ସମାଧି ବିବାଦ: ହାଇକୋର୍ଟରେ ରାତିଅଧିଆ ଶୁଣାଣି

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧି ଶେଷନିଃଶ୍ୱାସ ତ୍ୟାଗ କରିବା ପରେ ମରଶରୀରକୁ କାବେରୀ ହସ୍ପିଟାଲ୍‌ରୁ ଗୋପାଳପୁରମ୍‌ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଜନତା ଅପେକ୍ଷା କରିଥିଲେ। କିନ୍ତୁ କରୁଣାନିଧିଙ୍କ ଶବସତ୍କାରକୁ ନେଇ ଆଜି ଚେନ୍ନାଇର ମାରିନା ବିଚ୍‌ରେ ପ୍ରବଳ ବିବାଦ ଦେଖାଦେଇଥିଲା। ଏଆଇଏଡିଏମ୍‌କେ ସରକାର ମାରିନା ବିଚ୍‌ରେ କରୁଣାନିଧିଙ୍କ ଶବସତ୍କାର ଏବଂ ସମାଧିସ୍ଥଳ ନିମନ୍ତେ ଜାଗା ଦେବା ପାଇଁ ମନା କରିଦେଇଥିଲେ। ତେବେ ତାଙ୍କ ପାଇଁ ଗାନ୍ଧୀ ମଣ୍ଡପମ୍‌ ନିକଟରେ ୨ ଏକର ଜାଗା ଦେବା ନିମନ୍ତେ ରାଜ୍ୟ ସରକାର କହିଥିଲେ। କିନ୍ତୁ ଏଥିରେ ଡିଏମ୍‌କେ ନେତା ଓ କରୁଣାନିଧିଙ୍କ ପୁଅ ଏମ୍‌ କେ ଷ୍ଟାଲିନ୍‌ ରାଜି ହୋଇନଥିଲେ। ମାରିନା ବିଚ୍‌ରେ ଜାଗା ଦେବାକୁ ଅଡ଼ିବସିଥିଲେ। ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଶେଷକୃତ୍ୟ ମାରିନା ବିଚ୍‌ରେ ହୋଇଥିବା ଏବଂ ସେଠାରେ ସମାଧି ପୀଠ ନିର୍ମାଣ ହୋଇଥିବାରୁ କରୁଣାନିଧିଙ୍କ କ୍ଷେତ୍ରରେ ମଧ୍ୟ ସମାନ ସୁବିଧା ମିଳିବା ଉଚିତ ବୋଲି ଡିଏମ୍‌କେ ନେତାମାନେ ଦାବି କରିଥିଲେ। ରାଜ୍ୟ ସରକାର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାରୁ ଶେଷରେ ମାମଲା ଚେନ୍ନାଇ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ଦଳୀୟ ନେତାମାନେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏଚ୍‌ ଜି ରମେଶଙ୍କ ବାସଭବନକୁ ଯାଇଥିଲେ। ଜଷ୍ଟିସ୍‌ ସେମାନଙ୍କ ଆବେଦନର ଶୁଣାଣି ପାଇଁ ରାଜି ହୋଇଥିଲେ। ତେବେ କୋର୍ଟରେ ଶୁଣାଣି କରାଯିବ ବୋଲି କହିଥିଲେ। ଏହାପରେ ସମସ୍ତେ କୋର୍ଟ ଯାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅରବିନ୍ଦ ପାଣ୍ଡିୟାନ୍‌ ମାମଲା ପରିଚାଳନା କରୁଛନ୍ତି। ରାତି ଗୋଟାଏ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ତେବେ ଆସନ୍ତାକାଲି ସକାଳ ୮ଟାରେ ପୁଣି ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ଏହି ବିବାଦ ନେଇ ତାମିଲନାଡୁ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧିତ ଖବର