‘ମୁଁ କରୁଣାନିଧିଙ୍କ ପୁଅ; ଯାହା କହେ ତାହା କରେ’; କହିଲେ ଡିଏମ୍‌କେରୁ ବହିଷ୍କୃତ ହୋଇଥିବା ଏମ୍‌ କେ ଆଲାଗିରି

ଚେନ୍ନାଇ (ତାମିଲନାଡ଼ୁ): ଦ୍ରାବିଡ଼ ମୁନ୍ନେତ୍ର ଖଜଗମ୍‌ (ଡିଏମ୍‌କେ)ର ସୁପ୍ରିମୋ କରୁଣାନିଧିଙ୍କ ପରଲୋକ ପରେ ଡିଏମ୍‌କେରେ ନେତୃତ୍ୱକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଯଦିଓ ମୁତ୍ୟୁ ପୂର୍ବରୁ କରୁଣାନିଧି ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ କନିଷ୍ଠ ପୁତ୍ର ଏମ୍‌ କେ ଷ୍ଟାଲିନ୍‌ଙ୍କୁ ଚୟନ କରି ଯାଇଥିଲେ, ତଥାପି ତାଙ୍କ ମୁତ୍ୟୁପରେ ଜ୍ୟେଷ୍ଠ ପୁତ୍ର ଏମ୍‌ କେ ଆଲାଗିରି ଏଥିରେ ପ୍ରତିବନ୍ଧକ ସାଜିଥିଲେ। ଷ୍ଟାଲିନ୍‌ଙ୍କ ପରିବର୍ତ୍ତେ ସେ ନିଜେ ଦଳର ନେତୃତ୍ୱ ନେବାକୁ ଅଣ୍ଟା ଭିଡ଼ିଥିଲେ।

ଏହା ଦେଖି ଏମ୍‌ କେ ଷ୍ଟାଲିନ୍‌ ଡିଏମ୍‌କେର ଏକ ବିରାଟ କର୍ମୀ ସମ୍ମିଳନୀ ଡକାଇ ନିଜକୁ ଦଳର ସୁପ୍ରିମୋ ଭାବେ ମନୋନୀତ କରାଇ ନେଇଥିଲେ। ସ୍ୱର୍ଗତ କରୁଣାନିଧିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳର ଅନ୍ୟ ସମସ୍ତ ବରିଷ୍ଠ ନେତା ମଧ୍ୟ ଷ୍ଟାଲିନ୍‌ଙ୍କ ପ୍ରତି ନିଜ ନିଜର ଆସ୍ଥା ପ୍ରକଟ କରିଥିଲେ। ଏହାପରେ ଷ୍ଟାଲିନ୍‌ ଡିଏମ୍‌କେର ନେତୃତ୍ୱ ଗ୍ରହଣ କରିବା ସହ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଲାଗିରିଙ୍କୁ ଦଳରୁ ବହିଷ୍କୃତ କରିଥିଲେ।


ଏହି ଘଟଣାରେ ଉତ୍‌କ୍ଷିପ୍ତ ଏମ୍‌ କେ ଆଲାଗିରି ଆଜି କହିଛନ୍ତି, ‘ମୁଁ ବି ହେଉଛି କରୁଣାନିଧିଙ୍କ ପୁତ୍ର। ମୁଁ ଯାହାକହେ ତାକୁ କାର୍ଯ୍ୟରେ କରି ଦେଖାଏ। ମୋ ପୂର୍ବ ଘୋଷଣା ଅନୁଯାୟୀ ମୁଁ ଆସନ୍ତା ୫ ତାରିଖ (ବୁଧବାର) ଦିନ ଚେନ୍ନାଇ ସ୍ଥିତ କରୁଣାନିଧିଙ୍କ ସ୍ମାରକୀ ସ୍ଥଳରେ ଏକ ବିରାଟ ର‍୍ୟାଲିର ଆୟୋଜନ କରିବି ଓ ମୋ କ୍ଷମତା ପ୍ରଦର୍ଶନ କରିବ’।

ସମ୍ବନ୍ଧିତ ଖବର