‘ଆକୁଲା-୧’ ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହାଜ ଋଷିଆ ଠାରୁ ଲିଜ୍‌ ସୂତ୍ରରେ ଆଣିବ ଭାରତ; ଖର୍ଚ୍ଚ କରିବ ୨୩ ହଜାର କୋଟି

ନୂଆଦିଲ୍ଲୀ: ଭାରତ ଋଷିଆ ଠାରୁ ଆଣବିକ ଶକ୍ତି ସଂପନ୍ନ ଏକ ବୁଡ଼ାଜାହାଜ (ସବ୍‌ମେରିନ୍‌) ଆଣିବା ପାଇଁ ଚଳାଇଥିବା ପ୍ରସ୍ତୁତି ଏବେ ଚୂଡ଼ାନ୍ତ ହେବା ସ୍ତରରେ ପହଞ୍ଚିଛି। ତେବେ, ‘ଆକୁଲା’ ସ୍ତରର ଏହି ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହଜକୁ ଭାରତ ୨୩ ହଜାର କୋଟି ଟଙ୍କା ବିନିମୟରେ ଋଷିଆ ଠାରୁ ‘ଲିଜ୍‌’ (ଦୀର୍ଘ ମିଆଦି ଭଡ଼ା) ସୂତ୍ରରେ ଆଣୁଥିବା ଜାଣିବାକୁ ମିଳିିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଭାରତର ଇନ୍‌ସପେକ୍ଟର ଜେନେରାଲ (ଆଣବିକ ସୁରକ୍ଷା) ଭାଇସ୍‌ ଆଡ୍‌ମିରାଲ ସୁନୀଲ ଭି ବୋଖାରେଙ୍କ ନେତୃତ୍ୱରେ ଏକ ଉଚ୍ଚକ୍ଷମତା ସଂପନ୍ନ ପ୍ରତିନିଧି ମଣ୍ଡଳୀ ଗତ ସପ୍ତାହରେ ଋଷିଆ ଗସ୍ତ କରି ‘ଆକୁଲା-୧’ ସ୍ତରର ଦୁଇଟି ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହାଜ ବ୍ରଟକ୍ସ ଓ ସମାରାର ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ମିଳିବା ପରେ ଭାରତ ସରକାର ଏ ଦିଗରେ ଆଗେଇବା ସହ ଋଷିଆ ଠାରୁ ଆଣବିକ ଶକ୍ତି ସଂପନ୍ନ ଏକ ବୁଡ଼ାଜାହାଜ (ସବ୍‌ମେରିନ୍‌), ’ଲିଜ୍‌’ ସୂତ୍ରରେ ଆଣିବା ପାଇଁ ଚଳାଇଥିବା ପ୍ରସ୍ତୁତିକୁ ଏବେ ଚୂଡ଼ାନ୍ତ ରୂପ ଦେବାକୁ ଯାଉଛନ୍ତି। ଭାରତ ସରକାର ଏଥିପାଇଁ ଋଷିଆ ସହିତ ଏକ ଚୁକ୍ତି ସ୍ୱାକ୍ଷର କରି ‘ଆକୁଲା-୧’ ସ୍ତରର ଦୁଇଟି ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହାଜ ବ୍ରଟକ୍ସ ଓ ସମାରା ମଧ୍ୟରୁ ଗୋଟିଏକୁ ‘ଲିଜ୍‌’ ସୂତ୍ରରେ ୩.୩ ବିଲିୟନ ଆମେରିକୀୟ ଡଲାର (୨୩ ହଜାର କୋଟି) ବିନମୟରେ ଆଣିବେ।

ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନାରେ ଏବେ ସାମିଲ ଥିବା ‘ଆକୁଲା-୨’ ସ୍ତରର ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହଜ ଆଇଏନ୍‌ଏସ୍‌ ଚକ୍ରକୁ ଭାରତ ବିଗତ ୨୦୧୧ରେ ଋଷିଆ ଠାରୁ ଲଜ୍‌ ଆକାରରେ ୨.୫ ବିଲିୟନ ଆମେରିକୀୟ ଡଲାର ବିନିମୟରେ ଆଣିଥିଲା। ଯାହା ଏବେ ବି ଭାରତୀୟ ନୌସେନା ପାଇଁ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର