ଏସପିଙ୍କ ସୁଗଠିତ ଶରୀର ଓ ଅାକର୍ଷଣୀୟ ଚେହେରାର ପ୍ରେମରେ ପଡ଼ିଲେ ପଞ୍ଜାବୀ ଯୁବତୀ ! ହୋସିୟାରପୁରରୁ ଉଜ୍ଜୟିନୀ ଅାସି କହିଲେ,‘ନିରୋଳାରେ ଭେଟିବି ’

ଉଜ୍ଜୟିନୀ (ମଧ୍ୟପ୍ରଦେଶ): ସାଧାରଣତଃ ଚଳଚ୍ଚିତ୍ର ଅଭିନେତା କିମ୍ବା କ୍ରିକେଟ ତାରକାଙ୍କ ପ୍ରତି ଯୁବତୀମାନେ ଆକୃଷ୍ଟ ହୋଇ ସେମାନଙ୍କ ଫ୍ୟାନ୍‌ ସାଜନ୍ତି। ଏବଂ ନିଜ ହୃଦୟ ସେମାନଙ୍କୁ ଦେଇ ବସନ୍ତି ଏଇ ‘ପାଗଲ୍‌ ପ୍ରେମୀ’ ମାନେ। ତେବେ, ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲା ଏସ୍‌ପି ଭାବେ ନିଯୁକ୍ତ ଥିବା ୩୪ ବର୍ଷ ବୟସ୍କ ଆଇପିଏସ୍‌ ଅଧିକାରୀ ସଚିନ୍‌ ଅତୁଲଙ୍କର ସୁଠାମ ଶରୀର ଓ ଶାଣିତ ଚେହେରା ଦେଖିବା ପରେ ଜନୈକା ୨୭ ବର୍ଷ ବୟସ୍କା ପଞ୍ଜାବୀ ଯୁବତୀ ଏବେ ତାଙ୍କ ପ୍ରେମରେ ଏମିତି ଫିଦା ହୋଇ ପଡ଼ିଛନ୍ତି ଯେ ସେ ପଞ୍ଜାବର ହୋସିୟାରପୁରରୁ ସିଧା ଆସି ପହଞ୍ଚି ଯାଇଛନ୍ତି ମଧ୍ୟପ୍ରଦେଶର ଉଜ୍ଜୟିନୀରେ। ଆଉ ତାଙ୍କର ଗୋଟିଏ ଜିଦ୍‌ ସେ ଏସ୍‌ପି ଅତୁଲ ସାହେବଙ୍କୁ ଭେଟିବେ ଏକାନ୍ତରେ।

ଏକଥା ଜାଣିବା ପରେ ଅଡ଼ୁଆରେ ପଡ଼ିଛନ୍ତି ଏସ୍‌ପି ଅତୁଲ ସାହେବ। ସୁଠାମ ଶରୀର ପାଇଁ ରୋଜ ଜିମ୍‌ରେ ୭୦ ମିନିଟ ଅତିବାହିତ କରୁଥିବା ଅତୁଲ ସାହେବ ଜାଣି ନଥିଲେ ଯେ ତାଙ୍କ ସୁଠାମ ଶରୀର ପାଇଁ ଦିନେ ତାଙ୍କୁ ଏପରି ଏକ ପରିସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି। ଏକରେ ତ’ ଶରୀରରେ ତାଙ୍କ ଭରା ଯୌବନ, ସେଥିରେ ପୁଣି ସେ ଅବିବାହିତ। ଏପରିସ୍ଥିତିରେ ପୁଣି ଜଣେ ଅବିବାହିତା ପଞ୍ଜାବୀ ଯୁବତୀ ଜିଦ୍‌ ଧରି ବସିଛନ୍ତି, ତାଙ୍କୁ ଏକାନ୍ତରେ, ନିରୋଳାରେ ଭେଟିବାକୁ। ଭେଟଘାଟ କାଳରେ ଯଦି କିଛି ଓଲମ୍‌ ବିଲମ୍‌ ହେଲା, ତେବେ ସାରା ଜୀବନ କଷ୍ଟ କରି ପାଇଥିବା ଚାକିରିତ ଯାହା ଯିବ ଯିବ ସେଥିରେ ପୁଣି ସେ ନିଜେ ପାଲଟି ଯିବେ ଖବରର ଶିରୋନାମା। ତେଣୁ ୩୬ ଇଞ୍ଚିଆ ଛାତିଧାରୀ ଏସ୍‌ପି ଅତୁଲ ସାହେବଙ୍କ ଛାତି ଏବେ ଧଡ଼ଧଡ଼। କେମିତି ପିଛା ଛଡ଼ାଇବେ ଏଇ ପଞ୍ଜାବୀ ଯୁବତୀଠାରୁ ସେଥିପାଇଁ କିଛି ବୁଦ୍ଧିବାଟ ପାଉ ନାହାନ୍ତି।

ଶେଷରେ ଏଇ ପାଗଲ ପ୍ରେମୀ ପଞ୍ଜାବୀ ଯୁବତୀ ଠାରୁ ପିଛା ଛଡ଼ାଇବା ପାଇଁ ସେ ମହିଳା ଥାନା ଅଧିକାରୀ ରେଖା ବର୍ମାଙ୍କ ସାହାଯ୍ୟ ଲୋଡ଼ିଲେ। ମହିଳା ଥାନା ଅଧିକାରୀ ରେଖା ସଂପୃକ୍ତା ପଞ୍ଜାବୀ ଯୁବତୀକୁ ଯେତେ ବୁଝାଇ ପଞ୍ଜାବ ଫେରିଯିବା ପାଇଁ ପରାମର୍ଶ ଦେଲେ ସୁଦ୍ଧା ସେ କୌଣସି କଥା ଶୁଣିବାକୁ ନାରାଜ। ଯୁବତୀର ଗୋଟିଏ ଜିଦ୍‌ ସେ ଏସ୍‌ପି ଅତୁଲ୍‌ଙ୍କୁ ଭେଟିବ ଏକାନ୍ତରେ, ନିରୋଳାରେ। ତା’ପରେ ଯାଇ ଯେଉଁ କଥା। ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ପାସ୍‌ କରିଥିବା ଏହି ପଞ୍ଜାବୀ ଯୁବତୀକୁ ମହିଳା ଥାନା ଅଧିକାରୀ ରେଖା ବର୍ମା ପଞ୍ଜାବ ଯାଉଥିବା ଏକ ଟ୍ରେନ୍‌ରେ ବସାଇ ପଞ୍ଜାବ ପଠାଇ ଦେବାକୁ ଉଦ୍ୟମ କରିଥିଲେ, ହେଲେ ପଞ୍ଜାବୀ ଯୁବତୀ ଯେତେବେଳେ ଧମକ ଦେଲା ଟ୍ରେନ୍‌ରୁ ଡେଇଁ ପଡ଼ିବ ବୋଲି ସେତେବେଳେ ସେ ଅନୋନ୍ୟପାୟ ହୋଇ ତାକୁ ଆଉଥରେ ସଙ୍ଗରେ ନେଇ ଆସିବା ସହ ଯୁବତୀଙ୍କ ପିତାମାତାଙ୍କୁ ଖବର ଦେଇଛନ୍ତି। ସେମାନେ ଆସି ପହଞ୍ଚିଲେ ଯୁବତୀ ଜଣଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର