ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିସନ ଆଜି ଏକ ଅଭୂତପୂର୍ବ ପଦକ୍ଷେପ ନେଇ ପଶ୍ଚିମ ବଙ୍ଗରେ ନିର୍ବାଚନ ପ୍ରଚାର ଅଭିଯାନକୁ ୨୪ ଘଣ୍ଟା ପୂର୍ବରୁ ସମାପ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଗତକାଲି ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରାଲି ବେଳେ ବ୍ୟାପକ ହିଂସା ଦୃଷ୍ଟିରୁ କମିସନ ଏହି ନିଷ୍ପତ୍ତି ନେଇଛନ୍ତି। ରାଲି ବେଳେ ବିଜେପି ଏବଂ ଟିଏମସି ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ କେତେକ ଦୁର୍ବୃତ୍ତ କଲେଜରେ ପଶି ବିଦ୍ୟାସାଗରଙ୍କ ପ୍ରତିମୂର୍ତି ଭାଙ୍ଗି ଦେଇଥିଲେ। ଏହା ସହିତ ନିର୍ବାଚନ କମିସନ ରାଜ୍ୟର ଦୁଇ ଜଣ ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ବରୁ ହଟାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ବଙ୍ଗରେ ଆସନ୍ତା ରବିବାର ଦିନ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଥାନ୍ତା। ଏହି ପର୍ଯ୍ୟାୟରେ ୯ଟି ଲୋକସଭା ଆସନରେ ମତଦାନ କରାଯିବ। ଏଗୁଡ଼ିକ ହେଲା: ଦମଦମ୍, ବରସାତ, ବସିରହାଟ, ଜୟନଗର, ମଥୁରାପୁର, ଯାଦବପୁର, ଡାଏମଣ୍ଡ ହାରବର, ଦକ୍ଷିଣ ଓ ଉତ୍ତର କଲିକତା। କିନ୍ତୁ ହିଂସା ଯୋଗୁଁ ନିର୍ବାଚନ ପ୍ରଚାର ଅଭିଯାନକୁ ଗୁରୁବାର ସନ୍ଧ୍ୟାରେ ହିଁ ଶେଷ କରିବାକୁ କୁହାଯାଇଛି।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିସନ କହିଛନ୍ତି ଯେ ହିଂସା ଯୋଗୁଁ ପ୍ରଥମ ଥର ଲାଗି ସମ୍ବିଧାନର ଧାରା ୩୨୪ ଲାଗୁ କରିବାକୁ ବାଧ୍ୟ ହୋଇଛୁ। ମୁକ୍ତ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ଏଭଳି କଠୋର ପଦକ୍ଷେପ ଜରୁରି। ହିଂସା ବେଳେ କୋଲକାତାରେ ମହାନ ସଂସ୍କାରବାଦୀ ନେତା ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ଦୁର୍ବୃତ୍ତମାନେ ଯେଭଳି ଭଙ୍ଗାରୁଜା କରିଛନ୍ତି ସେଥିରେ କମିସନ ଭୀଷଣ ମର୍ମାହତ। ଏହି ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
କମିସନ ଏହି ଅବସରରେ ସୂଚନା ଦେଇଥିଲେ ଯେ ରାଜ୍ୟ ସରକାରଙ୍କର ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ସିଆଇଡିର ଅତିରିକ୍ତ ମହାନିର୍ଦେଶକଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି। ନିର୍ବାଚନ କମିସନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିଥିବାରୁ ଗୃହ ବିଭାଗର ପ୍ରମୁଖ ସଚିବ ଅତ୍ରି ଭଟ୍ଟଚାର୍ଯ୍ୟଙ୍କୁ ତତକ୍ଷଣାତ୍ ହଟାଇ ଦିଆଯାଇଛି। ସେହିଭଳି ସିଆଇଡିର ଅତିରିକ୍ତ ମହାନିର୍ଦେଶକ ରାଜୀବ କୁମାରଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା କେନ୍ଦ୍ର ଗୃହ ବିଭାଗରେ ରିପୋର୍ଟ କରିବା ଲାଗି ତାଙ୍କୁ ନିର୍ଦେଶ ଦିଆଯାଇଛି।
ଇତିମଧ୍ୟରେ ଗତକାଲିର ଗଣ୍ଡଗୋଳକୁ ନେଇ ବିଜେପି ଏବଂ ମମତା ବାନାର୍ଜୀଙ୍କ ଟିଏମସି ପରସ୍ପରକୁ ଦୋଷ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ ଅଭିଯୋଗ କରିଛନ୍ତି ଯେ ମମତାଙ୍କ ସମର୍ଥକମାନେ ଏହି ଆକ୍ରମଣ କରିଛନ୍ତି। ସିଆର୍ପି ଯବାନଙ୍କ ଯୋଗୁଁ ଅମିତ ଶାହ ରକ୍ଷା ପାଇଗଲେ। ଅନ୍ୟପକ୍ଷରେ ମମତା ଅଭିଯୋଗ କରିଛନ୍ତି ଯେ ବିଜେପି ସମର୍ଥକମାନେ ଏଭଳି ହିଂସା ସୃଷ୍ଟି କରିଛନ୍ତି। ସେମାନେ ହିଁ ବିଦ୍ୟାସାଗରଙ୍କ ପ୍ରତିମୂର୍ତି ଭାଙ୍ଗିଥିବାର ପ୍ରମାଣ ରହିଛି। ଆଜି ଟିଏମସି ପକ୍ଷରୁ ନିର୍ବାଚନ କମିସନଙ୍କୁ ଏସଂପର୍କରେ ସ୍ମାରକପତ୍ର ଦିଅଯାଇଛି।
ନିର୍ବାଚନ କମିସନଙ୍କ ଆଜିର ପଦକ୍ଷେପକୁ ମମତା ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୋଦୀଙ୍କୁ ଉପହାର ଦେଇଛନ୍ତି କମିସନ। ଯଦି ହିଂସାକୁ ନେଇ କମିସନ ଏତେ ଚିନ୍ତିତ ତାହାହେଲେ ଆଜିଠାରୁ କାହିଁକି ପ୍ରଚାରକୁ ବନ୍ଦ କରିଲେ ନାହିଁ। ଆସନ୍ତାକାଲି ମୋଦୀଙ୍କର ଦୁଇଟି ରାଲି ଥିବାରୁ କମିସନ ତାଙ୍କୁ ସୁଯୋଗ ଦେଇଛନ୍ତି। ମୋଦୀ ଓ ଶାହଙ୍କ ଇଙ୍ଗିତରେ କମିସନ କାମ କରୁଛନ୍ତି ବୋଲି ଅଭିେଯାଗ କରି ମମତା କହିଛନ୍ତି ଯେ ନିର୍ବାଚନ କମିସନରେ ଆରଏସଏସ ଲୋକ ଭର୍ତି ହୋଇଛନ୍ତି। ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ।