ବଢୁଛି ରାଫେଲ୍ ବିବାଦ

ରାୟ ପ୍ରତ୍ୟାହାର କରନ୍ତୁ ସୁପ୍ରିମ୍ କୋର୍ଟ: କଂଗ୍ରେସ

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେବା ସହ ତଦନ୍ତର ଆବଶ୍ୟକ ନାହିଁ ବୋଲି ରାୟ ଦେବା ପରେ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନେଇ ମୋଦୀ ସରକାର ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ବିବାଦ ବଢୁଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଫେଲ୍ ମାମଲାରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟକୁ ଫେରାଇନେବା ଉଚିତ। ଏଥିସହ କେନ୍ଦ୍ର ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। କେନ୍ଦ୍ର ବିରୋଧରେ ସୁପ୍ରିମ୍ କୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିବା ଉଚିତ।
କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ରାଫେଲ୍ ମାମଲାରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ। ଆମେ ପୂର୍ବରୁ କହିଥିଲୁ ଯେ ରାଫେଲ୍ ଚୁକ୍ତିର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ହେଉ। ଏବେ ମଧ୍ୟ ତାହା କହୁଛୁ। କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଅନ୍ଧାରରେ ରଖିବାକୁ ଚେଷ୍ଟା କରିଛନ୍ତି। ସତ୍ୟାସତ୍ୟ ନଜାଣି ସୁପ୍ରିମ୍ କୋର୍ଟ ଏହି ରାୟ ଦେଇଛନ୍ତି। ତାଙ୍କ କହିବାନୁଯାୟୀ ରାଫେଲ୍ ଚୁକ୍ତି ମୂଲ୍ୟ ବାବଦ ବିବରଣୀ ସିଏଜିଙ୍କୁ ଦିଆଯାଇଛି ଏବଂ ସିଏଜି ଏହାର ଯାଞ୍ଚ କରି ପିଏସି(ପବ୍ଲିକ୍ ଆକାଉଣ୍ଟ୍‌ସ କମିଟି)କୁ ଦେଇଛନ୍ତି। ଏହାପ‌େର ପିଏସି ଉକ୍ତ ରିପୋର୍ଟକୁ ସମୀକ୍ଷା କରି ସଂସଦରେ ଉପସ୍ଥାପନ କରିଛି। କିନ୍ତୁ ସଂସଦକୁ ଏ ପର୍ଯ୍ୟନ୍ତ ପିଏସି ରିପୋର୍ଟ ଆସିନାହିଁ କିମ୍ବା ସିଏଜି ପକ୍ଷରୁ ପିଏସି ନିକଟରେ ରିପୋର୍ଟ ଦାଖଲ କରାଯାଇ ନାହିଁ। ଏଭଳି ସ୍ଥଳେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆନନ୍ଦ ଶର୍ମା ଆହୁରି କହିଛନ୍ତି, ଭୁଲ ତଥ୍ୟ ଦେଇଥିବାରୁ ସରକାର ସୁପ୍ରିମ୍ କୋର୍ଟଙ୍କୁ କ୍ଷମା ମାଗିବା ଉଚିତ। ସେହିଭଳି ସୁପ୍ରିମ୍ କୋର୍ଟ ନିଜ ରାୟକୁ ତୁରନ୍ତ ପ୍ରତ୍ୟାହାର କରିନେବା ଆବଶ୍ୟକ। ଏଥିସହ ଭୁଲ ତଥ୍ୟ ଉପସ୍ଥାପନ କରିଥିବାରୁ କେନ୍ଦ୍ର ବିରୋଧରେ ଅଦାଲତ ଅବମାନନା ନୋଟିସ୍ ଜାରି କରାଯିବା ଦରକାର। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ସରକାରଙ୍କ ପ୍ରଦତ୍ତ ମୂଲ୍ୟ ବାବଦ ଦଲିଲକୁ ନେଇ ଦେଇଥିବା ରାୟରେ ଯେଉଁ ବ୍ୟାଖ୍ୟା କରିଛନ୍ତି ସେଥିରେ ତ୍ରୁଟି ଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ତଥ୍ୟ ସଂଶୋଧନ ନିମନ୍ତେ କୋର୍ଟରେ ଗତକାଲି ଆବେଦନ କରାଯାଇଥିଲା। ସରକାର ବନ୍ଦ ଲଫାପାରେ ଯେଉଁ ତଥ୍ୟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ ସେଥିରେ ସିଏଜି ଏବଂ ପିଏସି ନେଇ କୋର୍ଟ ରାୟରେ ଭୁଲ୍ ବ୍ୟାଖ୍ୟା ହୋଇଛି। ଏଥିରେ ସଂଶୋଧନ ଆଣି ଯଥାଶୀଘ୍ର ବିବାଦର ଅବସାନ ଘଟାଇବାକୁ ସରକାର ଗୁରୁତ୍ବାରୋପ କରିଥିଲେ। ସୁପ୍ରିମ୍‌ କୋର୍ଟ ଶୁକ୍ରବାର ଦେଇଥିବା ରାଫେଲ୍ ରାୟର ୨୫ତମ ଅନୁଚ୍ଛେଦରେ ଦର୍ଶାଇଥିଲେ ଯେ ରାଫେଲ୍ ବିମାନ ମୂଲ୍ୟ ବାବଦରେ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କୁ ସରକାର ତଥ୍ୟ ପ୍ରଦାନ କରିଥିଲେ ଏବଂ ଏ ବାବଦରେ ସିଏଜି ରିପୋର୍ଟକୁ ପିଏସି ତର୍ଜମା କରିଛି।

ଜେପିସି ଗଠନର ପ୍ରଶ୍ନ ଉଠୁନାହିଁ
କଂଗ୍ରେସ ଆଲୋଚନା ନୁହେଁ, ହଟ୍ଟଗୋଳ ଚାହୁଛି

ନୂଆଦିଲ୍ଲୀ: ରାଫେଲ୍‌ ବିମାନ ଚୁକ୍ତି ସଂକ୍ରାନ୍ତରେ କଂଗ୍ରେସର ଅଭିଯୋଗ ନେଇ ଜେପିସି ଗଠନର ପ୍ରଶ୍ନ ଉଠୁନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। କଂଗ୍ରେସର ମିଥ୍ୟା ଓ ବିଭ୍ରାନ୍ତି ଧରାପଡ଼ିଯାଇଛି ଏବଂ ଏହି ଦଳ ଦୟନୀୟ ଭାବେ ବିଫଳ ହୋଇଛି ବୋଲି ସେ କହିଛନ୍ତି। ରାଫେଲ୍‌ ପ୍ରସଙ୍ଗରେ ସିଏଜିଙ୍କ ମତ ଏବେ ଗୁରୁତ୍ବପୂର୍ଣ୍ଣ ନୁହେଁ ଏବଂ ସୁପ୍ରିମ୍‌ କୋର୍ଟ ରାୟ ହିଁ ଚୂଡ଼ାନ୍ତ ବୋଲି ଜେଟ୍‌ଲି କହିଛନ୍ତି। ରାଫେଲ୍‌ ଓ ଅନ୍ୟ ପ୍ରସଙ୍ଗରେ କଂଗ୍ରେସ ସଂସଦରେ ୪ ଦିନ ଧରି ହଙ୍ଗାମା ଚଳାଇଥିଲା ଏବଂ ଏଥିରୁ ଦେଶକୁ କିଛି ଲାଭ ହେଉନାହିଁ ବୋଲି ସେ କହିଛନ୍ତି। ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସ ବିତର୍କ ଓ ଆଲୋଚନାକୁ ଏଡ଼ାଇ କେବଳ ହଟ୍ଟଗୋଳ ଚାହୁଛି ବୋଲି ସେ କହିଛନ୍ତି। ବିମାନର ମୂଲ୍ୟ ଏବଂ ବୈଷୟିକ ବୈଶିଷ୍ଟ୍ୟ ନେଇ ସବୁ ସ୍ପଷ୍ଟ ଥିବାରୁ କଂଗ୍ରେସର ନିରର୍ଥକ ଦାବି ନେଇ ଜେପିସି ଗଠନ କରାଯିବ ନାହିଁ ବୋଲି ଜେଟ୍‌ଲି କହିଛନ୍ତି।

ସମ୍ବନ୍ଧିତ ଖବର