ସିଭିସି ରିପୋର୍ଟ, ଆଲୋକ ବର୍ମାଙ୍କୁ କ୍ଲିନ୍‌ଚିଟ୍‌ ମିଳିଲାନି

ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ, ମଙ୍ଗଳବାର ଶୁଣାଣି

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଲାଞ୍ଚ ମାମଲା ନେଇ ମୁଖ୍ୟ ଭିଜିଲାନ୍‌ସ କମିସନର (ସିଭିସି) ସୁପ୍ରିମ୍‌ କୋର୍ଟଙ୍କୁ ଦେଇଥିବା ରିପୋର୍ଟ ଉପରେ ଏବେ ବର୍ମାଙ୍କୁ ଜବାବ ତଲବ କରାଯାଇଛି। ଆଗାମୀ ସୋମବାର ସୁଦ୍ଧା ସିଭିସି ରିପୋର୍ଟରେ ତାଙ୍କ ବିରୋଧରେ ଦିଆଯାଇଥିବା ତଥ୍ୟ ସଂପର୍କରେ ସେ ସୁପ୍ରିମ୍‌ କୋର୍ଟରେ ଜବାବ ଦାଖଲ କରିବେ ଏବଂ ମଂଗଳବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ସିଭିସି ରିପୋର୍ଟରେ ବର୍ମାଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇ ନାହିଁ ଏବଂ ତାଙ୍କ ବିରୋଧରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ସୁପ୍ରିମ୍‌ କୋର୍ଟଙ୍କୁ ସିଭିସି ଜଣାଇବା ପରେ ବର୍ମାଙ୍କ ସଙ୍କଟ ବଢ଼ିଛି। ସିଭିସି ରିପୋର୍ଟର କପି ଏବେ ଆଲୋକ ବର୍ମାଙ୍କୁ ସିଲ୍‌ ବନ୍ଦ ଲଫାପାରେ ସୁପ୍ରିମ୍‌ କୋର୍ଟ ଦେଇଛନ୍ତି ଏବଂ ରିପୋର୍ଟ ଉପରେ ସବିଶେଷ ଜବାବ ଦେବାକୁ କୁହାଯାଇଛି । ବର୍ମାଙ୍କ ଜବାବ ଦାଖଲ ପରେ ହିଁ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ସିଭିସି ଯେଉଁ ପ୍ରଶ୍ନ ରିପୋର୍ଟରେ ଉଠାଇଛନ୍ତି ତାହା ଉପରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ସିଭିସି ରିପୋର୍ଟରେ ବର୍ମାଙ୍କୁ ନେଇ କେତେକ ଭଲ କଥା, କେତେକ ସାଧାରଣ କଥା ଏବଂ କେତେକ ପ୍ରଶ୍ନ ସୃଷ୍ଟିକାରୀ କଥା କୁହାଯାଇଛି । ଯେଉଁ ପ୍ରଶ୍ନ ସିଭିସି ରିପୋର୍ଟରେ ଉଠାଯାଇଛି ତାହାର ତଦନ୍ତ ମଧ୍ୟ ଜରୁରୀ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସିଭିସି ତଦନ୍ତ ରିପୋର୍ଟର କପି ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ପ୍ରଦାନ କରାଯିବାକୁ ତାଙ୍କ ଓକିଲ ମୁକୁଲ ରୋହତଗିଙ୍କ ଦାବିକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଥିଲେ। ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ଏନ୍‌ଜିଓ କମନ୍‌ କଜ୍‌ଙ୍କୁ ତାଗିଦ କରି କହିଥିଲେ ଯେ ଏହି ସଂସ୍ଥା ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କ ନିଷ୍ପତ୍ତି ବିରୋଧରେ ଅନେକ ଅଭିଯୋଗ ଆଣିଛି କିନ୍ତୁ ଏହି ଅଭିଯୋଗର ଭିତ୍ତି ଦେଖାଇବାରେ ଏହା ଅସମର୍ଥ ହୋଇଛି। ସିବିଆଇର ଡିଏସ୍‌ପି ଏ.କେ ବସ୍ସିଙ୍କୁ ପୋର୍ଟ ବ୍ଲେୟାର ବଦଳି ହୋଇଥିବାରୁ ସେ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରିଥିଲେ। ଏହି ମାମଲାରେ ଆଜି ଖଣ୍ଡପୀଠ କଟାକ୍ଷ କରି କହିଛନ୍ତି ଯେ ବଦଳି ନିର୍ଦ୍ଦେଶ ମାନିବାକୁ ହେବ ଏବଂ ପୋର୍ଟ ବ୍ଲେୟାର ଏକ ବହୁତ ଭଲ ସ୍ଥାନ। ସଂପୃକ୍ତ ଅଫିସର ସେଠାରେ କିଛିଦିନ କଟାଇବା ହିଁ ଭଲ ବୋଲିପ୍ରଧାନ ବିଚାରପତି କହିଛନ୍ତି। ସିବିଆଇ ମାମଲାରେ କଂଗ୍ରେସ ନେତା ମଲ୍ଲିକାଜୁର୍ନ ଖଡଗେଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି। ସିବିଆଇ ଲାଞ୍ଚ ମାମଲାରେ ଆଲୋକ ବର୍ମାଙ୍କୁ କାହିଁକି ଛୁଟିରେ ପଠାଗଲା, କେବଳ ସେ ସଂପର୍କରେ ହିଁ ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର