରଦେବ ସିଂହ ଲାଡି ଶାହକୋଟ ବିଧାନସଭା ଆସନରେ ଶିରୋମଣି ଅକାଳି ଦଳର ପ୍ରାର୍ଥୀ ନାଏବ ସିଂହଙ୍କୁ ୩୮,୮୦୧ ଭୋଟ୍‌ରେ ପରାସ୍ତ କରିଛନ୍ତି। କେରଳର ଚେଙ୍ଗନ୍ନୁର ବିଧାନସଭା ଆସନରେ ସିପିଏମ୍‌ ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ପ୍ରାର୍ଥୀ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରାୟ ୨୧ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି। ପଶ୍ଚିମବଂଗର ମହେଶନଳା ବିଧାନସଭା ଆସନରେ ଟିଏମ୍‌ସି ପ୍ରାର୍ଥୀ ଦୁଲାଲ ଚନ୍ଦ୍ର ଦାସ ବିଜେପି ପ୍ରାର୍ଥୀ ସୁଜିତ କୁମାର ଘୋଷଙ୍କୁ ପ୍ରାୟ ୬୩ ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ମହାରାଷ୍ଟ୍ରର କଡ଼େଗାଓଁ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ପତଙ୍ଗରାଓ କଦମ ବିଜୟୀ ହୋଇଛି । କର୍ଣ୍ଣାଟକର ରାଜେରାଜେଶ୍ୱରୀ ବିଧାନସଭା ଆସନରେ କଂଗ୍ରସ ପ୍ରାର୍ଥୀ ଏନ୍‌ ମୁନିରତ୍ନ ୨୪, ୪୦୦ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟରେ ୧୨ ତାରିଖ ଦିନ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ଏହି ଆସନରେ ଭୋଟର୍‌ ପରିଚୟ ପତ୍ର ଜାଲିଆତିକୁ ନେଇ ନିର୍ବାଚନ ସ୍ଥଗିତ ରହିଥିଲା।

ସମ୍ବନ୍ଧିତ ଖବର