ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କ ବେତନ, ଭତ୍ତା, ଗ୍ରାଚ୍ୟୁଇଟି ଏବଂ ପେନ୍ସନ୍ରେ ସଂଶୋଧନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିିିକୁ ୨୦୧୬ ଜାନୁଆରିରୁ ପିଛିଲା ଭାବେ ଲାଗୁ କରାଯିବ। ଏହାଛଡା ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିମାନେ ମଧ୍ୟ ସଂଶୋଧିତ ହାରରେ ପେନସନ ଓ ଭତ୍ତା ପାଇବେ। ଭାରତର ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର ବିଚାରପତି ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିମାନଙ୍କର ବେତନ ବ୍ୟବସ୍ଥା ନେଇ ଯେଉଁ ଦୁଇଟି ଆଇନ ରହିଛି, ସେଥିରେ ସଂଶୋଧନ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହ ୩୧ ବିିଚାରପତି, ମୁଖ୍ୟ ବିଚାରପତି ଏବଂ ହାଇକୋର୍ଟଗୁଡ଼ିକର ମୋଟ ୧୦୭୯ ବିଚାରପତି ଲାଭବାନ ହେବେ। ଅବସର ଗ୍ରହଣ କରିଥିବା ୨୫୦୦ ବିଚାରପତିଙ୍କୁ
ମଧ୍ୟ ପେନସନ ଓ ଗ୍ରାଚ୍ୟୁଇଟି ସଂକ୍ରାନ୍ତ ସୁବିଧା ମିଳିବ। ସମସ୍ତ ବକେୟା ଅର୍ଥ ଏକକାଳୀନ ବିଚାରପତିମାନଙ୍କୁ ପ୍ରଦାନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଚଦଶ ଅର୍ଥ ଆୟୋଗ ଗଠନକୁ ମଞ୍ଜୁରି
ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି। ଏହାର ଗଠନ ଓ କାର୍ଯ୍ୟଧାରା ନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ଗୋଟିଏ ଅର୍ଥ ଆୟୋଗର ଅବଧି ଶେଷ ହେବା ମାତ୍ରେ ସରକାର ପ୍ରତି ପାଞ୍ଚ ବର୍ଷ ଅନ୍ତରାଳରେ ନୂତନ ଅର୍ଥ ଆୟୋଗ ଗଠନ କରିଥାନ୍ତି। ଅର୍ଥ ଆୟୋଗ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଟିକସ ଭଣ୍ଡାର ଓ ଅନୁଦାନ ଆବଣ୍ଟନ ନେଇ ସୂତ୍ର ପ୍ରସ୍ତୁତ କରିବା ସହ ଅନେକ ଆର୍ଥିକ ବ୍ୟାପାରରେ କେନ୍ଦ୍ର ଓ ରାଜ୍ୟକୁ ସୁପାରିସ ପ୍ରଦାନ କରିଥାନ୍ତିି। ୨୦୧୩ ଜାନୁଆରି ୨ରେ ଚର୍ତୁଦଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା। ଏହି ଆୟୋଗ ୨୦୧୪ ଡିସେମ୍ବର ୧୫ରେ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ଚର୍ତୁଦଶ ଅର୍ଥ ଆୟୋଗଙ୍କ ସୁପାରିସ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ୨୦୨୦ ଏପ୍ରିଲ୍ ପହିଲାରୁ ପାଞ୍ଚ ବର୍ଷ ପାଇଁ ଲାଗୁ ହେବ। ସମ୍ବିଧାନର ଧାରା- ୨୮୦ (୧) ଆଧାରରେ ଅର୍ଥ ଆୟୋଗ ଗଠନ କରିବାର ବ୍ୟବସ୍ଥା ରହିଛି।