ଗୁରୁଗ୍ରାମ୍: ଗୁରୁଗ୍ରାମ୍ର ଭୋଣ୍ଡ୍ସି ସ୍ଥିତ ଭୁପ୍ ସିଂହ ନଗରରେ ଏକ ମୁସ୍ଲିମ ପରିବାର ଉପରେ ବର୍ବରୋଚିତ ଆକ୍ରମଣ ହୋଇଛି। ହୋଲିରେ କ୍ରିକେଟ ଖେଳ ଆୟୋଜନକୁ ନେଇ ଗୁରୁବାର କୌଣସି କାରଣରୁ ଏହି ପରିବାର ସହ ବିବାଦ ହେବାପରେ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ଘରେ ପଶି ପରିବାର ସଦସ୍ୟଙ୍କୁ ଲୁହା ଛଡ଼ ଏବଂ ହକି ଷ୍ଟିକ୍ରେ ନିସ୍ତୁକ ପିଟିବା ସହ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରୁ ମହିଳା ଓ ଶିଶୁମାନେ ବି ରକ୍ଷା ପାଇନାହାନ୍ତି। ପାଖାପାଖି ୨୦ ଜଣ ଯୁବକଙ୍କ ଦ୍ବାରା ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ ଜଣେ ଆକ୍ରମଣକାରୀକୁ ଆଜି ଗିରଫ କରିଛି। ପରିବାରର ମୋଟ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଶିଶୁ ମଧ୍ୟ ଅଛନ୍ତି। ଏହି ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଏବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଦକ୍ଷିଣ ଗୁରୁଗ୍ରାମ୍ର ଡିସିପି ହିମାନ୍ସୁ ଗର୍ଗ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ ଗତ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଉତ୍ତରପ୍ରଦେଶ ବାସିନ୍ଦା ମହମ୍ମଦ ଦିଲଶାଦ୍ (୩୨) ନାମକ ଜଣେ ବ୍ୟକ୍ତି ଭୋଣ୍ଡ୍ସିରେ ଏକ ଏୟାର କଣ୍ଡିସନର୍ ଦୋକାନ ଖୋଲିଛନ୍ତି। ସେ ଭୋଣ୍ଡ୍ସିରେ ୪ ବର୍ଷ ହେବ ପରିବାର ସହ ରହି ଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କ ପରିବାର ସଦସ୍ୟ ଘର ବାହାରେ କ୍ରିକେଟ୍ ଖେଳୁଥିବାବେଳେ ପ୍ରାୟ ୧୦ ଜଣ ଲୋକ ଆସି ଏହାର ବିରୋଧ କରିଥିଲେ। ରାସ୍ତାରେ କ୍ରିକେଟ୍ ଖେଳିବାକୁ ସେମାନେ ବାରଣ କରିବା ସହ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ ଧମକ ଦେଇଥିଲେ। ଏହାର କିଛି ସମୟ ପରେ ପ୍ରାୟ ୨୦ ବ୍ୟକ୍ତି ଘରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ। ହେଲ୍ପଲାଇନ୍ ନମ୍ବରରେ ଫୋନ୍ କରାଯାଇଥିଲେ ମଧ୍ୟ ପ୍ରାୟ ୪୦ ମିନିଟ୍ ପରେ ପୁଲିସ ଆସିଥିବା ଅଭିଯୋଗ ହୋଇଛି।