୧୫ ଟଙ୍କା ରିହାତିରେ ଡାଲି

ନୂଆଦିଲ୍ଲୀ : ବିଭିନ୍ନ କଲ୍ୟାଣ ଯାଜନାରେ କେନ୍ଦ୍ର ସରକାର ଲୋକଙ୍କୁ ଗୋଟିଏ ବର୍ଷ ପାଇଁ କିଲୋଗ୍ରାମ ପିଛା ୧୫ ଟଙ୍କା ରିହାତିରେ ଡାଲି ଯୋଗାଇବେ। ପାଇକାରୀ ବଜାରରେ ଡାଲିର ମୂଲ୍ୟ ଯାହା ରହିଛି ତାହା ଉପରେ ଏହି ରିହାତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ସରକାରଗୁଡ଼ିକ ଏହି ଯୋଜନାରେ ମୋଟ ୩୪.୮୮ ଲକ୍ଷ ଟନ୍‌ ଡାଲି ଉଠାଇବେ। ଏହି ଯୋଜନାରେ ଚଣାଠାରୁ ଆରମ୍ଭ କରି ମସୁର, ମୁଗ ଏବଂ ହରଡ଼ ଆଦି ଡାଲି ଯୋଗାଇ ଦିଆଯିବ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ୧୨ ମାସ ପାଇଁ କିମ୍ବା ୩୪.୮୮ ଲକ୍ଷ ଟନ୍‌ ଡାଲି ବିକ୍ରି ଶେଷ ହେବା ପର୍ଯ୍ୟନ୍ତ (ଯେଉଁଟି ଆଗ) ଏହି ସୁବିଧା ପାଇବେ। ଏହି ରିହାତି ଯୋଗୁଁ କେନ୍ଦ୍ର ସରକାରଙ୍କୁ ୫୨୩୭ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଆଇନ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ରିହାତି ମୂଲ୍ୟରେ କିଣୁଥିବା ଏହି ଡାଲିକୁ ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ଯୋଜନା ଏବଂ ସମନ୍ଵିତ ଶିଶୁ ବିକାଶ ଯୋଜନା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀମାନଙ୍କୁ ଯୋଗାଇ ଦେବେ। ଗତ ୨ ବର୍ଷ ହେଲା ଦେଶରେ ରେକର୍ଡ ପରିମାଣର ଡାଲି ଉତ୍ପାଦନ ହେଉଛି। ୨୦୧୭ ଖରିଫ ଏବଂ ୨୦୧୮ ରବି ଋତୁରେ କେନ୍ଦ୍ର ସରକାର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ୪୫.୪୩ ଲକ୍ଷ ଟନ୍‌ ଡାଲି ସଂଗ୍ରହ କରିଛନ୍ତି। ଆସନ୍ତା ଖରିଫ ଋତୁରେ ମଧ୍ୟ ଡାଲି ଉତ୍ପାଦନ ଭଲ ରହିବ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର