କାମ ଦେଉନି କଳାଧନ ଛାଟ : ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢ଼ିଲା ୫୦% , ୨୦୧୭ରେ ଜମା ପରିମାଣ ୭୦୦୦ କୋଟି ଟଙ୍କା

0 287

ଜୁରିକ୍‌/ନୂଆଦିଲ୍ଲୀ : ବିଦେଶରେ ଜମା ହେଉଥିବା କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଉ କାମ ଦେଉନି। ସନ୍ଦିଗ୍‌ଧ କଳାଧନ ଉପରେ ତନାଘନା ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ୨୦୧୬ରେ ଏଥିରେ ବ୍ରେକ୍‌ ଲାଗିଥିଲେ ମଧ୍ୟ ଗତ ବର୍ଷ ଏହା ୫୦ ଭାଗ ବୃଦ୍ଧି ପାଇଛି। ସୁଇସ୍‌ ବ୍ୟାଙ୍କରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଯେ ସୁଇସ୍‌ ବ୍ୟାଙ୍କରେ ସମସ୍ତ ଦେଶର ଜମାହାର ମାତ୍ର ୩ ଭାଗ ବୃଦ୍ଧି ପାଇଥିବା ବେଳେ ଭାରତୀୟଙ୍କ ଜମା ହାର ୫୦ ଭାଗ ବୃଦ୍ଧି ପାଇ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି।

ସୁଇସ୍‌ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଭାରତୀୟମାନେ ୬୮୯୧ କୋଟି ଟଙ୍କା ଜମା ରଖିଛନ୍ତି। ସେଥି ମଧ୍ୟରୁ ଗ୍ରାହକ ୩୨୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଜମା କରିଥିବା ବେଳେ ଅନ୍ୟ ବ୍ୟାଙ୍କ ଜରିଆରେ ୧୦୫୦ କୋଟି ଟଙ୍କା ଓ ୨୬୪୦ କୋଟି ଟଙ୍କା ପ୍ରତିଭୂତି ଓ ଅନ୍ୟାନ୍ୟ ଲାଇବିଲିଟି ଆକାରରେ ରଖିଛନ୍ତି। ସମ୍ପତ୍ତି ପରିଚାଳନା ସଂସ୍ଥାଗୁଡ଼ିକ ଜରିଆରେ ଭାରତୀୟମାନେ ୧୧୨ କୋଟି ଟଙ୍କା ସୁଇସ୍‌ ବ୍ୟାଙ୍କରେ ଜମା ରଖିଥିବା ଏହି ସୂତ୍ରରୁ ଜଣାପଡ଼ିଛି। ।

୨୦୧୭ରେ ସୁଇସ୍‌ ବ୍ୟାଙ୍କରେ ସବୁ ଦେଶର ଜମାକାରୀଙ୍କ ମୋଟ ୧୦୦ ଲକ୍ଷ କୋଟି ଟଙ୍କା ରହିଛି। ଏହି ବର୍ଷ ସୁଇସ୍‌ ବ୍ୟାଙ୍କଗୁଡ଼ିକର ବିଦେଶୀ ଗ୍ରାହକ ଜମା ୩% ବଢ଼ିଛି।

ସୂଚନାଯୋଗ୍ୟ ଯେ ୨୦୧୪, ୨୦୧୫ ଓ ୨୦୧୬ କ୍ରମାଗତ ତିନି ବର୍ଷ ପର୍ଯ୍ୟନ୍ତ ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ହ୍ରାସ ପାଇଥିଲା। ୨୦୧୫ରେ ଭାରତୀୟଙ୍କ ଜମା ପରିମାଣ ୮ହଜାର କୋଟି ଟଙ୍କା ଥିଲା। ୨୦୧୬ରେ ତାହା ୪୫% ହ୍ରାସ ପାଇ ୪୫୦୦ କୋଟି ଟଙ୍କାକୁ ଖସିଯାଇଥିଲା। ୧୯୮୬ ମସିହା ପରେ ପ୍ରଥମ ଥର ପାଇଁ ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ଏତେ ନିମ୍ନସ୍ତରକୁ ହ୍ରାସ ପାଇଥିଲା।

Panda Mobile only

୨୦୦୬ରେ ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ସର୍ବାଧିକ ୨୩ ହଜାର କୋଟି ଟଙ୍କା ଥିଲା। ଏହାର ପରବର୍ତୀ ୧୦ ବର୍ଷ ମଧ୍ୟରେ ସେହି ଜମା ପରିମାଣ ଏକ ଦଶମାଂଶ ହ୍ରାସ ପାଇଥିଲା। ୨୦୦୬ ପରେ କେବଳ ୨୦୧୧ (୧୨%), ୨୦୧୩ (୪୩%) ଓ ୨୦୧୭(୫୦.୨%)ରେ ଭାରତୀୟଙ୍କ ଜମା ପରିମାଣ ବଢ଼ିଥିଲା। ଅନ୍ୟ ସବୁ ବର୍ଷ ଜମା ପରିମାଣ ହ୍ରାସ ପାଇଛି।

ଶେଷ ଥର ପାଇଁ ୨୦୦୪ରେ ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ଜମା ପରିମାଣ ୫୬% ଭଳି ଉଚ୍ଚ ହାରରେ ବଢ଼ିଥିଲା। ଏହା ପରେ ପ୍ରଥମ ଥର ପାଇଁ ୨୦୧୭ରେ ଜମା ୫୦%ରୁ ଅଧିକ ବଢ଼ିଛି।

କଳାଧନ ବିରୋଧରେ ଭାରତ ସରକାର ଆରମ୍ଭ କରିିଥିବା କଠୋର ଅଭିଯାନ ଯୋଗୁଁ ସୁଇସ୍‌ ବ୍ୟାଙ୍କରୁ ଭାରତୀୟମାନେ ଦୂରେଇ ଯାଇଥିଲେ। ପୁଣି ଥରେ ସେମାନେ ସୁଇସ୍‌ ବ୍ୟାଙ୍କ ମୁହାଁ ହୋଇଥିବା ଏହି ସଦ୍ୟତମ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

କଳାଧନ ଜମାର ସ୍ୱର୍ଗ ଭାବେ ସୁଇସ୍‌ ବ୍ୟାଙ୍କକୁ କୁହାଯାଉଛି। ସାରା ବିଶ୍ୱରେ କଳାଧନକୁ ତନାଘନା ଆରମ୍ଭ ହେବା ପରେ ସୁଇଜରଲ୍ୟାଣ୍ଡ୍‌ ଉପରେ ଚାପ ପଡ଼ିଥିଲା। ବ୍ୟାଙ୍କ ତଥ୍ୟ ସାର୍ବଜନୀନ କରିବାକୁ ସୁଇଜରଲ୍ୟାଣ୍ଡ୍‌କୁ କୁହାଯାଇଥିଲା। ଚାପର ବଶବର୍ତୀ ହୋଇ ସୁଇଜରଲ୍ୟାଣ୍ଡ୍‌ ନୂତନ ନିୟମ ପ୍ରଣୟନ କରିଛି। ଯେଉଁ ସବୁ ଦେଶ ସୁଇଜରଲ୍ୟାଣ୍ଡ୍‌ ସହିତ ସ୍ୱୟଂଚାଳିତ ସୂଚନା ଆଦାନପ୍ରଦାନ ନେଇ ବୁଝାମଣା ସ୍ୱାକ୍ଷର କରିଛନ୍ତି ସେମାନଙ୍କୁ ଏହା ବ୍ୟାଙ୍କ ତଥ୍ୟ ପ୍ରଦାନ କରୁଛି। ପ୍ରତିବର୍ଷ ସୁଇଜରଲ୍ୟାଣ୍ଡ୍‌ର କେନ୍ଦ୍ରୀୟ ବ୍ୟାଙ୍କ-ସୁଇସ୍‌ ନ୍ୟାସନାଲ୍‌ ବ୍ୟାଙ୍କ (ଏସ୍‌ଏନ୍‌ବି) ଜମାକାରୀଙ୍କ ତଥ୍ୟ ସାର୍ବଜନୀନ କରୁଛି।

ଭାରତ ଓ ସୁଇଜରଲ୍ୟାଣ୍ଡ୍‌ ମଧ୍ୟରେ ସ୍ୱୟଂଚାଳିତ ତଥ୍ୟ ଆଦାନପ୍ରଦାନ ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.