ଗୁଜରାଟୀ ଲେଖକ ସୀତାଂଶୁ ୟାସହାସଚନ୍ଦ୍ରଙ୍କୁ ସରସ୍ୱତୀ ସମ୍ମାନ

ନୂଆଦିଲ୍ଲୀ: ଗୁଜରାଟୀ କବି, ନାଟ୍ୟକାର ଏବଂ ଅଧ୍ୟାପକ ସୀତାଂଶୁ ୟାସହାସଚନ୍ଦ୍ର ମେହେଟ୍ଟା ତାଙ୍କର କବିତା ସଙ୍କଳନ ‘ଓ୍ଵଖାର’ ପାଇଁ ୨୦୧୭ ବର୍ଷର ସରସ୍ୱତୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।

ସାହିତ୍ୟିକ ଓ ସାଂସ୍କୃତିକ ସଂସ୍ଥାନ କେକେ ବିରଳା ଫାଉଣ୍ଡେସନ୍‌ ଦ୍ୱାରା ପ୍ରଦତ୍ତ ଏହି ପୁରସ୍କାର ଏବେ ୨୭ ବର୍ଷରେ ପଦାର୍ପଣ କରିଛି। ଏହି ଫାଉଣ୍ଡେସନ୍‌ ହିନ୍ଦୀ ପାଇଁ ବ୍ୟାସ ସମ୍ମାନ ଓ ବିହାରୀ ପୁରସ୍କାର ଏବଂ ରାଜସ୍ଥାନ ପାଇଁ ରାଜସ୍ଥାନୀ ଲେଖକ ପୁରସ୍କାର ଦେଉଛି।

୧୯୪୧ରେ ଗୁଜରାଟର ଭୁଜରେ ଜନ୍ମିତ ୟାସହାସଚନ୍ଦ୍ରଙ୍କର ‘ଓଡ଼ିସେୟୁସ୍ନ ହାଲେସୁ’, ‘ଜଟାୟୁ’ ଏବଂ ‘ଓ୍ଵଖାର’ ନାମରେ ତିନୋଟି କବିତା ପୁସ୍ତକ ପ୍ରକାଶିତ। ସେ ୧୦ଟି ନାଟକ ଏବଂ ୩ଟି ସମୀକ୍ଷା ପୁସ୍ତକ ରଚନା କରିଛନ୍ତି। ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଛି।

୨୦୦୯ରେ ପ୍ରକାଶିତ ‘ଓ୍ଵଖାର’କୁ ସରସ୍ୱତୀ ସମ୍ମାନ ପାଇଁ ଚୟନ କରାଯାଇଛି। ସମ୍ବିଧାନର ଅଷ୍ଟମ ଧାରାରେ ଉଲ୍ଲେଖ ହୋଇଥିବା ଯେ କୌଣସି ଭାରତୀୟ ଭାଷାରେ ରଚିତ ବିଶେଷ ସାହିତ୍ୟ କୃତ୍ୱୀ ପାଇଁ ପ୍ରତି ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଭାରତୀୟ ସାହିତ୍ୟ କ୍ଷେତ୍ରରେ ଏହା ହେଉଛି ସର୍ବେତ୍ତମ ସ୍ୱୀକୃତି। ପୁରସ୍କାର ବାବଦରେ ଦିଆଯାଏ ଏକ ପ୍ରଶସ୍ତି ପତ୍ର, ଫଳକ ଏବଂ ୧୫ ଲକ୍ଷ ଟଙ୍କା।

ଏକ ୧୩ ଜଣିଆ ଚୟନ ପରିଷଦ୍‌ ଦ୍ୱାରା କୃତୀ ଚୟନ କରାଯାଇଥାଏ।

ଅତୀତରେ ଏହି ପୁରସ୍କାର ପାଇ ଥିବା କୃତବିଦ୍‌ ସାହିତ୍ୟିକମାନଙ୍କ ମଧ୍ୟରେ ଅଛନ୍ତି ହରିବଂଶ ରାୟ ବଚ୍ଚନ (ଦଶଦ୍ୱାର ସେ ସୋପାନ ତକ୍‌), ଓଡ଼ିଆ କବି ରମାକାନ୍ତ ରଥ (ଶ୍ରୀରାଧା), ମରାଠୀ ନାଟ୍ୟକାର ବିଜୟ ତେନ୍ଦୁଲକର (କନ୍ୟାଦାନ), କନ୍ନଡ଼ କବି ଏମ୍‌ ବୀରପ୍ପା ମୋଇଲି (ଶ୍ରୀ ରାମାୟଣ ମହାନବେଶମ୍‌)।

ସମ୍ବନ୍ଧିତ ଖବର