ଏୟାର୍‌ ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ମହିଳାଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଏୟାର୍‌ ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଜଣେ ମହିଳା ଯାତ୍ରୀ ବସିଥିବା ସିଟ୍‌ ଉପରେ ପରିସ୍ରା କରିଥିବା କୁହାଯାଇଛି। ଘଟଣାର ତଦନ୍ତ କରିବାକୁ ଜୁନିୟର୍‌ ଆଭିଏସନ୍‌ ମନ୍ତ୍ରୀ ଜୟନ୍ତ ସିହ୍ନା ନିର୍ଦେଶ ଦେଇଛନ୍ତି।

ପୀଡ଼ିତା ଯାତ୍ରୀଙ୍କ ଝିଅ ଇନ୍ଦ୍ରାଣୀ ଘୋଷ ଟୁଇଟ୍‌ କରି କହିଛନ୍ତି: ଲାଜ କଥା (ଶୁକ୍ରବାର) ଜନ୍‌ ଏଫ୍‌ କେନେଡିରୁ ନୂଆଦିଲ୍ଲୀ ଆସୁଥିବା ଆପଣଙ୍କ ବିମାନ ଏଆଇ ୧୦୨ ବିମାନରେ ଜଣେ ମାତାଲ ଯାତ୍ରୀ ନିଜ ପ୍ୟାଣ୍ଟ ଖୋଲି ମୋ ମା’ ବସିଥିବା ସିଟ୍‌ରେ ପରିସ୍ରା କଲେ!!! ସେ ଏକାକିନୀ ଯାତ୍ରା କରୁଥିବାରୁ ଖୁବ୍‌ ମାନସିକ ଆଘାତ ପାଇଛନ୍ତି! ଏହାର ଜବାବ ଦିଅନ୍ତୁ ଏସ୍‌ପିଏପି।

ଜୟନ୍ତ ସିହ୍ନା ଏୟାର୍‌ ଇଣ୍ଡିଆ ଓ ଘୋଷଙ୍କୁ ଟୁଇଟ୍‌ କରିଛନ୍ତି: ଦୟାକରି ତୁରନ୍ତ ତଦନ୍ତ କରି ବିମାନ ଚଳାଚଳ ମନ୍ତ୍ରାଳୟ/ଡିଜିସିଏକୁ ରିପୋର୍ଟ ଦିଅନ୍ତୁ। ଦୁଃଖର ବିଷୟ, ଆପଣଙ୍କ ମାଆଙ୍କୁ ଏ ଭଳି ବିକଟାଳ ପରିସ୍ଥିତି ଦେଇ ଯିବାକୁ ପଡ଼ିଲା।

ଏୟାର୍‌ ଇଣ୍ଡିଆ ମଦ୍ୟପ ଯାତ୍ରୀଙ୍କ ବିରୋଧରେ ଯଥା ସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଘୋଷ ଚାହାଁନ୍ତି। ଏୟାର୍‌ ଇଣ୍ଡିଆ ଏହି ଘଟଣାକୁ ଗୁରତର ବିଚାରି ତଦନ୍ତ ଆରମ୍ଭ କରିଛି। ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର