ଫେବ୍ରୁଆରୀ ୧ରୁ ଲାଗୁ ହେବ ଇ-ୱେ ବିଲ୍ ବ୍ୟବସ୍ଥା

୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ ପରିବହନ କ୍ଷେତ୍ରରେ ଇ-ୱେ ବିଲ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ରୁ ରାଜ୍ୟ ରାଜ୍ୟ ମଧ୍ୟରେ ବାଧ୍ୟତାମୂଳକଭାବେ ଇ-ୱେ ବିଲ୍ ବ୍ୟବସ୍ଥା ଲାଗୁ ହେବ । ସେହିପରି ଆସନ୍ତା ବର୍ଷ ଜୁନ ୧ରୁ ରାଜ୍ୟ ମଧ୍ୟରେ ଇ-େଓ୍ଵ ବିଲ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ ହେବ । ଶନିବାରଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍‌ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି ।

ତେବେ ଇ-ୱେ ବିଲ୍ ର ଭିତ୍ତିଭୂମି ଜାନୁୟାରୀ ୧୬ ସୁଦ୍ଧା ପ୍ରସ୍ତୁତ କରି ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । କେତେକ ରାଜ୍ୟ ସ୍ୱେଚ୍ଛାମୂଳକ ଭାବେ ଫେବ୍ରୁଆରୀ ୧ରୁ ଉଭୟ ଅନ୍ତଃରାଜ୍ୟ (ରାଜ୍ୟ ରାଜ୍ୟ ମଧ୍ୟରେ) ଓ ଆନ୍ତଃରାଜ୍ୟ ( ନିଜ ରାଜ୍ୟ ମଧ୍ୟରେ ) ନିଜ ଏହି ସେବା ଆରମ୍ଭ କରିବେ । କିନ୍ତୁ ରାଜ୍ୟ ମଧ୍ୟରେ ଏହା ପର୍ଯ୍ୟାୟକ୍ରମେ ଲାଗୁ ହେବ ବୋଲି ଜିଏସଟି ପରିଷଦ ପକ୍ଷରୁ କୁହାଯାଇଛି ।

ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ ୱେ ବିଲ୍ ବା ଇ-ୱେ ବିଲ୍ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-ୱେ ବିଲ୍ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-ୱେ ବିଲ୍ ବାହାର କରିହେବ । ତେବେ ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ବିଳମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର