ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଯୌନ ନିର୍ଯାତନା ଦେଇ ଆଇଆଇଏମ୍‌ ରୋହତକର ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ: ଜନୈକା ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ପୁଲିସ୍‌ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ରୋହତକର ନିର୍ଦ୍ଦେଶକ ପ୍ରଫେସର ଧୀରଜ ଶର୍ମାଙ୍କୁ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଗତ ୨୦୧୭ରେ ସଂପୃକ୍ତା ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆଇଆଇଏମ୍‌ରେ ନିଯୁକ୍ତି ପାଇବା ପରଠାରୁ ନିର୍ଦ୍ଦେଶକ ପ୍ରଫେସର ଶର୍ମା ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପୁଲିସ୍‌ ନିକଟରେ କରିଥିବା ଅଭିଯୋଗରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଜଣକ କହିଛନ୍ତି ଯେ ନିର୍ଦ୍ଦେଶକ ଶର୍ମା ତାଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ତାଙ୍କୁ ବିଭିନ୍ନ ସମୟରେ ଅଶାଳୀନ ମନ୍ତବ୍ୟମାନ ଦେବା ସହ ତାଙ୍କ ସହ ପରକୀୟା ସଂପର୍କ ରଖିବାକୁ ମଧ୍ୟ କହୁଥିଲେ। ତାଙ୍କ ଶରୀର ଗଠନକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅଶାଳୀନ ମନ୍ତବ୍ୟମାନ ଦେବା ସହ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରିକି ଦିନେ ସେ ତାଙ୍କ କ୍ୟାବିନ୍‌ରେ ଏକୁଟିଆ ବସିଥିବା ବେଳେ ନିର୍ଦ୍ଦେଶକ ଶର୍ମା ତାଙ୍କ କ୍ୟାବିନ୍‌ ମଧ୍ୟକୁ ପ୍ରବେଶ କରି ତାଙ୍କୁ କୁଣ୍ଡାଇ ଧରି ତାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନ ସମେତ ତାଙ୍କ ଗୁପ୍ତାଙ୍ଗରେ ସୁଦ୍ଧା ବଳ ପୂର୍ବକ ହାତ ମାରିଥିଲେ।

ତେବେ, ନିର୍ଦ୍ଦେଶକଙ୍କ ଯୌନ ଆବେଦନକୁ ସଂପୃକ୍ତା ଆସିଷ୍ଟାଣ୍ଟ ପ୍ରଫେସର ବାରମ୍ବାର ପ୍ରତ୍ୟାଖାନ କରିବା ପରେ ନିର୍ଦ୍ଦେଶକ ଶର୍ମା ତାଙ୍କୁ ସର୍ବସାଧାରଣରେ ଅପମାନିତ କରିବା ସହ ମାନସିକ ସ୍ତରରେ ମଧ୍ୟ ନିର୍ଯାତନା ଦେଉଥିଲେ। କ୍ରମେ ନିର୍ଦ୍ଦେଶକ ଶର୍ମାଙ୍କ ଯୌନ ଉତ୍ପୀଡ଼ନ ଅସହ୍ୟ ହେବାରୁ ଆସିଷ୍ଟାଣ୍ଟ ପ୍ରଫେସର ଜଣକ ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ନିର୍ଦ୍ଦେଶକ ଶର୍ମାଙ୍କୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର